ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୋଭାଯାତ୍ରା କରି ଆମକୁ ହୋଟେଲ ପର୍ଯ୍ୟନ୍ତ ନିଆଗଲା । ରାସ୍ତାର ଉଭୟ ପଟେ ଲୋକେ ଭାରତ ଓ ସୋଭିଏତ୍ ୟୁନିଅନର ଛୋଟ ଛୋଟ ପତାକା ଉଡ଼ାଇ କହୁଥିଲେ ‘ଇଣ୍ଡିଆ, ଇଣ୍ଡିଆ’ । ପୃଥିବୀର ବହୁ ଦେଶ ବୁଲିଛି, କିନ୍ତୁ ଭାରତ ପ୍ରତି ଏତେ ସ୍ନେହ ଶ୍ରଦ୍ଧା ମୁଁ ଅନ୍ୟ କୌଣସି ଦେଶରେ ଦେଖିନାହିଁ । ହୋଟେଲରେ ପହଞ୍ଚିବା ପରେ ପ୍ରୋଟୋକଲ୍ ଦାୟିତ୍ୱରେ ଥିବା ନାବାଏଭ୍ ମୋତେ ଏକାକୀ ଭେଟିବାକୁ ଚାହିଁଲେ । ଆମେ ଭିତରୁ ରୁମ ବନ୍ଦ କରି ଏକାଠି ବସିଲୁ । କହିଲେ, "ଆପଣ ଯଦି ଖରାପ ନ ଭାବିବେ ମୁଁ ଗୋଟିଏ ଛୋଟ ଅନୁରୋଧ କରିବି ।" ମୁଁ କହିଲି, ‘କରନ୍ତୁ’ । ସେ କହିଲେ ‘ଆମ ଦେଶ ଲୋକେ ଭାରତୀୟ ସିନେମା ଭାରି ପସନ୍ଦ କରନ୍ତି ଓ ତାଠାରୁ ଆହୁରି ଭଲପାଆନ୍ତି ଶାଢ଼ି ପିନ୍ଧିଥିବା ଭାରତୀୟ ମହିଳାଙ୍କୁ, କିନ୍ତୁ ଆପଣଙ୍କ ଦଳରେ କେହି ଜଣେ ହେଲେ ମହିଳା ଶାଢ଼ି ପିନ୍ଧି ନଥିବାରୁ ଆମ ଲୋକେ ନିରାଶ ହେଉଛନ୍ତି । କାରଣ ଶାଢ଼ି ପିନ୍ଧା ଭାରତୀୟ ମହିଳା ଭାରି ସୁନ୍ଦର ଦିଶନ୍ତି । ଯଦି ଆପଣ ସାଙ୍ଗରେ ଥିବା ମହିଳାମାନଙ୍କୁ ଶାଢ଼ି ପିନ୍ଧିବାକୁ ପ୍ରବର୍ତ୍ତାଇ ପାରନ୍ତେ, ଖୁବ୍ ଭଲ ହୁଅନ୍ତା । ମୁଁ ନାବାଏଭ୍‌ଙ୍କୁ କହିଲି, ‘ନିଶ୍ଚୟ ଚେଷ୍ଟା କରିବି । ଆମ ପ୍ରତିନିଧି ଦଳରେ ୬୨ ଜଣ ମହିଳା ଥାଆନ୍ତି । ସମସ୍ତଙ୍କୁ ଡାକି ଏକଥା କହିଲି ଓ ସହଯୋଗ କରିବାପାଇଁ ଅନୁରୋଧ କଲି । କିନ୍ତୁ ଅଧାରୁ ଅଧିକ ମହିଳାଙ୍କ ପାଖରେ ଶାଢ଼ି ନଥିଲା । ଅନ୍ୟମାନେ ଦୁଇ ତିନିଖଣ୍ଡ ଲେଖାଏଁ ଶାଢ଼ି ଆଣି ଆସିଥିଲେ । ସମସ୍ତେ ତାକୁଇ ବାଣ୍ଟିକୁଣ୍ଟି ପିନ୍ଧି ବାହାରିଲେ । ସେମାନଙ୍କୁ ଶାଢ଼ି ବେଶରେ ଦେଖି ଲୋକେ ଖୁବ୍ ଖୁସି ହୋଇଗଲେ । ଅନେକ ମନେ ମନେ ଭାବିଲେ ଏମାନେ ସମସ୍ତେ ବଲିଉଡ୍‌ରେ ହିରୋଇନ୍ । ନାବାଏଭ୍ ଧନ୍ୟବାଦ ଦେଇଗଲେ । ମୁଁ ଭାବୁଥିଲି କି ବିଡ଼ମ୍ବନା ! ଆମ ଦେଶ ମହିଳାଙ୍କୁ ଆମ ଦେଶୀ ଶାଢ଼ି ପିନ୍ଧିବାକୁ ସୋଭିଏତ୍ ୟୁନିଅନ ଲୋକଙ୍କୁ କହିବାକୁ ପଡ଼ିଲା । ମହିଳାଙ୍କୁ ଦେଖି ଆମ ଦଳରେ ଥିବା ପୁରୁଷମାନେ ବି ଦେଶୀ ପୋଷାକ ପିନ୍ଧି ବୁଲିଲେ । ମଧ୍ୟ ଏସିଆର ମଧ୍ୟଭାଗରେ ତାସ୍କେଣ୍ଟ ନଗରୀ - ଟୁରିଷ୍ଟମାନେ କହନ୍ତି ଇଷ୍ଟର୍ଣ୍ଣ ପର୍ଲ । ଉଜ୍ବେକିସ୍ତାନ ଚାରିପଟେ ଘେରି ରହିଛନ୍ତି ଆଉ ୪ଟି ଦେଶ - କାଜାକ୍‌ସ୍ତାନ, କିର୍‌ଗିଜ୍‌ସ୍ତାନ, ତାଜିକିସ୍ତାନ ଓ ଆଫଗାନିସ୍ତାନ । ଅଢ଼େଇ ହଜାର ବର୍ଷର ପୁରୁଣା ସଂସ୍କୃତି । ଲୋକମାନେ ଯେତିକି ସୁନ୍ଦର ସେତିକି ସାହସୀ । ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାରଙ୍କ ବିଶ୍ୱ ଜୟଯାତ୍ରାକୁ ବର୍ଷ ବର୍ଷ ଧରି ଏମାନେ ରୋକି ଦେଇଥିଲେ । ଭାରତୀୟ ଇତିହାସରେ ନିନ୍ଦିତ ତୈମୁରଲଙ୍ଗ ଏଠାକାର ସୁପର ହିରୋ । କିନ୍ତୁ ଗତ ପ୍ରାୟ ଦୁଇଶହ ବର୍ଷ ଧରି ବିଭିନ୍ନ ଦେଶ ଓ ସାମ୍ରାଜ୍ୟ ଅଧୀନରେ ରହି ୧୯୯୧ ମସିହାରେ ନିଜ ସ୍ୱାଧୀନତା ଫେରି ପାଇଲେ । ସେପ୍ଟେମ୍ବର ୧ ତାରିଖ ଏଠାରେ ସ୍ୱାଧୀନତା ଦିବସ

୬୬

ବିକଳ୍ପ ବିଶ୍ୱ