ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମେ ଯେତେବେଳେ ସୋଭିଏତ୍ ୟୁନିଅନ୍‌ରେ ଥିଲୁ ସେତେବେଳେ ରାଷ୍ଟ୍ରପତି ଥିଲେ ଗୋର୍ବାଚୋଭ୍ - ପରେ ଶାନ୍ତିପାଇଁ ନୋବେଲ ପୁରସ୍କାର ପାଇଲେ । ତାଙ୍କର ନୂଆ ନୀତି ‘ପେରେଷ୍ଟ୍ରାଇକା’ ଓ ‘ଗ୍ଲାସ୍‌ନୋଷ୍ଟ’ ପୃଥିବୀର ସବୁଠୁ ଚର୍ଚ୍ଚିତ ବିଷୟ ଥିଲା । ଗୋର୍ବାଚୋଭ୍ ସୋଭିଏତ୍ ୟୁନିୟନ୍‌ର ଲୁହା ପରଦା ଭାଙ୍ଗି ରାଜନୀତି ଓ ଅର୍ଥନୀତିକୁ ଏକ ନୂଆ ମୋଡ଼ ଓ ରୂପ ଦେଉଥିଲେ ଓ ଏକ ଖୋଲା, ଗଣତାନ୍ତ୍ରିକ ପଦ୍ଧତିର ପକ୍ଷଧର ଥିଲେ । ପାବ୍‌ଲୋଭଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଲେ - ଏହା ପଛରେ ଏକ ବିଶେଷ କାରଣ ରହିଛି । ସେଇଟି ହେଲା : “ଗୋର୍ବାଚୋଭ୍ ଦିନେ କାର୍‌ରେ ବସି ଯାଉଥିବା ବେଳେ ପାଖରେ ଥିବା ଏକ ପଡ଼ିଆରେ ପିଲାମାନେ ଏକ ଚାରିକଣିଆ ବସ୍ତୁକୁ ଫୁଟବଲ୍ କରି ଖେଳୁଥିବା ଦେଖି ଡ୍ରାଇଭରକୁ ଗାଡ଼ି ଅଟକାଇବାକୁ କହିଲେ । ଫୁଟବଲ୍ ତ ଗୋଲ୍, କିନ୍ତୁ ଏ ଚାରିକଣିଆ ଫୁଟବଲ୍ କେଉଁଠୁ ଆସିଲା ? ଆଉ ଟିକେ ପାଖକୁ ଯାଇ ଦେଖିଲେ ସେଇଟି ପ୍ରକୃତରେ ଫୁଟବଲ୍ ନୁହେଁ - ଏକ ବଡ ବ୍ରେଡ୍ । ହାଇ ସବ୍‌ସିଡି ମିଳୁଥିବାରୁ ବ୍ରେଡ୍ ଖୁବ୍ ଶସ୍ତା - ଫୁଟବଲ ମହଙ୍ଗା, ସହଜରେ ସବୁଠାରେ ମିଳେ ନାହିଁ । ତେଣୁ ଖେଳପ୍ରେମୀ ପିଲାଏ ବ୍ରେଡ୍‌କୁ ଫୁଟବଲ୍ କରି ଖେଳୁଥିଲେ । ଏହି ଦୃଶ୍ୟ ଦେଖିଲା ପରେ ଗୋର୍ବାଚୋଭ୍, ସୋଭିଏତ୍ ଅର୍ଥନୀତିରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରେଇଥିଲେ । ଖାଦ୍ୟଶସ୍ୟ ଅଭାବରୁ ବାହାରୁ ଉଚ୍ଚମୂଲ୍ୟରେ ଆମଦାନୀ କରି ତା’ଉପରେ ସବ୍‌ସିଡି ଦେଇ କମ୍ ମୂଲ୍ୟରେ ଖାଉଟିମାନଙ୍କୁ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସପ୍‌ଦ୍ୱାରା ବିକ୍ରି କରାଯାଉଥିବାରୁ ଏହି ଦୋକାନ ସାମ୍ନାରେ ସର୍ବଦା ଶହ ଶହ ଲୋକଙ୍କ ଲାଇନ୍ ଲାଗି ରହୁଥିଲା । ଏହାଛଡା ସାମ୍ୟବାଦ ବିରୋଧୀ ଦେଶଙ୍କ ସହ କ୍ରମାଗତ ପ୍ରତିଯୋଗିତା, ବିବାଦ, ସାମରିକ ପ୍ରସ୍ତୁତି, କ୍ରମାଗତ ଉତ୍ପାଦନ ହ୍ରାସ, ଅସହନୀୟ ବଣ୍ଟନ ପ୍ରଣାଳୀ, ପଲିଟିକାଲ୍ ବ୍ୟୁରୋକ୍ରାସି ଓ କ୍ଷମତା କେନ୍ଦ୍ରୀକରଣ ଫଳରେ ଆମ ଦେଶ ଦୁର୍ବଳ ହୋଇଯାଉଛି ।” ପାବ୍‌ଲୋଭ୍ ପୁଣି କହିଲେ ଏହା ତାଙ୍କର ବ୍ୟକ୍ତିଗତ ସମୀକ୍ଷା ଓ ମତ । ଏବଂ ତାଙ୍କର ଅନେକ ବୁଦ୍ଧିଜୀବୀ ବନ୍ଧୁ ଏହା ସହ ଏକମତ, କିନ୍ତୁ ପାର୍ଟି ଲୋକଙ୍କୁ ଡରି ଚୁପ୍ ରହିଛନ୍ତି । ଆମେ ଭାରତ ଫେରିବାର ୪ ବର୍ଷ ଭିତରେ ଯେତେବେଳେ ସୋଭିଏତ୍ ୟୁନିଅନ୍ ଭାଙ୍ଗି ୧୬ ଭାଗ ହୋଇଗଲା, ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ନଥିଲି ।

ପରବର୍ତ୍ତୀ କାଳରେ ବହୁ ସାମ୍ୟବାଦୀ ଦେଶରେ ମାର୍କ୍ସଙ୍କ ମହାନ୍ ମାନବୀୟ ଦର୍ଶନ ଲୋପ ପାଇଗଲା । ଚୀନ୍‌ରେ ଡେଙ୍ଗ୍‌ସିଆଓ ପେଙ୍ଗ ମାଓ ପ୍ରତିଷ୍ଠିତ ସାମ୍ୟବାଦୀ ଅର୍ଥନୈତିକ ବ୍ୟବସ୍ଥାକୁ ହଟାଇ ଦେଲେ । ତାଙ୍କର ଯୁକ୍ତି ଥିଲା, ବିରାଡ଼ିର ରଙ୍ଗ ଲାଲ ବା ନୁହେଁ ଏତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଖିବାକୁ ହେବ ସେଇ ବିରାଡ଼ିଟି ମୂଷା ଧରି ପାରୁଛି କି ନାହିଁ । ଚୀନ୍‌ରେ ଉଦାରୀକରଣର ବହୁବର୍ଷ ପରେ ଭାରତର ଚେତା ପଶିଲା । ଏବେ

ବିକଳ୍ପ ବିଶ୍ୱ ୭୧