ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତୀୟ ବିରାଡ଼ିମାନଙ୍କୁ ମୂଷା ଧରିବା କୌଶଳ ଶିଖାଯାଉଛି । କେବଳ ଆଦର୍ଶବାଦର ଅନ୍ଧ ଅନୁସରଣରେ ପେଟ ପୂରେ ନାହିଁ । ତେଣୁ ବିଶ୍ୱ ପୃଷ୍ଠରୁ ବଡ଼ ବଡ଼ ଆଦର୍ଶବାଦ ଲୋପ ପାଇଯାଉଛି । ପ୍ରତ୍ୟେକ ଦେଶ ନିଜର ବାସ୍ତବ ପରିସ୍ଥିତିକୁ ବିଚାରକୁ ନେଇ ସେଇ ମୂଳଦୁଆ ଉପରେ ଆଦର୍ଶର ମିନାର ଗଢ଼ିଲେ ତାହା ସହଜରେ ଭୁଶୁଡ଼ିବ ନାହିଁ । ଭାରତୀୟ ସାମ୍ୟବାର ମଞ୍ଜି ବେଦ ଓ ଉପନିଷଦରେ ଭରି ରହିଛି । ଏହି ଆଧାର ଉପରେ ମାର୍କସ୍, ମାଓ ଓ ଲେନିନ୍‌ଙ୍କ ବିଚାରଧାରାକୁ ବୁଝିବାକୁ ପଡ଼ିବ । ମନେ ମନେ ଭାବୁଥିଲି, ସାମ୍ୟବାଦକୁ ସତ୍ୟ ଓ ଅହିଂସାର କବଚ ପିନ୍ଧାଇ ଦେଇଥିଲେ ଏ ଦେଶ ପ୍ରକୃତରେ ମହାଶକ୍ତି ହୋଇପାରିଥାନ୍ତା ।

ଆମ ଭାରତ ଫେରିବାର ପୂର୍ବଦିନ ଭାରତୀୟ ଦଳକୁ ଏକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତା’ ପୂର୍ବରୁ ତାସକେଣ୍ଟର ମେୟର ମତେ ଏକ ସରକାରୀ ସୁପରବଜାରକୁ ନେଇଯାଇ କହିଲେ ଏଠାରେ ଯେଉଁସବୁ ଜିନିଷ ଆପଣଙ୍କ ପସନ୍ଦ ବାଛନ୍ତୁ । ସେ ସବୁ ଆମେ ଉପହାର ଭାବରେ ଆପଣଙ୍କୁ ଦେବୁ । ମନେ ମନେ ଭାବିଲି, ଯଦି ଏ ପ୍ରସ୍ତାବରେ ରାଜି ହୋଇଯିବି, ଏ ଦେଶ ଲୋକେ ଭାବିବେ ଭାରତୀୟମାନେ ଭାରି ଲୋଭୀ । ତେଣୁ ତାଙ୍କୁ କହିଲି, ବହୁତ ଧନ୍ୟବାଦ, ଆପଣମାନଙ୍କର ଭାରତ ପ୍ରତି ଏମିତି ସ୍ନେହ ଓ ସଦିଚ୍ଛା ରହିଥାଉ, ସେଇ ହେଉଛି ଆମର ପ୍ରକୃତ ଉପହାର ।

୧ ମେ, ୨୦୦୮

୭୨ ବିକଳ୍ପ ବିଶ୍ୱ