ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଜନସଂଖ୍ୟା ନା ଜନଶକ୍ତି ?

ଜନ-ଗଣନା କମିଶନ୍ ଆଜିଠାରୁ କୋଡ଼ିଏ ବର୍ଷ ପରେ ଭାରତର ଜନସଂଖ୍ୟା କେତେ ହେବ ସେ ସମ୍ପର୍କରେ ଏକ ପୂର୍ବାନୁମାନ କରିଛନ୍ତି । ଏହି ହିସାବ ଅନୁସାରେ ୨୦୨୬ ମସିହା ବେଳକୁ ଆମ ଦେଶର ଜନସଂଖ୍ୟା ଆଉ ତିରିଶ କୋଟି ବଢ଼ି ୧୪୦ କୋଟିରେ ପହଞ୍ଚିବ । ଓଡ଼ିଶାର ଜନସଂଖ୍ୟା ମଧ୍ୟ ଆସନ୍ତା କୋଡିଏ ବର୍ଷ ଭିତରେ ପ୍ରାୟ ୮୦ ଲକ୍ଷ ବଢ଼ି ଚାରି କୋଟି ୫୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ତେବେ ଜନସଂଖ୍ୟାର ସାମୂହିକ ବୃଦ୍ଧି ଘଟିଲେ ମଧ୍ୟ ଏହି ବୃଦ୍ଧିର ହାରରେ ବ୍ୟାପକ ପରିବର୍ତ୍ତନ ଦେଖାଦେବ । କ୍ରମେ ଶିଶୁ ଜନ୍ମହାର କମିଯିବ । ବୁଢ଼ାବୁଢ଼ୀଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଯିବ । ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଆଜିଠାରୁ ଗ୍ରହଣ କରାନଗଲେ ମାରାତ୍ମକ ଏଡ୍‌ସ ବେମାରୀ ମହାମାରି ରୂପ ଧାରଣ କରିବ । ସ୍ତ୍ରୀ ଓ ଯୁବ ବୟସର ଲୋକେ ଏହାର ଶିକାର ହେବେ ।

ଜନସଂଖ୍ୟାରେ ଯୁବକ ଯୁବତୀଙ୍କ ସଂଖ୍ୟା କମିଗଲେ ତା’ର ପରିଣାମ ସ୍ୱରୂପ ଶିଶୁମାନଙ୍କ ସଂଖ୍ୟା ମଧ୍ୟ କମିଯିବ । ଏହାର ପ୍ରଭାବ ଓଡ଼ିଶାର ପ୍ରାଥମିକ ଶିକ୍ଷା ଅବସ୍ଥା ଉପରେ ପଡ଼ିବ । ଆସନ୍ତା ୩୦-୪୦ ବର୍ଷ ଭିତରେ ଓଡ଼ିଶାର ଏକ ଚତୁର୍ଥାଂଶ ପ୍ରାଥମିକ ବିଦ୍ୟାଳୟ ଓ ‘କିଣ୍ଡରଗାର୍ଟନ’ ପିଲା ଅଭାବରୁ ବନ୍ଦ ହୋଇଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଭାବରୁ ବନ୍ଦ କରିବାକୁ ପଡ଼ିବ । କାରଣ ଏବେ ଓଡ଼ିଶାରେ ୧୪ ବର୍ଷ ବୟସର ଯେଉଁ ଏକ କୋଟି ବାଇଶ ଲକ୍ଷ ପିଲା ଅଛନ୍ତି, ସେହି ସଂଖ୍ୟା ୨୦୨୬ ମସିହାରେ ୨୭ ଲକ୍ଷ କମିଯାଇ ୯୫ ଲକ୍ଷକୁ ଖସି ଆସିବ । ଓଡ଼ିଶାର ଶିକ୍ଷାନୀତି, ଶିକ୍ଷା ଯୋଜନା ବ୍ୟବସ୍ଥା ଦାୟିତ୍ୱରେ ଥିବା ଲୋକେ ଏହି ପରିସ୍ଥିତିର ମୁକାବିଲାକରିବାପାଇଁ ଆଜିଠାରୁ ବିଚାର ଓ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ । ଶିଶୁ ଜନ୍ମହାର କମିବାଫଳରେ କେରଳ ଓ ତାମିଲନାଡ଼ୁ ଭଳି ରାଜ୍ୟରେ ପିଲାମାନଙ୍କପାଇଁ ସ୍ଥାପିତ ଶିଶୁ ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହେଲାଣି ।

୮୮ ବିକଳ୍ପ ବିଶ୍ୱ