ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀମାନ୍ ଟଏଲେଟ୍, ଶ୍ରୀମତୀ ପାଇଖାନା

ଦକ୍ଷିଣ କୋରିଆବାସୀ ସିମ୍-ଯେ-ଡକ୍ ଏବେ ତାଙ୍କ ଦେଶରେ ମିଷ୍ଟର ଟଏଲେଟ୍ ବା ପାଇଖାନା ଭାବରେ ସୁପରିଚିତ । ଗତ ଦଶବର୍ଷ ହେଲା ସେ ଜୀବିକାପାଇଁ ନୁହେଁ, ନିଜର ଆନନ୍ଦପାଇଁ ଦେଶର ସାର୍ବଜନୀନ ଶୌଚାଳୟଗୁଡ଼ିକୁ ସୁନ୍ଦର ଭାବରେ ସଜାଇବା କାମରେ ବ୍ୟସ୍ତ ଅଛନ୍ତି ଏବଂ ନିଜେ ରହିବାପାଇଁ ଆଧୁନିକ ପାଇଖାନା ଭଳି ଡିଜାଇନ୍‌ର ଏକ ଦି’ମହଲା ଘର ତୋଳିଛନ୍ତି । ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଶୌଚାଳୟ ସଚେତନତା ବଢ଼ାଇବା ବିଶ୍ୱ ଟଏଲେଟ୍ ଆସୋସିଏସନ୍ ଏହାକୁ ଏକ ଆଦର୍ଶ ପଦକ୍ଷେପ ଭାବେ ସ୍ୱୀକାର କରି ନିକଟରେ ସିଓଲରେ ଅନୁଷ୍ଠିତ ବିଶ୍ୱ ଟଏଲେଟ୍ ସମ୍ମିଳନୀରେ ପ୍ରଶଂସା କରିଛନ୍ତି ଓ ତାଙ୍କୁ ସମ୍ମିଳନୀର ସଭାପତି ମନୋନୀତ କରିଛନ୍ତି । ଏହି ସମ୍ମିଳନୀରେ ନଭେମ୍ବର ୧୯ ତାରିଖକୁ ବିଶ୍ୱ ଟଏଲେଟ୍ ଦିବସ ଭାବରେ ପାଳନ କରିବାପାଇଁ ଭାରତୀୟ ପ୍ରତନିଧିମାନେ ପ୍ରସ୍ତାବ ରଖିଛନ୍ତି ।

ପୃଥିବୀରେ ଅଡ଼େଇଶହ କୋଟି ଲୋକ ପାଣି ଓ ପାଇଖାନା ସୁବିଧାରୁ ବଞ୍ଚିତ । ତେଣୁ ଗତ ନଭେମ୍ବର ଏକୋଇଶରୁ ପଚିଶ; ଏଇ ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଷାଠିଏଟି ଦେଶର ତେରଶହ ପ୍ରତିନିଧି ଏକ ଟଏଲେଟ୍ ବା ପାଇଖାନା ଆନ୍ଦୋଳନ ଓ ଅଭିଯାନପାଇଁ ସରକାର ଓ ନାଗରିକ ସମାଜକୁ ଆହ୍ୱାନ ଦେଇଛନ୍ତି । ସମ୍ମିଳନୀ ପରିସର ମଧ୍ୟରେ ବିଭନ୍ନ ପ୍ରକାରର ଓ ରଙ୍ଗ ବେରଙ୍ଗର ଆକର୍ଷଣୀୟ ପାଇଖାନା ପ୍ରଦର୍ଶନୀ ଖୋଲାଯାଇଛି । ଛୋଟ ପିଲାମାନଙ୍କୁ ଆକୃଷ୍ଟ କରିବାପାଇଁ ବିସ୍କୁଟ୍, ଚକ୍‌ଲେଟ୍, କାଣ୍ଡିରେ ତିଆରି ଟଏଲେଟ୍ ରଖାଯାଇଛି ଓ ଠିକ୍ ଭାବରେ ଫ୍ଲସ୍ କରିପାରୁଥିବା ପିଲାଙ୍କୁ ଉପହାର ଭାବରେ ତାହା ଦିଆଯାଉଛି । ବଡ଼ଙ୍କପାଇଁ ଏକ ଟଏଲେଟ୍ ‘ଗ୍ୟାଲେରୀ କାଫେ’ରେ ବସି ମାଗଣା ଚା’ପାନର ବ୍ୟବସ୍ଥା ହୋଇଛି । ଉନ୍ନତ ଡିଜାଇନ୍‌ର ଏ ଟଏଲେଟ୍‌ରେ ବସିଲେ ଶରୀରରେ ଥିବା ବାକ୍ଟେରିଆ ଓ ବ୍ଲଡ୍ ସୁଗାର ଲେଭେଲ ଜଣାପଡ଼ୁଛି ।

ବିକଳ୍ପ ବିଶ୍ୱ

୭୩