ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବାଡ଼ି ଚାଷ, ବ୍ରେଡ୍ ଓ ଫୁଟବଲ୍

ଫରଘନା, ବୁଖାରା, ସମରକନ୍ଦ ଯାତ୍ରା ସାରି ଆମେ ଫେରୁଥିଲୁ ‘ମୈତ୍ରୀ ରେଳଗାଡ଼ିରେ ତାସକେଣ୍ଟକୁ । ସେତେବେଳକୁ ସୋଭିଏତ୍ ୟୁନିଅନ୍‌ରେ ୨୦ ଦିନ ବିତି ଯାଇଥାଏ, କିନ୍ତୁ ତାସକେଣ୍ଟରେ ପହଞ୍ଚିଲା ଦିନ ମୋ ସ୍ତ୍ରୀଙ୍କୁ ଯେଉଁ ପତ୍ର ଲେଖିଥିଲି ତାହା ୨୦ ଦିନ ପରେ ମଧ୍ୟ ଭାରତରେ ପହଞ୍ଚି ନଥାଏ । ରେଳ କୋଚ୍‌ରେ ଆମ ସାଥିରେ ଥାନ୍ତି ଜଣେ ଋଷୀୟ ପ୍ରଫେସର ପାନ୍କୋଭ୍ ଓ ଜଣେ ଅନୁବାଦକ । ତାଙ୍କୁ ପଚାରିଲି ଏଆର୍ ମେଲ୍‌ରେ ପଠାଇଥିବା ମୋ ଚିଠିକୁ ତିନି ସପ୍ତାହ ହେଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ଘରେ ପହଞ୍ଚି ନାହିଁ । ସେ କହିଲେ ଆଉ ତିନି ସପ୍ତାହ ଲାଗିବ, କାରଣ ଆପଣ କ’ଣ ସବୁ ଲେଖିଛନ୍ତି, ଚିଠି ଖୋଲି ଆମ ଡାକ ବିଭାଗ ଆଗ ଯାଞ୍ଚ କରିବେ । ଆଗରୁ ସୋଭିଏତ୍ ୟୁନିଅନ୍‌କୁ “ଆଇରନ୍ କର୍ଟେନ୍” (ଲୌହ ପରଦା) ଓ ଚୀନ୍‌କୁ ‘ବାମ୍ବୁ ପରଦା’ର ଦେଶ କୁହାଯାଉଥିବା କଥା ଶୁଣିଥିଲି - ଏବେ ଅଙ୍ଗେ ନିଭେଇଲି । କାରଣ ମୁଁ ଘରକୁ ଯେଉଁ ଚିଠି ପଠାଇଥିଲି, ଛଅ ସପ୍ତାହ ପରେ ଓ ଭାରତ ଫେରିବାର ଏକ ସପ୍ତାହ ପରେ ସେ ଚିଠି ଦିଲ୍ଲୀରେ ପହଞ୍ଚିଥିଲା । ଉଜ୍‌ବେକିସ୍ତାନରେ ଯେଉଁଠି ଯେଉଁଠି ରହିଥିଲୁ ଓ ସଭା, ଉତ୍ସବରେ ଯୋଗ ଦେଇଥିଲୁ, ସବୁଠି ଜଣେ ଋଷୀୟ ଆମ ସାଙ୍ଗରେ ଥିଲେ ଏବଂ ବିଭିନ୍ନ ନିଷ୍ପତ୍ତିପାଇଁ ଲୋକେ ତାଙ୍କୁ ଅପେକ୍ଷା କରୁଥିଲେ । ଏହା ଥିଲା ସେତେବେଳର ସରକାରଙ୍କ ନୀତି । ଋଷୀୟ ଗୁପ୍ତଚର ସଂସ୍ଥା କେ.ଜି.ବି. ସମସ୍ତଙ୍କ ଉପରେ ନଜର ରଖିଥାନ୍ତି । ବିଦେଶୀ ଲୋକେ ରହୁଥିବା ହୋଟେଲ୍‌ରେ ବି ସେନ୍ସର ଲଗାଯାଇଥାଏ । ସେତେବେଳର ସବୁ ମିଡିଆ ଥିଲା ସରକାରୀ, ସବୁ ଅଫିସରମାନେ କମ୍ୟୁନିଷ୍ଟ ପାର୍ଟିର ଲୋକ । ସୋଭିଏତ୍ ୟୁନିଅନ୍ ଭୁଶୁଡି ପଡ଼ିବାର ଏହା ଏକ ପ୍ରଧାନ କାରଣ ଥିଲା ।

ବିକଳ୍ପ ବିଶ୍ୱ

୬୯