ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକଙ୍କୁ ଶେଷ କରିଦେବ, ଅସଭ୍ୟତାର ଆଉ ଏକ ରୂପ । ଭାରତରେ ସାମ୍ପ୍ରଦାୟିକ ଦଙ୍ଗା, ଜାତିଗତ କଳହ, ଧର୍ମବିବାଦର ଅନ୍ତ ନାହିଁ । ଜର୍ମାନୀରେ ହିଟଲର ଓ ରୁଷିଆରେ ଷ୍ଟାଲିନ୍‌ଙ୍କ ଗଣହତ୍ୟା ପରମ୍ପରା ଅନ୍ୟ ଦେଶମାନଙ୍କରେ ଚାଲୁ ରହିଛି । ନୂଆ ଉତ୍ତରାଧିକାରୀଙ୍କ ସଂଖ୍ୟା ବଢ଼ୁଛି ।

ଭାରତ ପାକିସ୍ଥାନ ବିଭାଜନ ପରେ ସାମ୍ପ୍ରଦାୟିକ ଅସଭ୍ୟତା କମିଲା ନାହିଁ, ବଢ଼ିଲା । ସ୍ୱଧର୍ମାବଲମ୍ବୀଙ୍କ ମଧ୍ୟରେ ଲଢେଇ ହୋଇ ଇସଲାମିକ୍ ପାକିସ୍ଥାନ ଦୁଇ ଫାଳ ହୋଇଗଲା । ଏବେ ବର୍ମାରେ ଏକଛତ୍ରବାଦୀମାନେ ତାଙ୍କ ସହ ଏକମତ ହେଉନଥିବା ସାଧୁସନ୍ଥମାନଙ୍କୁ ମାରିବାରେ ଲାଗିଲେଣି । ସାଉଦିଆରବର “କାଟିଫ୍” ସହରର ଜଣେ ୨୦ ବର୍ଷ ମହିଳାଙ୍କୁ ସାତ ଜଣ ପୁରୁଷ ଧର୍ଷଣ କରିବା ପରେ ସୁପ୍ରିମ୍‌କୋର୍ଟ ଧର୍ଷିତା ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇଶହ ଥର ପ୍ରହାର ଓ ଛଅମାସ ଜେଲ୍‌ଦଣ୍ତ ଦେଇଛନ୍ତି । ଚୀନ୍ ଦେଶର ଧର୍ମ ଓ ସମ୍ପ୍ରଦାୟ ମନ୍ତ୍ରଣାଳୟ ଏବେ ପାଞ୍ଚ ନମ୍ବର ସର୍କୁଲାର ଜାରି କରିଛନ୍ତି, ତିବ୍ଦତୀୟ ଧାର୍ମିକ ବିଶ୍ୱାସକୁ ନିୟନ୍ତ୍ରଣ ଓ ଦମନ କରିବା ପାଇଁ । ଏହି ଆଦେଶ ଅନୁସାରେ ପୁନର୍ଜନ୍ମପାଇଁ ଓ ଅବତାର ଗ୍ରହଣପାଇଁ ଆଗରୁ ଧର୍ମ ମନ୍ତ୍ରଣାଳୟକୁ ଦରଖାସ୍ତ ଦେଇ ପରମିସନ୍ ନେବାକୁ ପଡ଼ିବ ।

ଭାରତୀୟ ପୋଲିସ୍ ନିଜର ଅସଂଯତ ଆଚରଣପାଇଁ ବିଶ୍ୱବିଖ୍ୟାତ । ଏସବୁ ହେଲା ସରକାରୀ ଅସଭ୍ୟତାର ରୂପ । ଭାରତୀୟ ଚିତ୍ର ତାରକା ଶିଳ୍ପା ସେଟ୍ଟୀଙ୍କ ପ୍ରତି ଜଣେ ଅନାମଧେୟ ମଡେଲ ‘ରିଏଲଟି ଶୋ’ରେ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିବାଯୋଗୁଁ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ କ୍ଷମା ମାଗିଲେ । କିନ୍ତୁ ୧୮୫୭ ମସିହାରେ ଭାରତରେ ଯେଉଁ ବ୍ରିଟିଶ ସୈନିକମାନେ ନିଜ ଦେଶପାଇଁ ପ୍ରାଣବଳି ଦେଇଥିଲେ, ସେମାନଙ୍କ ସମାଧିରେ ଫୁଲ ଚଢାଇବାକୁ ଆସିଥିବା ତାଙ୍କ ବଂଶଧରମାନଙ୍କୁ ଲକ୍ଷ୍ନୌ ଓ କାନପୁରର ଲୋକେ ଦୁର୍ବ୍ୟବହାର କରି ଘଉଡ଼ାଇ ଦେଲେ । କିଏ ସଭ୍ୟ ଓ କିଏ ଅସଭ୍ୟ ? ନେତା ଓ ମିଡିଆ - ଉଭୟ ଚୁପ୍ ରହିଲେ, ସିଭିଲ୍ ସୋସାଇଟି ମୁହଁ ଖୋଲିଲା ନାହିଁ । ମୃତ ପୂର୍ବପୁରୁଷ ଓ ସ୍ୱଜନଙ୍କ ସମାଧିକୁ ସମ୍ମାନ କରି ନ ପାରି, ପିଲାମାନେ ଗଭୀର ମର୍ମବ୍ୟଥା ନେଇ ସ୍ୱଦେଶକୁ ବାହୁଡ଼ି ଗଲେ । ଏହାଛଡା ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ବିଶୃଙ୍ଖଳତା ଓ ଅସଭ୍ୟତାର ହିସାବ ନାହିଁ । ଧାର୍ମିକ ସ୍ଥାନମାନଙ୍କରୁ ବଡ ମାଇକ୍ ଲଗାଇ ପ୍ରଚାର, ବାଜା, ବାଣ ଓ ମଦ୍ୟପାନ ସହ ଶୋଭାଯାତ୍ରା, ରାସ୍ତାରୋକ, ଉଚ୍ଚସ୍ୱର ଓ ଅଶ୍ଲୀଳ ଭାଷା, ବହୁ ଆଡ଼ମ୍ବରପୂର୍ଣ୍ଣ ବିକଟ ବିବାହ ଉତ୍ସବ ଓ ପାଟିତୁଣ୍ଡ, ରାସ୍ତା ଉପରେ, କଡ଼ରେ ମଳମୂତ୍ର ତ୍ୟାଗ, ଅଳିଆ ଫୋପାଡ଼ିବା, ଗୁରୁଜନଙ୍କ ପ୍ରତି ଦୁର୍ବ୍ୟବହାର, ବୟସ୍କ ମହିଳା

୮୦ ବିକଳ୍ପ ବିଶ୍ୱ