ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୪) ବ୍ୟବସାୟ, ବାଣିଜ୍ୟ, ଚାକିରି ଓ ରୋଜଗାରକୁ ପ୍ରତିଯୋଗିତାରୁ ଦୂରରେ ରଖିବା । (୫) ଦରବୃଦ୍ଧିର ପ୍ରକୃତ କାରଣକୁ ଉପେକ୍ଷା କରି ଦରମା ଉପରେ କୃତ୍ରିମ ନିୟନ୍ତ୍ରଣ । (୬) ଉତ୍ପାଦନ‌କୁ ଉପେକ୍ଷା କରି ଖାଉଟିଙ୍କ ସ୍ୱାର୍ଥରକ୍ଷା, (୭) ସହରୀକରଣ ଓ ସହର ଉନ୍ନୟନକୁ ଉପେକ୍ଷା (୮) ପ୍ରଗତି ପ୍ରକ୍ରିୟା ଆରମ୍ଭରୁ ପରିବେଶକୁ ଉପେକ୍ଷା (୯) ଶିକ୍ଷାଗୃହ ନିର୍ମାଣ ଓ ଛାତ୍ର ଉପସ୍ଥାନ ବଢ଼ାଇବାପାଇଁ ଅତ୍ୟଧିକ ଆଗ୍ରହ କିନ୍ତୁ ପ୍ରକୃତ ଶିକ୍ଷାର ଗୁଣାତ୍ମକ ବିକାଶକୁ ହତାଦର । (୧୦) ଶିକ୍ଷକ, ବୁଦ୍ଧିଜୀବୀ, କର୍ମଚାରୀମାନଙ୍କୁ ମାର୍କେଟ ମୂଲ୍ୟଠାରୁ କମ୍ ଦରମା ଦେଇ ଅଧିକ କାମ ହାସଲ । (୧୧) ବ୍ୟାଙ୍କମାନଙ୍କ କାର୍ଯ୍ୟପ୍ରଣାଳୀରେ ଅଯଥା ହସ୍ତକ୍ଷେପ ଓ (୧୨) କୃଷି ଓ ଶିଳ୍ପ ଉତ୍ପାଦନ ବୃଦ୍ଧିକୁ ଉପେକ୍ଷା କରି ମୁଦ୍ରା ବିନିମୟ ହାର ବଢ଼ାଇବା । ଭାରତ ଭଳି ଅନେକ ଦେଶ ଏହି ପାପର ନର୍କକୁଣ୍ଡରେ ବୁଡ଼ି ରହିଛନ୍ତି । ଦେଶରେ ବିଶିଷ୍ଟ ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ରାଜନୀତିଜ୍ଞମାନେ ଏକାଠି ବସି ଏ ସମ୍ପର୍କରେ ବିଶଦ ଆଲୋଚନା କରନ୍ତୁ; ଦଳ, ମତ, ପନ୍ଥ ନିର୍ବିଶେଷରେ । ନିରାପତ୍ତା ପରିଷରେ ସଭ୍ୟ ହେବା ଯେତିକି ଆବଶ୍ୟକ, ତାଠାରୁ ଅଧିକ ଜରୁରୀ ଆବଶ୍ୟକତା ହେଉଛି କିପରି ଦୃତ ଉନ୍ନୟନ ଜରିଆରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓଡ଼ିଶାରେ ୪୦% ଓ ଭାରତର ୨୪% ଲୋକଙ୍କୁ ସୀମାରେଖା ଉପରକୁ ଉଠାଇବା ଓ ଏକ ଆତ୍ମସମ୍ମାନର ଜୀବନଯାପନ ପାଇଁ ସେମାନଙ୍କୁ ସଶକ୍ତ କରିବା । ଏହି ପୁଣ୍ୟ କାମଗୁଡିକ ହେଲେ, ସମାଜରୁ ପାପ ଓ ପାପାଚାରୀଙ୍କ ସଂଖ୍ୟା ହ୍ରାସହେବ । ପ୍ରଗତିର ବାଟରେ ପଡିଥବା କଣ୍ଟା ହଟିଯିବ । ସାଧାରଣ ଲୋକଙ୍କର ହତାଶା ଦୂର ହୋଇ ଆତ୍ମବିଶ୍ୱାସ ବଢ଼ିବ । ଏହି ପାପ ସବୁକୁ ଚିହ୍ନଟ କରି ପୁନର୍ବାର ସେଗୁଡ଼ିକୁ ନ ଦୋହରାଇଲେ ଅଚିରେ ଦେଶରୁ ଦାରିଦ୍ର୍ୟ ଦୂର ହେବ । ୧୨ ଜୁନ୍, ୨୦୦୮

୬୪

ବିକଳ୍ପ ବିଶ୍ୱ