ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଣା । ଏପର୍ଯ୍ୟନ୍ତ ଆମ ନି ଭାଙ୍ଗୁନି । ସୌରମଣ୍ଡଳର ଏକମାତ୍ର ସଜୀବ ଗ୍ରହ ହେଲା ପୃଥିବୀ । ସୂର୍ଯ୍ୟଙ୍କଠାରୁ ଦୀର୍ଘ ଦୂରତା, ମାଟି ଓ ପ୍ରଚୁର ପାଣି, ନାଇଟ୍ରୋଜେନ୍ ଓ ଅମ୍ଳଜାନପୂର୍ଣ୍ଣ ବାତାବରଣଯୋଗୁଁ ମଣିଷ, ପଶୁପକ୍ଷୀ, କୀଟପତଙ୍ଗ ଓ ବୃକ୍ଷଲତା ଏଠାରେ ବଞ୍ଚି ରହିଛନ୍ତି । ମଣିଷମାନଙ୍କର ଅବିଚାରିତ କ୍ରିୟାକଳାପଯୋଗୁଁ ସେହି ସୁନ୍ଦର ପୃଥିବୀ ଏବେ ଉତ୍ତପ୍ତ ରୋଗ ଶଯ୍ୟାରେ ଶାୟିତ ଏବଂ କ୍ରମାଗତ ଭାବରେ ନିଜର ଉତ୍ପାଦନ କ୍ଷମତା ହରାଉଛି । ତୁରନ୍ତ ପକ୍ଷେପ ନିଆ ନ ଗଲେ ପୃଥିବୀର ସାମୁଦାୟିକ ସମ୍ପତ୍ତି ୩୦ ଭାଗ କମିଯିବ ଓ ଦାରିଦ୍ର୍ୟ ବଢ଼ିଯିବ । କୀଟପତଙ୍ଗ ଓ ମ୍ୟାଲେରିଆ ପ୍ରଭାବ ବଢ଼ିଯିବ ୩୦ ଭାଗ ।

ତିନିବର୍ଷ ତଳେ ୨୦୦୩ ମସିହାରେ ୟୁରୋପର ୩୫ ହଜାରରୁ ଅଧିକ ଲୋକ ଅଂଶୁଘାତରେ ମରିଗଲେ । ଏ ବର୍ଷ ଆମେରିକାରେ ହଜାରେ ଲୋକ ଗ୍ରୀଷ୍ମର ଶିକାର ହେଲେ । ବିଶେଷ କରି ବୟସ୍କ ଲୋକମାନେ । ୱାସିଂଟନ୍‌ରୁ ଆରମ୍ଭ କରି ଲସ୍‌‌ଏଞ୍ଜେଲସ୍ ଯାଏ ବୁଢାବୁଢୀଙ୍କୁ ଗ୍ରୀଷ୍ମ ତାପରୁ ବଞ୍ଚାଇବାପାଇଁ ଶୀତତାପ ନିୟନ୍ତ୍ରିତ ଘର ସବୁ ଖୋଲି ଦିଆଗଲା । ଆମେରିକା ବଜାରରେ ଏସି ବିକ୍ରି ତିନିଗୁଣ ବଢ଼ି ଶେଷରେ କିଣିବାପାଇଁ ମିଳିଲା ନାହିଁ । ଲଣ୍ଡନରେ ଜଜ୍‌ମାନେ ଉଇଗ୍ ନ ପିନ୍ଧି କୋର୍ଟକୁ ଗଲେ । ବକିଂହାମ୍ ରାଜପ୍ରାସାଦରୁ ୨୪ ଘଣ୍ଟା ପହରା ଦେଉଥିବା ପ୍ରହରୀ ଡିଉଟି ଛାଡ଼ି ଛାଇ ଜାଗାରେ ଆଶ୍ରୟ ନେଲେ । ସ୍ପେନ୍‌ରେ ତାପମାତ୍ରା ୧୦୪ ଡିଗ୍ରୀ ଫାରେନ୍‌ହିଟ୍‌କୁ ଟପିଗଲା । ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ଓ ଗ୍ରାମାଞ୍ଚଳରେ ଉତ୍ତାପ ୧୦୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଗଲା । ୨୦୦୩ ମସିହାରେ ଏହି କାରଣରୁ ଫ୍ରାନ୍ସରେ ୧୫ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଚିଡିଆଖାନାରେ ବାଘ ଓ ସିଂହକୁ ମାଂସ ବଦଳରେ ଖାଇବା ପାଇଁ ବରଫ ଦିଆଗଲା । ଇଂଲଣ୍ଡରେ ଟ୍ରେଡ୍ ୟୁନିୟନ୍ ଶ୍ରମିକମାନଙ୍କୁ ଚଡ଼ି ଓ ହାଫ୍ ପେଣ୍ଟ ପିନ୍ଧି କାମକୁ ଯିବାକୁ ପରାମର୍ଶ ଦେଲେ । ପିଚୁ ତରଳି ଯିବାରୁ ଅନେକ ମଟର କାର୍ ରାସ୍ତା ଉପରେ ଲାଖି ରହିଗଲେ । ଉତ୍ତର ଆମେରିକାର ସେଣ୍ଟ୍ ଲୁଇ ସହରର ତାପମାତ୍ରା ୧୦୦ ଡିଗ୍ରୀ ଫାରେନ୍‌ହିଟ୍ ଟପିଯିବାରୁ ସେ ରାଜ୍ୟର ଗଭର୍ଣ୍ଣର ଉତ୍ତାପ ପୀଡିତ ଲୋକଙ୍କୁ ଉଦ୍ଧାର କରିବାପାଇଁ ସୈନ୍ୟବାହିନୀକୁ ପଠାଇଲେ । ବରଫ ଅଭାବରୁ ସ୍କେଟିଂ ପଡ଼ିଆରେ ଖେଳ ବନ୍ଦ ହୋଇଗଲା ।

ଘର ବାହାରେ ବଢ଼ୁଥିବା ଉତ୍ତାପରୁ ରକ୍ଷା ପାଇବାପାଇଁ ଲୋକେ ଘର ଭିତରେ ଅଧିକ ଏୟାର କଣ୍ଡିସନ୍ ମେସିନ୍ ଲଗାଇ ଘରକୁ ଥଣ୍ଡା ଓ ବାହାରକୁ ଆହୁରି ଗରମ କରୁଛନ୍ତି । ଆମେରିକା ଓ ୟୁରୋପ୍‌ର ୭୫ ଭାଗ ଘର ଓ କାର୍‌ରେ ଏସି ଲାଗିଛି ।

ବିକଳ୍ପ ବିଶ୍ୱ ୯୩