ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫଳରେ ପୃଥିବୀର ୭୫ ଭାଗ ପ୍ରଦୂଷଣ କାର୍ ଓ ଏସିଦ୍ୱାରା ହେଉଛି । ତା’ସାଙ୍ଗକୁ କଳ କାରଖାନା - ଏ ସମସ୍ତ ମିଶି ଯେଉଁ ଅଙ୍ଗାରକାମ୍ଳ ଛାଡ଼ୁଛନ୍ତି ତାହା ଆହୁରି ବିଷାକ୍ତ ହୋଇ ଗ୍ରୀନ୍ ହାଉସ୍ ଗ୍ୟାସରେ ପରିଣତ ହେଉଛି । ପୃଥିବୀର ସବୁଜିମା ହ୍ରାସ ପାଇବାରୁ ଏହି ପରିସ୍ଥିତି ଆହୁରି ଖରାପ ଅବସ୍ଥାରେ ପହଞ୍ଚିଲାଣି । କୂଅ, ପୋଖରୀ, ନଈ, ନାଳ ଓ ସମୁଦ୍ର ଏଥିରୁ ବାଦ ପଡ଼ୁନାହାନ୍ତି ।

ପୃଥିବୀର ପାଗ ପରିବର୍ତ୍ତନରେ ଦୁଇଟି ବଡ଼ ଦେଶ ସବୁଠାରୁ ବେଶି ଦାୟୀ । ସେ ଦୁଇଟି ଦେଶ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ । ବାୟୁମଣ୍ଡଳରେ ଯେତେ ଗ୍ରୀନ୍ ହାଉସ୍ ଗ୍ୟାସ୍ ଜମା ହେଉଛି ସେଥିରୁ ୨୧ ଭାଗ ଆମେରିକା ଓ ୧୫ ଭାଗ ଚୀନ୍ ଦେଶର ଦାନ । ୨୦୨୫ ମସିହା ବେଳକୁ ଆମେରିକା ଓ ଚୀନ୍ ମିଶି ଶତକଡା ୬୦ ଭାଗ ବାୟୁମଣ୍ଡଳକୁ ଉତ୍ତପ୍ତ ଓ ବିଷାକ୍ତ କରିବେ । ଏହି କାରଣରୁ ଆନ୍ତର୍ଜାତିକ କ୍ଷେତ୍ରରେ ଗ୍ରୀନ୍ ହାଉସ୍ ଗ୍ୟାସ୍‌ପାଇଁ ଯେଉଁ ବୁଝାମଣାର ପ୍ରସ୍ତାବମାନ ଆସୁଛି - ଏଇ ଦୁଇ ଦେଶ ସେଥିରେ ରାଜି ହେଉନାହାନ୍ତି ବା ଓହରି ଆସୁଛନ୍ତି । ଅନ୍ୟ ପକ୍ଷରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ଜନିତ ପ୍ରଦୂଷଣଦ୍ୱାରା ପୃଥବୀର ଯେଉଁ ଦୁଇଟି ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ - ସେମାନେ ହେଲେ ଭାରତ ଓ ଆଫ୍ରିକା । ବିଶେଷ କରି ସ୍ୱାସ୍ଥ୍ୟ ଓ କୃଷି ଉପରେ ଏହାର କୁପ୍ରଭାବ ଅଧିକ ହେବ । ଆଫ୍ରିକାରେ ମ୍ୟାଲେରିଆ ବଢ଼ିଯିବ, ଭାରତରେ ବହୁଲୋକ ଅଳ୍ପାୟୁ ହେବେ; ବନ୍ୟା, ବାତ୍ୟା ଓ ମରୁଡ଼ି ଲାଗିରହିବ । ଓଡ଼ିଶାରେ ଏ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କିନ୍ତୁ ପ୍ରଦୂଷଣକାରୀ ଆମେରିକା ଓ ଚୀନ୍‌ର ସେମିତି ଆଖିଦୃଶିଆ କ୍ଷତି ହେବ ନାହିଁ । ବରଂ ଉଷ୍ଣ ବାତାବରଣ ଚୀନ୍‌ର କୃଷି କ୍ଷେତ୍ରପାଇଁ ସହାୟକ ହେବ ବୋଲି ପାଗ ଗବେଷକମାନଙ୍କର ମତ । ଉଭୟ ଭାରତ ଓ ଆଫ୍ରିକାର ଅର୍ଥନୀତି, ଆମେରିକା ଓ ଚୀନ୍‌ର ଅର୍ଥନୀତି ଅପେକ୍ଷା ୧୦ ରୁ ୨୦ ଗୁଣ ଅଧିକ କ୍ଷତି ସହିବେ ବୋଲି ୟେଲ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ମତପ୍ରକାଶ କରିଛନ୍ତି ।

ଜଣେ ଆମେରିକୀୟ ନାଗରିକ ଯେତିକି ପ୍ରଦୂଷଣ କରେ, ଭାରତର ଶହେ ଜଣ ଓ ଆଫ୍ରିକାର ପାଞ୍ଚଶହ ଜଣ ମିଶି ତା’ଠାରୁ କମ୍ ପ୍ରଦୂଷଣ କରିଥାନ୍ତି । ତେଣୁ ଏହି ଦୁଇ ଦୋଷୀ ଦେଶ ଯେ ପର୍ଯ୍ୟନ୍ତ ସହଯୋଗ ନ କରିବେ, ସେ ପର୍ଯ୍ୟନ୍ତ ପୃଥିବୀର ଉଷ୍ଣତା ବଢ଼ି ବଢ଼ି ଚାଲିଥିବ । ଏମାନଙ୍କୁ ବାଟକୁ ଆଣିବାକୁ ହେଲେ ଅନ୍ୟ ସବୁ ଦେଶ ଏକାଠି ହେବା ଦରକାର । ମିଳିତ ରାଷ୍ଟ୍ରସଙ୍ଘ ଏହି ବିଶ୍ୱରକ୍ଷା ଉଦ୍ୟମର ନେତୃତ୍ୱ ନେବା ଦରକାର । ବୈଜ୍ଞାନିକମାନେ ମିଶି ସହଜ, ସୁଲଭ, ବିଷାକ୍ତ ଗ୍ୟାସ୍ ମୁକ୍ତ କଳକବ୍ଜା ଓ

୯୪ ବିକଳ୍ପ ବିଶ୍ୱ