ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୁଖଦୁଃଖର ମାପଦଣ୍ଡ

ସର୍ବେ ଭବନ୍ତୁ ସୁଖିନଃ - ସମସ୍ତେ ସୁଖରେ ରହନ୍ତୁ - ଏହି ଉପନିଷଦୀୟ ପ୍ରାର୍ଥନା କିଏ ନ ଜାଣେ ? ମହାଭାରତରେ ପାଣ୍ଡବଙ୍କ ବନବାସ କାଳରେ ଯକ୍ଷ-ଯୁଧିଷ୍ଠିର ପ୍ରଶ୍ନୋତ୍ତର କଥା ପ୍ରାୟ ସମସ୍ତଙ୍କୁ ଜଣା । ଯକ୍ଷ ଯୁଧିଷ୍ଠିରଙ୍କୁ ଯେତେଗୁଡ଼ିଏ ପ୍ରଶ୍ନ ପଚାରିଥିଲେ ତା’ମଧ୍ୟରେ ‘ସୁଖ’ ସମ୍ପର୍କରେ ଦୁଇଟି ପ୍ରଶ୍ନ ଥିଲା । ପ୍ରଥମଟି ହେଲା, ସୁଖର ମୂଳାଧାର କିଏ ? ଯୁଧିଷ୍ଠିର ଉତ୍ତରରେ କହିଥିଲେ, ସୁଖର ମୂଳ ଆଧାର ହେଉଛି ‘ସତ୍ୟ’ । କାରଣ ସତ୍ୟହୀନ ଜୀବନ ସୁଖମୟ ହୋଇପାରେ ନାହିଁ । ଏହାପରେ ଯକ୍ଷ ପଚାରିଥିଲେ, ସୁଖୀ କିଏ ? ଉତ୍ତରରେ ଯୁଧିଷ୍ଠିର କହିଥିଲେ, ‘ଅଋଣୀ’ । ଅର୍ଥାତ୍ ଯେଉଁ ବ୍ୟକ୍ତି ବିନା ଋଣରେ ଜୀବନଯାପନପାଇଁ ସମର୍ଥ । ମହାଭାରତର ପରବର୍ତ୍ତୀ କାଳରେ ସୁଖର ସଂଜ୍ଞାରେ ଆଉ ଏକ ଶବ୍ଦ ଯୋଡ଼ାଗଲା “ଅପ୍ରବାସୀ” । ଅଋଣୀ ଓ ଅପ୍ରବାସୀ ଯେଉଁ ବ୍ୟକ୍ତି ଋଣ କରିନଥାନ୍ତି ଏବଂ ଯାହାଙ୍କୁ ଭରଣ ପୋଷଣପାଇଁ ବାରଦ୍ୱାର ହେବାକୁ ନ ପଡ଼େ, ଘରଦ୍ୱାର ଛାଡ଼ି ଯିବାକୁ ନ ପଡ଼େ । ଓଡ଼ିଶାରେ ପ୍ରତିବର୍ଷ ହାରାହାରି କୋଡ଼ିଏ ଲକ୍ଷ ଲୋକଙ୍କୁ ପେଟ ବିକଳରେ ଭିଟାମାଟି ଓ ପିଲାଛୁଆଙ୍କୁ ଛାଡ଼ି ବାହାରେ କାମଧନ୍ଦା ଖୋଜିବାକୁ ପଡ଼ିଥାଏ । ଭାରତରେ ଏମାନଙ୍କ ସଂଖ୍ୟା ଦଶ କୋଟିରୁ ଅଧିକ । ଇଂରାଜୀରେ ଏହି ଅସ୍ଥାୟୀ ଅପ୍ରବାସୀଙ୍କୁ ‘ମାଇଗ୍ରାଣ୍ଟ୍’ ବୋଲି କୁହାଯାଏ । ସେମାନଙ୍କ ସଂଘର୍ଷ ଓ ଦୁଃଖର କାହାଣୀ ଏବେ ମିଳିତ ଜାତିସଙ୍ଘରେ ଆଲୋଚନା ହେଉଛି ।

ଇତିହାସର ବିଭନ୍ନ କାଳରେ ସୁଖର ସଂଜ୍ଞା ବଦଳିଛି । ସୁଖକୁ ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ଆଧିଭୌତିକ ସଂଜ୍ଞା ଦିଆଯାଇଛି । ‘ମୃତ୍ୟୁ - ସାହିତ୍ୟ’ରେ ପଣ୍ଡିତମାନେ ସୁଖର ସଂଜ୍ଞା ଦେଇ କହନ୍ତି; “ବିନା ଦୈନ୍ୟେନ ଜୀବନଂ - ଅନାୟାସେନ ମରଣମ୍” । ଅର୍ଥାତ୍ ଦୈନହୀନ ଜୀବନ ଓ କଷ୍ଟହୀନ ପ୍ରାକୃତିକ ମରଣ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁଖକୁ ସ୍ୱାସ୍ଥ୍ୟ ସାଙ୍ଗେ ଯୋଡ଼ି ଏକ ନୂତନ ସଂଜ୍ଞା ଦେଇଛନ୍ତି । ଏହି ନୂତନ ସଂଜ୍ଞା ଅନୁସାରେ କେବଳ ରୋଗହୀନ ଜୀବନକୁ ସୁସ୍ଥ ଜୀବନ କୁହାଯାଇ ପାରିବ ନାହିଁ । ଯେଉଁ

ବିକଳ୍ପ ବିଶ୍ୱ ୯୭