ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାବ୍‌ଲୋଭ୍‌ଙ୍କୁ ସେଠାକାର ଉଚ୍ଚ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରିଲି । କହିଲେ ଆମ ବିଶ୍ୱବିଦ୍ୟାଳୟ, ମେଡିକାଲ, ଇଞ୍ଜିନିୟରିଂ ଅନୁଷ୍ଠାନମାନଙ୍କରେ ଛାତ୍ର ଅଭାବ, ତେଣୁ କମ୍ପିଟିସନ୍ ଓ କ୍ୱାଲିଟି ନାହିଁ । ମୁଁ କହିଲି ଆମ ଦେଶରେ ତ ପାଞ୍ଚ ହଜାର ଛାତ୍ରଙ୍କ ମଧ୍ୟରୁ ଜଣେ ଆଇଆଇଟିରେ ସିଟ୍ ପାଆନ୍ତି । କହିଲେ “ଆମ ଦେଶରେ ସେକେଣ୍ଡାରୀ ଶିକ୍ଷା ପରେ ସବୁ ପିଲାଙ୍କପାଇଁ ଚାକିରି ବ୍ୟବସ୍ଥା ସୁରକ୍ଷିତ ଏବଂ ଜଣେ ମାଟ୍ରିକ୍ ଓ ଇଞ୍ଜିନିୟରିଂ ବା ଡାକ୍ତରଙ୍କ ଦରମାରେ ବିଶେଷ ଆଖିଦୃଶିଆ ପ୍ରଭେଦ ନାହିଁ । ତେଣୁ ୨୦୦ ରୁବଲ ଅଧିକ ପାଇବାପାଇଁ ଅନେକ ପିଲା ଆଉ ଅଧିକା ପାଞ୍ଚବର୍ଷ ପଢ଼ିବାକୁ ରାଜି ହୁଅନ୍ତି ନାହିଁ । ଏକ ସାମ୍ୟବାଦୀ ଦେଶ ହୋଇଥିବାରୁ ଏଠାରେ ବିଭିନ୍ନ ସ୍ତରରେ କାମ କରୁଥବା ଲୋକଙ୍କ ଦରମାରେ ବିଶେଷ ଫରକ, ନୀତି ବିରୁଦ୍ଧ । ସବୁ କ୍ଷେତ୍ରରେ ଏହି ରାଜନୈତିକ ଦର୍ଶନର ପ୍ରଭାବ ରହିଛି । ମୁଁ ଜଣେ ପ୍ରଫେସର, କିନ୍ତୁ ବ୍ୟାଚେଲର । ତେଣୁ ଆମ ବିଶ୍ୱ ବିଦ୍ୟାଳୟର ଲାବରେଟୋରୀ ଆଟେଣ୍ଡାଣ୍ଟକୁ ୪ଟି ବେଡ୍‌ରୁମ୍ ମିଳିଥିବା ବେଳେ ମୋ କ୍ୱାର୍ଟରରେ ଦୁଇଟି ବେଡ୍‌ରୁମ୍, କାରଣ ଆଟେଣ୍ଡାଣ୍ଟର ଛ’ଟି ପିଲା, ତାର ଆବଶ୍ୟକତା ମୋଠାରୁ ବେଶୀ । ସେହିପରି ଆମ କମ୍ୟୁନ୍‌ରେ ଦିଇଟି ପରିବାରର ଦୁଇଜଣ ବ୍ୟକ୍ତି ଦିନକୁ ଦଶ ଘଣ୍ଟା ଖଟିଲେ ମଧ୍ୟ ଯାହାଙ୍କର ପିଲା ଅଧିକ ତାଙ୍କୁ ଅଧିକ ଗହମ, ଡାଲି ଓ ପନିପରିବା ମିଳେ ।” ପୁଣି ଅତି ସନ୍ତର୍ପଣରେ ଓ ଚାପା ଗଳାରେ କହିଲେ, ଆମ କମ୍ୟୁନ୍‌ ବ୍ୟବସ୍ଥା ଫେଲ୍ ମାରିଲାଣି । କାରଣ ଲୋକେ ସମାନ ପରିଶ୍ରମ ପାଇଁ ସମାନ ଭାଗ ନ ମିଳିଲେ ମନ ଦେଇ କାମ କରିବାକୁ ରାଜି ହେଉନାହାନ୍ତି । ତେଣୁ ଏବେ ଆମକୁ ବାହାର ଦେଶମାନଙ୍କରୁ ଖାଦ୍ୟ ଶସ୍ୟ ଆମଦାନୀ କରିବାକୁ ପଡ଼ୁଛି । ପୂର୍ବତନ ରାଷ୍ଟ୍ରପତି ନିକିତା କ୍ରୁଶ୍ଚେଭ୍‌ଙ୍କ ସମୟରେ ଓ ତା’ପରେ ଚାଷୀମାନଙ୍କୁ ବଳକା ସମୟରେ ନିଜ ବାଡ଼ିରେ ଚାଷ କରିବା ଓ ତା’ର ସମ୍ପୂର୍ଣ୍ଣ ଆଦାୟ ଓ ବିକ୍ରିର ସ୍ୱାଧୀନତା ମିଳବା ପରେ ଏବେ ଅବସ୍ଥା ସୁଧୁରୁଛି । ଚାଷୀଙ୍କ ନିଜ ବାଡ଼ିର ଉତ୍ପାଦନ କମ୍ୟୁନ୍‌ ଉତ୍ପାଦନଠାରୁ ବହୁ ଅଧିକ ହେଉଛି । ରାସ୍ତାକଡ଼ରେ ବସି ଏବେ ସେମାନେ ଶସ୍ୟ ଓ ପନିପରିବା ବିକି ନିଜ ଆକାଉଣ୍ଟରେ ଲାଭ ପଇସା ରଖିପାରୁଛନ୍ତି । ସାମ୍ୟବାଦ ଏକ ମହାନ୍ ରାଜନୈତିକ ଦର୍ଶନ, କିନ୍ତୁ ବିନା ପ୍ରୋତ୍ସାହନ ଓ ମୋଟିଭେସନ୍‌ରେ କେବଳ ଦର୍ଶନ‌ଦ୍ୱାରା ଉତ୍ପାଦନ ବଢ଼େ ନାହିଁ । କିନ୍ତୁ ସେ ଦେଶରେ ଆମେ ଯୁଆଡ଼େ ଯାଇଛୁ ସବୁଠି ଲୋକେ ଥିଲେ, ସ୍ୱାସ୍ଥ୍ୟବାନ୍, ସାକ୍ଷର ଓ ଏମ୍ପ୍ଲଏଡ୍ । ଏହି କାରଣରୁ ସବୁ କମ୍ୟୁନିଷ୍ଟ ଦେଶରେ ହ୍ୟୁମାନ୍ ଡେଭଲପ୍‌ମେଣ୍ଟ ଇଣ୍ଡିକେଟର ଉଚ୍ଚ ସ୍ତରରେ । ବଞ୍ଚିବାପାଇଁ ସର୍ବନିମ୍ନ ଆବଶ୍ୟକତା ସବୁ ପୂରଣ ହେଉଥିବାରୁ ଏ ଦେଶମାନଙ୍କରେ ଦରିଦ୍ରଙ୍କ ସଂଖ୍ୟା ସବୁଠୁ କମ୍ । ଏହା ସାମ୍ୟବାଦର ଅମୂଲ୍ୟ ଅବଦାନ ।

୭୦ ବିକଳ୍ପ ବିଶ୍ୱ