ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁହାଯାଇଛି, ତାର ପ୍ରକୃତ ଅର୍ଥ ହେଲା ନିଜର ନୀତି, ନିଷ୍ଠା, କର୍ତ୍ତବ୍ୟ ଓ ଆଦର୍ଶପାଇଁ ଜୀବନ ଉତ୍ସର୍ଗ ବରଂ ଶ୍ରେୟସ୍କର । ବିଭିନ୍ନ ‘ପନ୍ଥ’ର ପ୍ରବର୍ତ୍ତକମାନେ ବୋଧହୁଏ ଭାବି ପାରିନଥିଲେ ଯେ ତାଙ୍କର ଅନୁଗାମୀମାନେ ଏହାକୁ ଦୁରୁପଯୋଗ କରିବେ; ହିଂସା, ହତ୍ୟା, ରକ୍ତପାତକୁ ଉତ୍ସାହିତ କରିବେ । ଯେତେବେଳେ ପୃଥିବୀରେ ସୀମା ସରହଦ, ଦେଶ, ରାଜ୍ୟ, ସମ୍ବିଧାନ, ଆଇନ୍‌କାନୁନ୍ ନଥିଲା, ସେତେବେଳେ ମଣିଷର ଆଚରଣକୁ ଲଗାମ ଦେଇ ଶୁଦ୍ଧ, ସଭ୍ୟ, ସଂସ୍କୃତ ଜୀବନଯାପନପାଇଁ ବିଭିନ୍ନ ଅଞ୍ଚଳରେ ‘ପନ୍ଥ’ର ସୃଷ୍ଟି ହୋଇଥିଲା । ଯାହାକୁ ଆମେ ଏବେ କହୁଛେ ‘ଧର୍ମ’ । କିନ୍ତୁ ଏବେ ଏକ ଆଧ୍ୟାତ୍ମିକ, ବୈଜ୍ଞାନିକ ଓ ମାନବୀୟ ସମାଜ ଗଢିବାର ସମୟ ଆସିଛି ।

ଏ ବିଷୟରେ ଏକ ବ୍ୟକ୍ତିଗତ ଅନୁଭୂତି ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ । ପ୍ରାୟ ସାତ ଆଠ ବର୍ଷ ତଳର କଥା । ରାଜ୍ୟ ଗୋଷ୍ଠୀ ଏସିଆ ଦେଶମାନଙ୍କ ଦାୟିତ୍ୱରେ ଥାଏ । ଏସିଆରେ ଆଠଟି ଦେଶ ରାଜ୍ୟଗୋଷ୍ଠୀର ସଭ୍ୟ - ଭାରତ, ପାକିସ୍ଥାନ, ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ମାଲେସିଆ, ବ୍ରୁନେଇ, ଦାରୁସଲାମ ଓ ସିଙ୍ଗାପୁର । ଏହି ଦେଶମାନଙ୍କୁ ବର୍ଷକେ ଦୁଇ ତିନିଥର ଯିବାକୁ ପଡେ । ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡିକୁ ସିଙ୍ଗାପୁର ଚାଙ୍ଗି ଏୟାରପୋର୍ଟ ହୋଇ ଯିବାକୁ ହୁଏ । ସିଙ୍ଗାପୁରର ପୁରୁଣା ନାଁ ହେଲା ସିଂହପୁରମ୍ । ଏକ କ୍ଷୁଦ୍ର ଦେଶ କିନ୍ତୁ ଭାରତ ଭଳି ବିଭିନ୍ନ ପନ୍ଥର ଲୋକେ ଏକାଠି ରହନ୍ତି । ବୁଦ୍ଧିଷ୍ଟ୍, ମୁସଲିମ୍, ହିନ୍ଦୁ, ଖ୍ରୀଷ୍ଟିୟାନ୍, ଚାଇନିଜ୍, ମାଲେ, ଇଣ୍ଡିଆନ୍, ଆଙ୍ଗ୍‌ଲୋ ଇତ୍ୟାଦି । କିନ୍ତୁ ସାମ୍ପ୍ରଦାୟିକ ଦଙ୍ଗା ଫସା ବିରଳ । ଲୋକେ ଦେଶପ୍ରେମୀ, ଆଇନ୍‌କାନୁନ୍ ମାନି ଚଳନ୍ତି । ମୁଣ୍ଡପିଛା ଆୟ ପ୍ରାୟ ବାର୍ଷିକ ବାର ଲକ୍ଷ ଟଙ୍କା ।

ନ‌ଦୀ, ପର୍ବତ, ଖଣି, ପାଣି ନାହିଁ । ପିଇବା ପାଣି ଜାହାଜରେ ବୁହା ହୋଇ ଅନ୍ୟ ଦେଶରୁ ଆସେ । ଶତକଡା ୮୦ ଭାଗ ଲୋକେ ସର୍ଭିସ୍ ସେକ୍ଟରରେ କାମ କରନ୍ତି । ଚାଙ୍ଗ ଏଆର୍‌ପୋର୍ଟ ଓ ସିଙ୍ଗାପୁର ଏଆରଲାଇନ୍ ନିଜ ଦକ୍ଷତାପାଇଁ ପୃଥିବୀ ପ୍ରସିଦ୍ଧ । ମାଟ୍ରିକ୍ ପରେ ପୁଅ ପିଲାଙ୍କପାଇଁ ଦୁଇବର୍ଷ ନାସ୍‌ନାଲ୍ ମିଲିଟାରି ଟ୍ରେନିଂ ବାଧ୍ୟତାମୂଳକ । ରାସ୍ତାଘାଟ ସଫାସୁତୁରା, ଶତକଡା ଅଶୀଭାଗ ଜାଗାରେ ନିର୍ମାଣ ମନା । କାର୍‌ରେ ନଯାଇ ମେଟ୍ରୋରେ ଯିବାପାଇଁ ଲୋକଙ୍କୁ ଉତ୍ସାହିତ କରାଯାଏ । ଏହାଦ୍ୱାରା ପରିବେଶ ପ୍ରଦୂଷଣମୁକ୍ତ ରହେ । ଯେଉଁମାନେ ବାପା ମାଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ଚାହାନ୍ତି, ତାଙ୍କୁ ଆଗ ଘର ଦିଆଯାଏ । ପୁଅ ଝିଅଙ୍କୁ ସଂଯତ ବୈବାହିକ ଜୀବନଯାପନ ପାଇଁ ଉତ୍ସାହିତ କରାଯାଏ, ଆଗ ପିଲା ହେଲେ ଅଧିକ ଭତ୍ତା ମିଳେ । ସ୍ତ୍ରୀମାନଙ୍କ ସାମାଜିକ ସ୍ଥିତି ସେ ଅଞ୍ଚଳର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ।

୫୮ ବିକଳ୍ପ ବିଶ୍ୱ