ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ଧର୍ମ’ମୋହମୁକ୍ତ ମାନବୀୟ ସମାଜ

ସପକ୍ଷରେ

ଧର୍ମ ନାମରେ ‘ରାସ୍ତାରୋକୋ’ ରେଳଗାଡ଼ି, ବସ୍‌ପୋଡ଼ି, ବନ୍ଦ, ଚକାଜାମ୍, ଶୋଭାଯାତ୍ରା, ସାମ୍ପ୍ରଦାୟିକ ଦଙ୍ଗା ଆମ ଦେଶରେ ଲାଗି ରହିଛି । ଡେରା ସଚ୍ଚାସୌଦା ଓ ଶିଖ୍ ସମ୍ପ୍ରଦାୟ ମଧ୍ୟରେ ଏବେ ଚାଲିଥିବା ବିବାଦ ତା’ର ସଦ୍ୟତମ ନମୁନା । ପ୍ରାୟ ପ୍ରତି ତୃତୀୟ ଦିନ ଆମ ଗଣମାଧ୍ୟମରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାଦ ଓ ହିଂସାର ଖବର ବାହାରେ । ଏକ ବହୁଧର୍ମୀ ଓ ପନ୍ଥ ନିରପେକ୍ଷ ଦେଶରେ ଏଭଳି ଘଟଣାମାନ ଦେଖି ମୁଣ୍ଡ ତଳକୁ ନଇଁଯାଏ କ୍ଷୋଭ ଓ ଲଜ୍ଜାରେ । ତସଲିମା ନସରିନ୍‌ଙ୍କ ‘ଲଜ୍ଜା’ ପଢ଼ିଲା ପରେ ବି ଧର୍ମ ଠିକାଦାରମାନଙ୍କୁ ଲାଜ ମାଡ଼ୁନାହିଁ । ମଧ୍ୟଯୁଗରେ ଧର୍ମ ଯୁଦ୍ଧ, କ୍ରୁସେଡ, ଜିହାଦ ନାମରେ ଲକ୍ଷ ଲକ୍ଷ ନିରୀହ ଲୋକ ବଳି ପଡ଼ିଥିଲେ । ଏହାର ନେତୃତ୍ୱ ନେଇଥିଲେ ଧର୍ମଗୁରୁମାନେ । ଏକାଦଶରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଆଠଟି ଧର୍ମ ମହାଯୁଦ୍ଧ ଘଟିଥଲା । ୧୦୯୬ ମସିହାରେ ପ୍ରଥମ ଧର୍ମଯୁଦ୍ଧରେ ୧୨୦୦୦ ଇହୁଦୀ ବଳି ପଡ଼ିଥିଲେ । ଏହା ପରେ ପରେ ସ୍ପାନିଆର୍ଡ ଓ ମୁର୍‌ଙ୍କ ମଧ୍ୟରେ, ଉତ୍ତର ଇଉରୋପୀୟ ଓ ପ୍ରୁଷିଆ, ଲିଥୁଆନିଆ ମଧ୍ୟରେ, ହେରାକ୍ଲିସ୍ ଓ ପାରସ୍ୟ ମଧ୍ୟରେ, ମୁସଲିମ୍, ଖ୍ରୀଷ୍ଟୟାନ୍ ଓ ଇହୁଦୀଙ୍କ ମଧ୍ୟରେ ଧର୍ମ ଓ ସଂସ୍କୃତି ରକ୍ଷା ନାମରେ ବହୁବାର ଯୁଦ୍ଧ ଓ ଗଣହତ୍ୟା ଲାଗି ରହିଥିଲା ।

ଧାର୍ମିକ ଅସହିଷ୍ଣୁତା ଓ ହିଂସା ଏତେ ପ୍ରବଳ ଥିଲା ଯେ ୟୁରୋପର ଜଣେ ଧର୍ମଯାଜକ ସେଣ୍ଟ ଉଇଲ୍‌ବାଲ୍‌ଡ ତୀର୍ଥଯାତ୍ରାରେ ଜେରୁଜେଲମ୍‌ରେ ପହଞ୍ଚିବାକୁ ୭ ବର୍ଷ ଲାଗିଥିଲା - ୭୨୨ ମସିହାରୁ ୭୨୯ ମସିହା ପର୍ଯ୍ୟନ୍ତ । ସେତେବେଳେ ଧର୍ମ ବିଶ୍ୱାସକୁ ବଞ୍ଚାଇବାକୁ ଲକ୍ଷ ଲକ୍ଷ ଲୋକ ନିଜ ଭିଟାମାଟି ଛାଡ଼ି ପଳାଇଥିଲେ । ଏହି କାରଣରୁ

୫୬ ବିକଳ୍ପ ବିଶ୍ୱ