ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହାର ବହୁ ଆଗରୁ ୟୁରୋପ, ଆମେରିକା, ଜାପାନ୍, ସିଙ୍ଗାପୁର ଓ ଅନ୍ୟ ବିକଶିତ ଦେଶମାନଙ୍କରେ ଏହି ଅବସ୍ଥା ସୃଷ୍ଟି ହୋଇଛି । ବିଗତ ୨୦ ବର୍ଷ ଭିତରେ ଜାପାନ୍‌ରେ ୪୦୦୦ ସ୍କୁଲ ବନ୍ଦ ହୋଇଗଲାଣି । ସିଙ୍ଗାପୁର କିଣ୍ଡରଗାର୍ଟନଗୁଡକ ପିଲା ଅଭାବରୁ ବନ୍ଦ ହୋଇଯାଉଛି । ପୃଥିବୀ ପ୍ରସିଦ୍ଧ ଜନସଂଖ୍ୟା ବିଶେଷଜ୍ଞ ମାଲ୍‌ଥସ୍‌ଙ୍କ ଥିଓରି ବା ତତ୍ତ୍ୱ ଏବେ ଗଲାଣି ଅଳିଆ ଗଦାକୁ । ମାଲ୍‌ଥସ୍ ଭବିଷ୍ୟବାଣୀ କରିଥିଲେ କି ଅତ୍ୟଧିକ ପିଲା ଜନ୍ମଯୋଗୁଁ ମାନବଜାତି ଅଚିରେ ଧ୍ୱଂସ ପାଇବ । ଏବେ ଓଲଟା ହେଲାଣି । ପିଲା ଜନ୍ମ ନ କରିବାରୁ ମାନବ ସମାଜ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ବୋଲି ଆଶଙ୍କା ହେଲାଣି । ସୁଦୂର ଆମେରିକାରେ ଏବେ ଭାଳେଣି ପଡ଼ିଲାଣି କିପରି ବର୍ତ୍ତମାନର କମି ଆସୁଥିବା ଜନସଂଖ୍ୟାକୁ ସ୍ଥିର ରଖାଯିବ । ଏ ପରିସ୍ଥିତିର ଏକ ମୁଖ୍ୟ କାରଣ ହେଉଛି ଯେ ଏସବୁ ଦେଶରେ ଯୁବକ ଯୁବତୀମାନେ ବହୁ ବିଳମ୍ବରେ ବାହା ହେଉଛନ୍ତି ବା ଆଦୌ ବାହା ହେଉନାହାନ୍ତି । ଘର ସଂସାର, ପିଲାଛୁଆ ଏମାନଙ୍କୁ ବୋଝ ଭଳି ଲାଗୁଛି । ସିଙ୍ଗାପୁର ସରକାର ଏହି ଯୁବବର୍ଗଙ୍କପାଇଁ “ଶୀଘ୍ର ବିବାହ ଓ ଶୀଘ୍ର ସନ୍ତାନ” ନାମକ ଯୋଜନା ପ୍ରଣୟନ କରି ବିବାହପାଇଁ ଆକୃଷ୍ଟ କରୁଛନ୍ତି ।

ସେହିଭଳି ଜାପାନ୍ ସରକାର କ୍ରମାଗତ ଜନ୍ମହାର ହ୍ରାସକୁ ଦେଖି ଚିନ୍ତିତ ହୋଇପଡ଼ିଲେଣି, କାରଣ ଏହା ଫଳରେ ଦେଶର ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଭୁଶୁଡି ପଡ଼ିବ । ଜାପାନ୍ ହେଉଛି ବିଶ୍ୱର ଦ୍ୱିତୀୟ ଅର୍ଥନୈତିକ ମହାଶକ୍ତି । ଜାପାନୀ ପୁରୁଷମାନେ ଦୀର୍ଘ ସମୟ କାମ କରୁଥିବାରୁ ଶିଶୁ ପାଳନରେ ସ୍ତ୍ରୀକୁ ସାହାଯ୍ୟ କରିପାରନ୍ତି ନାହିଁ । ତେଣୁ ଶିଶୁ ପାଳନ ଓ ଘରକାମର ବୋଝକୁ ଡରି ଏବେ ଜାପାନୀ କନ୍ୟାମାନେ ବିବାହ କରିବାକୁ ଚାହୁଁନାହାନ୍ତି ଏବଂ ନିଜର କ୍ୟାରିଅର ପାଇଁ ଏହାକୁ ପ୍ରତିବନ୍ଧକ ବୋଲି ଭାବୁଛନ୍ତି । ଏକଥା ହୃଦୟଙ୍ଗମ କରି ସରକାର ବାହା ହେଉଥିବା ଓ ପିଲା ଜନ୍ମ କରୁଥିବା ମହିଳାଙ୍କୁ ଅଧିକ ଦରମା, ଅଧିକ ଛୁଟି ଓ ଅଧିକ ଇନ୍‌କ୍ରିମେଣ୍ଟର ବ୍ୟବସ୍ଥା କଲେଣି । ଛୋଟ ପିଲାମାନେ ଯେପରି ଦିନରେ ମା’କୁ ଛାଡ଼ି ରହିପାରିବେ ସେଥିପାଇଁ ଅଫିସ୍ ଓ ଘର ପାଖରେ ଶିଶୁ ବିନୋଦନ କେନ୍ଦ୍ରମାନ ଖୋଲାଯାଉଛି ଏବଂ ଏ ସମ୍ପର୍କିତ ସମସ୍ତ ବ୍ୟୟ ସରକାର ବହନ କରୁଛନ୍ତି । ଜାପାନ୍ ଜନସଂଖ୍ୟା ବିଶେଷଜ୍ଞମାନଙ୍କ ମତରେ ଯଦି ସରକାର ଆଜିଠାରୁ ସଜାଗ ନ ହେବେ, ତେବେ ଆସନ୍ତା ୫ ଶହ ବର୍ଷ ଭିତରେ ଦେଶର ଜନସଂଖ୍ୟା ୧୦ କୋଟିରୁ କମି ୧୦ଜଣରେ ପହଞ୍ଚିବ । ଗତ ୨୦ ବର୍ଷ ମଧ୍ୟରେ ଜାପାନ୍‌ର ଜନସଂଖ୍ୟା ଦୁଇ କୋଟି ୭୦ ଲକ୍ଷ କମିଗଲାଣି ।

ବିକଳ୍ପ ବିଶ୍ୱ ୮୯