ପୃଷ୍ଠା:Biplaba Suare Padartha Bigyan.pdf/୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ଣ୍ଣାଳୀ କୁହାଯାଏ । ସେ ସମୟରେ ବିଜ୍ଞାନୀମାନେ ଭାବୁଥିଲେ ଯେ ପଦାର୍ଥର ମୌଳିକ ଏକକ ହେଉଛି ପରମାଣୁ । ତେଣୁ ରେଖା ବର୍ଣ୍ଣାଳୀ ସୃଷ୍ଟି ହେବାର କାରଣ ସେମାନେ ପରମାଣୁର ଗୁଣଧର୍ମରେ ଖୋଜିଲେ । ଗୋଟିଏ ମତ ଆସିଲା ଯେ ବିଭିନ୍ନ ପରମାଣୁ ଅଲଗା ଅଲଗା ତରଙ୍ଗଦୈର୍ଘ୍ୟର ଆଲୁଅ ଶୋଷିନିଅନ୍ତି ବା ଛାଡ଼ନ୍ତି । କିନ୍ତୁ ପରମାଣୁ ନିର୍ଦ୍ଦିଷ୍ଟ ତରଙ୍ଗଦୈର୍ଘ୍ୟର ଆଲୁଅ ଶୋଷିଥାଏ ବା ଛାଡ଼ିଥାଏ କାହିଁକି ତା’ର ଉତ୍ତର ପାରମ୍ପରିକ ପଦାର୍ଥ ବିଜ୍ଞାନ ପାଖରେ ନଥିଲା । ଏହି ପ୍ରଶ୍ନର ଉତ୍ତର ଖୋଜିପାଇବା ପାଇଁ ବିଜ୍ଞାନୀମାନଙ୍କୁ ଆହୁରି ପଚାଶ ବର୍ଷ ସମୟ ଲାଗିଗଲା ।

ପରମାଣୁ ତତ୍ତ୍ବ

ମଧ୍ୟପ୍ରାଚ୍ୟର ଦାର୍ଶନିକମାନେ ହିଁ ପ୍ରଥମେ ପରମାଣୁ ବିଷୟରେ କହିଥିଲେ । ଡେମୋକ୍ରେଟସ୍ଙ୍କ ମତ ଥିଲା ଯେ ପରମାଣୁର କ୍ଷୟ ନଥାଏ ଏବଂ ବିଭିନ୍ନ ବସ୍ତୁ ଭିନ୍ନ ଭିନ୍ନ ପରମାଣୁରେ ବା ସେମାନଙ୍କ ମିଶ୍ରଣରେ ତିଆରି ହୋଇଛି । ଭାରତରେ ମଧ୍ୟ ଏହି ପ୍ରକାରର ଏକ ମତ ରଷି କଣାଦଙ୍କ ନାମରେ ଯୋଡ଼ାଯାଏ । କିନ୍ତୁ ତାର୍କିକ ବା ପ୍ରୟୋଗାତ୍ମକ ଦିଗରୁ ଏହି ସବୁ ଅତି ପୁରୁଣା ମତର କିଛି ସ୍ପଷ୍ଟ ରୂପରେଖ ନଥିଲା ।

ସତରଶ ଶତାବ୍ଦୀରେ ବିଖ୍ୟାତ ଆଇରିଶ୍ ବିଜ୍ଞାନୀ ରବର୍ଟ ବଏଲ୍ ( ୧୬୨୭-୧୬୯୧) ପରମାଣୁ ବିଷୟରେ କର୍ପଡୁଲାର ବା କଣିକା ତତ୍ତ୍ବ ନାମରେ ଏକ ଉନ୍ନତ ପରିକଳ୍ପନା କରିଥିଲେ ! ନିଉଟନ ମଧ୍ୟ ପରମାଣୁ ତତ୍ତ୍ବରେ ବିଶ୍ବାସ କରୁଥିଲେ । ତାଙ୍କ ଅପ୍ଟିକ୍ସ ଗ୍ରନ୍ଥରେ ସେ ଲେଖିଥିଲେ ଯେ ପ୍ରତ୍ୟେକ ବସ୍ତୁ କଠିନ ଓ ନିଦା କଣିକାରେ ତିଆରି ।

ପରମାଣୁ ତତ୍ତ୍ବର ବିକାଶରେ ଅଷ୍ଟାଦଶ ଶତାବ୍ଦୀର ରସାୟନ ବିଜ୍ଞାନୀଙ୍କ ମୁଖ୍ୟ ଭୂମିକା ରହିଛି । ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ବେଳକୁ ବିଭିନ୍ନ

୩୬ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ