ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜୋରୋଷ୍ଟ୍ରିୟାନ୍ (ପାର୍ଶି) ମାନେ ପାରସ୍ୟ ଛାଡ଼ି ଭାରତ ପଳାଇ ଆସିଥିଲେ, ଦଲାଇଲାମା ଓ ତାଙ୍କ ଅନୁଗାମୀ ତିବ୍ଦତ ଛାଡ଼ି ଭାରତ ପଳାଇ ଆସିଥିଲେ । ଇଣ୍ଡୋନେସିଆର ହିନ୍ଦୁମାନେ ବାଲିଦ୍ୱୀପକୁ ପଳାଇ ଯାଇ ଆତ୍ମରକ୍ଷା କରିଥିଲେ । ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ବାଲ୍ୟ କାଳରୁ କୃଷ୍ଣଙ୍କ ଉପରେ କଂସ ବାରମ୍ବାର ଆକ୍ରମଣ କରିଥିଲା । ଗୌତମ ବୁଦ୍ଧ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଇଥିଲା । କୁଳଗୁରୁ ଋଷି ବଶିଷ୍ଠ ହିଂସାର ଶିକାର ହୋଇଥିଲେ । ମୁନି, ଋଷିମାନଙ୍କୁ ରାକ୍ଷସ ପ୍ରକୃତିର ଲୋକେ ଧର୍ମାନୁଷ୍ଠାନ କରାଇ ଦେଉନଥିଲେ । ବହୁ ବୈଜ୍ଞାନିକ ଧର୍ମଗରୁଙ୍କଦ୍ୱାରା ଦଣ୍ଡିତ ହେବା ଘଟଣା ବିଂଶ ଶତାବ୍ଦୀରେ ବି ଘଟୁଥିଲା । ଏବେ ଧର୍ମର ଅର୍ଥ ହେଲାଣି ଗୋଳା ବାରୁଦ, ବନ୍ଧୁକ, ବୋମା, ଛୁରୀ, ଫତୁଆ ଓ ଆତଙ୍କ ।

ଆମ ଶେରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ, ପନ୍ଥମାନଙ୍କ ବିଷୟରେ ପାଠ୍ୟ ପୁସ୍ତକ ନୀରବ ରହିବାରୁ ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ଭାବନା ସମ୍ପର୍କରେ ନାଗରିକମାନଙ୍କର ଜ୍ଞାନ ଅସମ୍ପୂର୍ଣ୍ଣ ଥାଏ । ଗାଈ, ଘୁଷୁରୀଙ୍କୁ କେନ୍ଦ୍ର କରି ମଣିଷମାନେ ମରାମରି ହୁଅନ୍ତି, ଦଙ୍ଗା ହୁଏ । ‘ଧର୍ମ ନିରପେକ୍ଷତା’ ଶବ୍ଦ ନେଇ ବି ଦେଶରେ ବିବାଦ ରହିଛି । ଧର୍ମର ଅର୍ଥ ନ ଜାଣି କିଏ କେତେ ଧର୍ମନିରପେକ୍ଷ, ସେ ସମ୍ପର୍କରେ ଦେଖେଇ ହେବାପାଇଁ ରାଜନୀତିକ ଦଳମାନଙ୍କରେ ପ୍ରଚଣ୍ଡ ପ୍ରତିଯୋଗିତା । ସୁଡୋ ସେକ୍ୟୁଲାର, ସର୍ବଧର୍ମ ସମଭାବ ଇତ୍ୟାଦି ବହୁ ଶବ୍ଦ ବ୍ୟବହାର ହୁଏ - ଧର୍ମର ସଂଜ୍ଞା ବିଷୟରେ । ୧୯୭୬ ମସିହାରେ ଇନ୍ଦିରା ଗାନ୍ଧି ଇମର୍‌ଜେନ୍‌ସି ଲାଗୁ କରି ସମ୍ବିଧାନର ଭୂମିକା ବା ପ୍ରିୟାମ୍ବଲ୍‌ରେ ଡେମୋକ୍ରେଟିକ୍ ରିପବ୍ଲିକ୍ ସହିତ ଆଉ ଦୁଇଟି ସଂଜ୍ଞା ଯୋଡିଥିଲେ । ସେ ଦୁଇଟି ହେଲା ସେକ୍ୟୁଲାର୍ ଓ ସୋସିଆଲିଷ୍ଟ । ସେକ୍ୟୁଲାର୍ ଶବ୍ଦଟିର ଅନୁବାଦ କରି କୁହାଗଲା ‘ଧର୍ମନିରପେକ୍ଷ’ ।

ଏ ସଂଜ୍ଞା ସମ୍ପର୍କରେ ଏବେ ବି ଦେଶରେ ବିବାଦ ରହିଛି । କାରଣ ଧର୍ମର ପ୍ରକୃତ ଅର୍ଥ ହେଲା ନୀତି, ନିଷ୍ଠା ଓ ବିଧିସମ୍ମତ ଆଚରଣ । ଏଥିରେ ହିଂସା, ବର୍ବରତା, କ୍ରୂରତା, ଲୋଭ, ମିଥ୍ୟା ଓ ଅହଙ୍କାରର ସ୍ଥାନ ନଥାଏ । ଏବେ ଯାହାକୁ ଆମେ ଧର୍ମ ଭାବରେ ବୁଝୁଛେ, ତାହା ପ୍ରକୃତରେ ହେଲା ପନ୍ଥ ଅର୍ଥାତ୍ ଦିବ୍ୟଜ୍ଞାନପାଇଁ ବିଭିନ୍ନ ପଥ । ତେଣୁ ସେକ୍ୟୁଲାର ଶବ୍ଦଟିକୁ ସମ୍ବିଧାନର ହିନ୍ଦୀ ଅନୁବାଦରେ କୁହାଯାଇଛି ପନ୍ଥ ନିରପେକ୍ଷ ଓ ଧର୍ମ ନିରପେକ୍ଷ ସମାନ ନୁହେଁ । ନୀତି, ନିଷ୍ଠା ଓ ବିଧିସମ୍ମତ ଆଚରଣ ସମ୍ପର୍କରେ କୌଣସି ଦେଶ ବା ପନ୍ଥ କେମିତି ନିରପେକ୍ଷ ରହିପାରିବ ? ପାଠ୍ୟପୁସ୍ତକ କେମିତି ନୀରବ ରହିବେ ? ଭଗବତ୍ ଗୀତାରେ ଯେଉଁ ସ୍ୱଧର୍ମରେ ନିଧନ ଶ୍ରେୟ ଓ ପରଧର୍ମ ଭୟାବହ କଥା

ବିକଳ୍ପ ବିଶ୍ୱ ୫୭