ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘୋଡ଼ା, ଗଧଙ୍କ ପ୍ରତି କ୍ରୂରତା ଆମ ବିବେକକୁ ଦଂଶନ କରେ ନାହିଁ । ପ୍ରଭୁ ଶ୍ରୀରାମ ପଶୁଙ୍କ ସାହାଯ୍ୟରେ ଲଙ୍କା ଜୟ କରି ମା’ ସୀତାଙ୍କୁ ଉଦ୍ଧାର କରିଥିଲେ । ମହାତ୍ମା ଗାନ୍ଧି ଗାଈ ଓ ଛେଳିଙ୍କୁ ଅତ୍ୟନ୍ତ ନିରୀହ, ସଭ୍ୟ, ତ୍ୟାଗୀ ଓ ଧୈର୍ଯ୍ୟଶାଳୀ ପ୍ରାଣୀ ବୋଲି ଲେଖିଛନ୍ତି । ଆବ୍ରାହମ ଲିଙ୍କନଙ୍କ ମତରେ କେଉଁ ମଣିଷ କେତେ ସଭ୍ୟ, ତାହା ପଶୁ ପ୍ରତି ତାଙ୍କର ବ୍ୟବହାରରୁ ଜଣାପଡ଼େ । ବ୍ୟାଧ ଶରବିଦ୍ଧ ପକ୍ଷୀ ଯୁଗଳଙ୍କ ବ୍ୟଥାରେ ଅଭିଭୂତ ହୋଇ ମହର୍ଷି ବାଲ୍ମିକୀ ରାମାୟଣ ମହାକାବ୍ୟ ଲେଖିଥିଲେ । ମିଲଟନ୍, ସେଲି, ନିଉଟନ୍, ବର୍ଣ୍ଣାଡ୍ ଶ’ଙ୍କଠାରୁ ଆରମ୍ଭ କରି ମେନକା ଗାନ୍ଧୀ, ଅମିତାଭ ବଚନଙ୍କ ପର୍ଯ୍ୟନ୍ତ - ଶାକାହାର ଓ ପଶୁରକ୍ଷା ସପକ୍ଷରେ ଜନଚେତନା ଜାଗ୍ରତ କରିଆସିଛନ୍ତି । ଶୁଣାଯାଏ ବିଲ୍ ଓ ହିଲାରି କ୍ଲିଣ୍ଟନ୍‌ଙ୍କ ଝିଅ ଚେଲ୍‌ସି ୧୧ ବର୍ଷ ପିଲା ଅବସ୍ଥାରେ ମାଂସ ନ ଖାଇବାପାଇଁ ପରିବାର ଭିତରେ ବିଦ୍ରୋହ କରିଥିଲେ ।

ମାନବ ସଭ୍ୟତାର ବିକାଶରେ ପଶୁମାନଙ୍କ ଯୋଗଦାନ ସବୁଠୁ ଅଧିକ । ପ୍ରାଚୀନ କାଳରେ କୃଷିଠାରୁ ଆରମ୍ଭ କରି ଏବେକାର ନୂଆ ନୂଆ ପ୍ରାଣରକ୍ଷାକାରୀ ଔଷଧ ତିଆରି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପଶୁମାନଙ୍କ ତ୍ୟାଗ ସବୁଠୁ ବେଶୀ । ଚାଷବାସରେ ପଶୁଙ୍କ ସାହାଯ୍ୟ ଭୁଲି ଆମେ ଏବେ ପଇସାପାଇଁ ପଶୁ ଚାଷରେ ଲାଗିଲେଣି । ପ୍ରତିିଦିନ ପୃଥିବୀ ପୃଷ୍ଠରୁ ପାଞ୍ଚ ପ୍ରକାର ପଶୁ, ପକ୍ଷୀ, ପତଙ୍ଗ ସବୁଦିନପାଇଁ ନିଶ୍ଚିହ୍ନ ହୋଇ ଯାଉଛନ୍ତି । ଏବେ ଶବ ଖାଇବାପାଇଁ ଶାଗୁଣା ନାହାନ୍ତି, କିନ୍ତୁ ଗଳି ଗଳିରେ ଛାଲ ଉତାରି ଲଟକା ଯାଇଥିବା ମୁର୍ଦାର ଚାରିପଟେ ମଣିଷଙ୍କ ଭିଡ଼ ବଢ଼ିବାରେ ଲାଗିଛି । ତେଣୁ ‘କୁକୁରକୁ ସାବଧାନ’ ଭଳି ପ୍ରତି ପଶୁଙ୍କ ବେକରେ ‘ମଣିଷକୁ ସାବଧାନ’ ସାଇନ୍ ବୋର୍ଡ ଝୁଲାଇଲେ ଭଲ ହୁଅନ୍ତା । ଶୂଲିଆ ସଂସ୍କାର ମଞ୍ଚ ଭଳି ଅନୁଷ୍ଠାନମାନଙ୍କ ସଂଖ୍ୟା ବଢ଼ିଲେ ପଶୁମାନଙ୍କ ପ୍ରତି ବିପଦ କମିବ, ମଣିଷ ମଧ୍ୟରେ ଥିବା ସୁପ୍ତ ଚେତନା ଓ ବିବେକ ଜାଗ୍ରତ ହେବ ।

୨୪ ଜାନୁଆରୀ, ୨୦୦୮

ବିକଳ୍ପ ବିଶ୍ୱ ୮୭