ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲଗାଇବା । ବ୍ୟକ୍ତି, ସମାଜ ଓ ଦେଶମାନେ ଏହି ସାତୋଟି ସାମାଜିକ ପାପରୁ ଦୂରରେ ରହି ପାରିଲେ ‘ମିଲେନିୟମ୍ ଡେଭଲପ୍‌ମେଣ୍ଟ ଗୋଲ୍’ପାଇଁ ଏତେ ଯୋଜନା ଓ ଅର୍ଥବ୍ୟବସ୍ଥା ଆବଶ୍ୟକ ହେବ ନାହିଁ । ଦୁର୍ନୀତି, ଦୁରାଚାର, ଦାରିଦ୍ର୍ୟ କ୍ରମେ ହଟିଯିବ । ଏହା ନ କରି ଗାନ୍ଧିଙ୍କ ପ୍ରତିମାକୁ ଫୁଲମାଳରେ ପୋତି ଦେଇ, ତାଙ୍କ ଆଦର୍ଶକୁ ରାଜଘାଟରେ ସମାଧି ଦେବା ଭାରତପାଇଁ ଏକ ଅଷ୍ଟମ ସାମାଜିକ ପାପ ହେବ ।

କିନ୍ତୁ ସୁଖର କଥା ଯେ, ଏବେ ପାପପୁଣ୍ୟକୁ ଧର୍ମଗ୍ରନ୍ଥ ପୃଷ୍ଠାରୁ ମୁକୁଳାଇ ବିକାଶ ପ୍ରକ୍ରିୟାରେ ଯୋଡ଼ିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଭାରତ ସମେତ ୧୩ଟି ବିକଶିତ ଓ ବିକାଶଶୀଳ ଦେଶର ଅର୍ଥନୈତିକ ପ୍ରଗତି ପ୍ରକ୍ରିୟାକୁ ଅଧ୍ୟୟନ କଲା ପରେ, ନୋବେଲ ପୁରସ୍କାରପ୍ରାପ୍ତ ବିଖ୍ୟାତ ଅର୍ଥନୈତିଜ୍ଞ ମାଇକେଲ୍ ସ୍ପେନ୍‌ସଙ୍କ ଅଧ୍ୟକ୍ଷତାରେ ଗଠିତ “ଗ୍ରୋଥ୍ ଆଣ୍ଡ୍ ଇକୋନୋମିକ୍ ଡେଭଲପ୍‌ମେଣ୍ଟ କମିଶନ” ପାଞ୍ଚଟି ପୁଣ୍ୟ ଓ ବାରଟି ପାପ ବା ବ୍ୟାଡ୍ ଆଇଡିଆର ତାଲିକା ପ୍ରସ୍ତୁତ କରିଛନ୍ତି । ମିରାକଲ୍ ଇକନମି ବା ଅଦ୍ଭୁତ ଓ ଦ୍ରୁତ ଅଗ୍ରଗତି କରୁଥବା ଦେଶମାନଙ୍କରେ ଯେଉଁ ପାଞ୍ଚଟି ପ୍ରକ୍ରିୟାଦ୍ୱାରା ଏହା ସମ୍ଭବପର ହେଲା, ସେଗୁଡିକ ହେଲା କ୍ରମାଗତ ଅର୍ଥନୈତିକ ସ୍ଥିରତା, ଦେଶର ବୃହତ୍ତର ସ୍ୱାର୍ଥ ହାସଲପାଇଁ ଜଗତୀକରଣ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସାମିଲ ହେବା, ଉଚ୍ଚ ହାରରେ ସଞ୍ଚୟ, ବିଭିନ୍ନ ଉତ୍ପାଦକ ଯୋଜନାରେ ବିପୁଳ ଅର୍ଥ ବିନିଯୋଗ ଏବଂ ଏକ ପ୍ରତିବଦ୍ଧ ଓ ସମର୍ଥ ସରକାର । କମିଶନ ପୁଣି କହିଛନ୍ତି, ଦ୍ରୁତ ପ୍ରଗତିପାଇଁ କୌଣସି ଗୋଟିଏ ନିଦ୍ଦିର୍ଷ୍ଟ ଫର୍ମୁଲା ନାହିଁ ଏବଂ ବିକାଶପାଇଁ ଉତ୍ସୁକ ଦେଶମାନେ ତାଙ୍କ ଦେଶ ପାଇଁ କେଉଁ ଫର୍ମୁଲା କାମ କରିବ, ତାକୁ ପରୀକ୍ଷା କରି ବାଛିବା ଆବଶ୍ୟକ । କିନ୍ତୁ ଯେଉଁ ବାରଟି କାରଣରୁ ଦ୍ରୁତ ପ୍ରଗତି ହୋଇ ପାରୁନାହିଁ, ଅର୍ଥନୀତି ବାରମ୍ବାର ଫେଲ୍ ମାରୁଛି, ସେଗୁଡିକ ଜାଣି ତାଠାରୁ ଦୂରରେ ରହିଲେ ଭଲ । କମିଶନଙ୍କ ଭାଷାରେ ‘ଟ୍ୱେଲ୍‌ଭ ଆଇଡିଆଜ’କୁ ଲୋକପ୍ରିୟ ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ସ୍ୱାମୀନାଥନ୍ ଅଙ୍କଲେସାରିଆ ଆୟର୍ ଗାନ୍ଧିଙ୍କ ଢଙ୍ଗରେ ଦ୍ୱାଦଶ ପାପ ବୋଲି ନାମକରଣ କରିଛନ୍ତି ।

ସଂକ୍ଷେପରେ ଏହି ପାପଗୁଡିକ ହେଲା (୧) ବିଜୁଳି, ପେଟ୍ରୋଲ ଗ୍ୟାସପାଇଁ ସବ୍‌ସିଡି । ଭାରତୀୟ ରାଜନୀତିଆମାନେ ଭୋଟ୍ ପୂର୍ବରୁ ଏଭଳି ପାପପାଇଁ ସର୍ବଦା ଉତ୍ସୁକ । (୨) ବେକାରୀ ଦୂରୀକରଣପାଇଁ ସରକାରୀ ବାବୁଙ୍କ ଉପରେ ଭରସା ଓ ସରକାରୀ ଚାକିରି ସଂଖ୍ୟା ବୃଦ୍ଧି । (୩) ଦେଶର ବୃହତ୍ତର ସ୍ୱାର୍ଥପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସୋସିଆଲ୍ ସେକ୍ଟର ବା ସାମାଜିକ କ୍ଷେତ୍ରରୁ ଅର୍ଥ କାଟ୍ କରି ବର୍ତ୍ତମାନ ଅର୍ଥନୈତିକ ସଙ୍କଟରୁ କିଛି କ୍ଷଣପାଇଁ ମୁକ୍ତି ପାଇବାର ଉଦ୍ୟମ ।


ବିକଳ୍ପ ବିଶ୍ୱ ୬୩