ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ପ୍ରସଙ୍ଗରେ ୨୦୦୦ ମସିହା ଶେଷ ଭାଗରେ ବିଖ୍ୟାତ ମାଗାଜିନ୍ ‘ଫୋକସ୍’ଦ୍ୱାରା କରାଯାଇଥିବା ଏକ ବିଶ୍ୱବ୍ୟାପୀ ଅନୁଧ୍ୟାନ ଉଲ୍ଲେଖଯୋଗ୍ୟ । ଏଇ ସର୍ଭେରେ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଏବଂ ବିଭିନ୍ନ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ଏକ ହଜାର ନମୁନା ବଛା ଯାଇଥିଲା । ସେମାନଙ୍କ ଭିତରେ ଥିଲେ ବୈଜ୍ଞାନିକ, ଗବେଷକ, ଅଧ୍ୟାପକ, ସମାଜସେବୀ, ମ୍ୟାନେଜର, ବ୍ୟାଙ୍କର୍, ଶ୍ରମଜୀବୀ, କୃଷକ ଓ ଗରିବ ଶ୍ରେଣୀର ଲୋକେ । ପ୍ରତ୍ୟେକଙ୍କୁ କୁହାଯାଇଥିଲା, ଗତ ଦୁଇଶହ ବର୍ଷ ଭିତରେ ମାନବ ସଭ୍ୟତାର ବିକାଶ ଯାତ୍ରା ତ୍ୱରାନ୍ୱିତ କରିଥିବା ଶହେଟି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉଦ୍ଭାବନକୁ ନେଇ ପ୍ରାଥମିକତା ଭିତ୍ତିରେ ଏକ ତାଲିକା ପ୍ରସ୍ତୁତ କରି ପଠାଇବାପାଇଁ । ଏହି ଅନୁଧ୍ୟାନର ନାମ ଥିଲା ‘ହଣ୍ଡେ୍ରଡ୍ ଇନ୍‌ଭେନ୍‌ସନ୍ ଦ୍ୟାଟ୍ ଚେଂଜଡ୍ ଦି ୱାର୍ଲଡ’ । ଏହି ପ୍ରଶ୍ନ ପତ୍ରର ଉତ୍ତର ସବୁ ସଂକଳନ, ସଂଗ୍ରହ ଓ ବିଶ୍ଲେଷଣ ପୂର୍ବରୁ ଅନେକ ଭାବିଥିଲେ, ଶହେଟି ଉଦ୍ଭାବନରୁ ହୁଇଲ୍ ବା ଚକ୍ର କିମ୍ବା ଫାୟାର୍ ବା ଅଗ୍ନି ବୋଧେ ପ୍ରଥମ ସ୍ଥାନ ଅଧିକାର କରିବ । ଆଉ କେହି କେହି ଭାବିଥିଲେ କମ୍ପ୍ୟୁଟର ବା ଆଣବିକ ଶକ୍ତି ପ୍ରଥମ ସ୍ଥାନ ଅଧିକାର କରିପାରନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସର୍ବେକ୍ଷଣର ଉତ୍ତର ଦେଇଥିବା ଅଧିକାଂଶ ବ୍ୟକ୍ତି ଆଧୁନିକ ଟଏଲେଟ୍ ସିଷ୍ଟମ୍‌କୁ ଉଦ୍ଭାବନ ମଧ୍ୟରେ ସର୍ବପ୍ରଥମ ସ୍ଥାନ ଦେଇଥିଲେ । କମ୍ପୁ୍ୟଟର ଦ୍ୱିତୀୟ ଓ ପ୍ରିଣ୍ଟିଙ୍ଗ୍ ମେସିନ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଣବିକ ଶକ୍ତି ରହିଲା ବତିଶ ନମ୍ବରରେ । ରେଫ୍ରିଜେରେଟର, ମାଇକ୍ରୋଓଭେନ୍ ଓ ଟଫ୍ଲନ୍ ଯଥାକ୍ରମେ ୧୨, ୮୮ ଓ ୯୫ । କଫି ଥିଲା ସବା ଶେଷ ସ୍ଥାନରେ (୧୦୦ତମ), ଲୋକପ୍ରିୟ ଚା ନିଜ ସ୍ଥାନ ହରାଇଥିଲା ।

ନିଆଁ, କୃଷି, ଛାପାଖାନା ଓ ଚକ ନିଶ୍ଚିତ ଭାବରେ ମାନବ ସଭ୍ୟତାର ଅଭୁ୍ୟୟରେ ଗରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ । କିନ୍ତୁ ଆଧୁନିକ ଶୌଚାଳୟ, ନର୍ଦ୍ଦମା ଓ ଆବର୍ଜନା ନିଷ୍କାସନ ବ୍ୟବସ୍ଥା ଆମକୁ ସଭ୍ୟଜଗତରେ ପ୍ରବେଶ କରିବାର ପ୍ରଥମ ଦ୍ୱାର ଭାବରେ କାମ କରିଛି । କୋଟି କୋଟି ଲୋକଙ୍କୁ ମୁଣ୍ଡରେ ମଇଳା ବୋହିନେବା ଅପମାନ ଓ ଲଜ୍ଜାରୁ ମୁକ୍ତି ପ୍ରଦାନ କରି ଏକ ନିର୍ମଳ ନିରୋଗ ପରିବେଶ ଗଢ଼ିବାରେ ସାହାଯ୍ୟ କରିଛି । ଗରିବ ଶ୍ରେଣୀ ଓ ଗ୍ରାମାଞ୍ଚଳର ମହିଳାମାନେ ଶୌଚାଳୟ ଅଭିଯାନ ଦ୍ୱାରା ବିଶେଷ ଭାବରେ ଉପକୃତ ହେଉଛନ୍ତି । ପାଣି ଓ ଶୌଚ ବ୍ୟବସ୍ଥାର ଅଭାବ ଗ୍ରାମାଞ୍ଚଳରେ ରୋଗ ଓ ମୃତ୍ୟୁର ପ୍ରଧାନ କାରଣ । ପ୍ରତିବର୍ଷ ଅଠର ଲକ୍ଷ ଲୋକଙ୍କର ମୃତ୍ୟୁ ଏହି କାରଣରୁ ହୁଏ । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ।

୭୪

ବିକଳ୍ପ ବିଶ୍ୱ