ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଳନ କରାଯାଏ । କାରଣ, ଏହି ଦିନ ଉଜ୍‌ବେକିସ୍ତାନ ସୋଭିଏତ୍ ୟୁନିଅନଠାରୁ ସ୍ୱତନ୍ତ୍ର ହୋଇ ଯାଇଥିଲା । ଜାନୁଆରି ୨୦୦୮ରୁ ଏ ଦେଶରେ ମୃତ୍ୟୁଦଣ୍ଡ ଉଠାଇ ଦିଆଯାଇଛି । ୪୪୭ ହଜାର ୪୦୦ ବର୍ଗ କିଲୋମିଟର ଅଞ୍ଚଳକୁୁ ନେଇ ଉଜ୍‌ବେକିସ୍ତାନ ପୃଥିବୀର ୫୬ତମ ବୃହତ୍ ରାଷ୍ଟ୍ର । ପେଟ୍ରୋଲ, ପ୍ରାକୃତିକ ଗ୍ୟାସ, କୋଇଲା, ତମ୍ବା, ରୂପା, ସୁନା ଓ ୟୁରାନିୟମ୍ ଭଳି ମୂଲ୍ୟବାନ ଖଣିଜ ସମ୍ପଦରେ ଭରପୂର । ଲୋକସଂଖ୍ୟା ଓଡ଼ିଶାଠାରୁ ପ୍ରାୟ ଏକ କୋଟି କମ୍ । କିନ୍ତୁ ପ୍ରାୟ ସମସ୍ତେ ସାକ୍ଷର - ୯୯.୩% । ଭାରତ ଭଳି ପ୍ରାୟ ସବୁ ବଡ଼ ସହରକୁ ରେଳରାସ୍ତା ରହିଛି । ଆମେ ତାସକେଣ୍ଟରେ ଯେଉଁ ଟ୍ରେନ୍‌ରେ ଯାଉଥିଲୁ ତା ନାଁ ରଖାଯାଇଥିଲା ‘ମୈତ୍ରୀ’ - ଭାରତ ଓ‌ ତତ୍କାଳୀନ ସୋଭିଏତ୍ ୟୁନିଅନ ମଧ୍ୟରେ ଥିବା ମିତ୍ରତାର ପ୍ରତୀକ ଭାବରେ । ଭାରତୀୟମାନଙ୍କପାଇଁ ତାସକେଣ୍ଟର ଅନ୍ୟ ଏକ ଦର୍ଶନୀୟ ସ୍ଥାନ ହେଲା ‘ଲାଲବାହାଦୁର ଶାସ୍ତ୍ରୀ ସଂସ୍କୃତି କେନ୍ଦ୍ର’ । ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ ଏଇଠି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଓ ପାକିସ୍ତାନ ରାଷ୍ଟ୍ରପତି ଆୟୁବ୍ ଖାଁଙ୍କ ମଧ୍ୟରେ ୧୯୬୫ ମସିହାରେ ତାସକେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେଇଦିନ ରାତିରେ ଶାସ୍ତ୍ରୀଜୀ ତାସକେଣ୍ଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆୟୁବ୍ ଖାଁ ଓ କୋସିଜିନ୍ ତାଙ୍କ ମର ଶରୀରକୁ କାନ୍ଧେଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କରି ସ୍ମୃତି ରକ୍ଷାପାଇଁ ଏଠାରେ ଉଭୟ ଭାରତ ଓ ସୋଭିଏତ୍ ନୃତ୍ୟ, ସଙ୍ଗୀତ ଭାଷା ପଢ଼ାଯାଏ । ବର୍ଷସାରା କାର୍ଯ୍ୟକ୍ରମ ଲାଗି ରହିଥାଏ । ଆମେ ଏଠାରେ ପହଞ୍ଚିଲୁ ଦିନ ଏଗାରଟାରେ । ରାସ୍ତାର ଉଭୟ ପଟେ ସଂସ୍କୃତି କେନ୍ଦ୍ରରେ ପଢ଼ୁଥିବା ପିଲାମାନେ ‘ସ୍ୱାଗତମ୍’ ‘ସ୍ୱାଗତମ୍’ କହି ପାଛୋଟି ନେଲେ । କେନ୍ଦ୍ରର ଅଧ୍ୟକ୍ଷା ହିନ୍ଦୀରେ ଏକ ଲମ୍ବା ଭାଷଣ ଦେଇ ଭାରତକୁ ସୋଭିଏତ୍ ୟୁନିଅନର “ସୁଖ-ଦୁଃଖର ସାଥୀ” କହି ବକ୍ତବ୍ୟ ଶେଷ କଲେ । ତାପରେ ଉଜ୍‌ବେକୀ ଝିଅମାନେ ଶାଢ଼ି ପିନ୍ଧି ଯେଉଁ ହିନ୍ଦୀ ଫିଲ୍ମ ଗୀତଟି ଗାଇଲେ ସେଇଟି ତାଙ୍କ ଦେଶରେ ସବୁଠୁ ଲୋକପ୍ରିୟ ଥିଲା - ‘ମେରା ଜୁତା ହେ ଜାପାନୀ, ଏ ପତଲୁନ ଇଂଲିଶସ୍ତାନୀ, ସରପେ ଲାଲ ଟୋପି ରୁଷି ଫିର୍‌ଭି ଦିଲ୍ ହେ ହିନ୍ଦୁସ୍ତାନୀ’ । ଶାଢ଼ି ପିନ୍ଧି ରୁଷି-ଉଜବେକୀ ଝିଅ ଓ ସେମାନଙ୍କ ହିନ୍ଦୀ ଗୀତ ଓ ଭାଷା ଶୁଣି ଲାଗିଲା ସତେ ଯେମିତି ଏ ଦେଶ ସହିତ ଆମର ଯୁଗଯୁଗର ବନ୍ଧନ । ମୋ ପାଖରେ ଥିବା ରୁଷି ଗାଇଡ୍ କହିଲେ - ଭାରତ ଛଡ଼ା ସେ ଆଉ କୋଉଠି ଶାଢ଼ି ଦେଖି ନାହାନ୍ତି । ଏହାର ଲୋକପ୍ରିୟତାର ରହସ୍ୟ କ’ଣ ? ମୁଁ ଉତ୍ତର ଦେଇ କହିଲି “ସ୍ତ୍ରୀଙ୍କ ଶାଢ଼ି ଓ ପୁରୁଷଙ୍କ ଧୋତି ପୃଥିବୀରେ ଏକମାତ୍ର ପୋଷାକ, ଯାହା ସିଲାଇ ହୁଏ ନାହିଁ, ଦର୍ଜି ବିକଳ୍ପ ବିଶ୍ୱ

୬୭