ପୃଷ୍ଠା:Biplaba Suare Padartha Bigyan.pdf/୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭୂମିକା

ସବୁଠାରୁ ସରଳ ଅର୍ଥରେ ବୁଝିଲେ ବିଜ୍ଞାନ ହେଉଛି ପ୍ରାକୃତିକ ଦୁନିଆ ବିଷୟରେ ମଣିଷର ଜ୍ଞାନ ଏବଂ ସେସବୁକୁ ବୁଝିବା ପାଇଁ ତା’ର ବାଟ । ଆଦିମ ମଣିଷ ନିଜର ସୁରକ୍ଷା ପାଇଁ ଏବଂ ନିଜ ଜୀବନକୁ ସହଜ କରିବା ପାଇଁ ପ୍ରକୃତିର ଘଟଣା ସବୁର ଭିତରେ ନିୟମିତତା ଖୋଜିବାରେ ଲାଗିଲା । ଘଟଣା ଓ ଜିନିଷ ସବୁର ଏଭଳି ବର୍ଗୀକରଣରୁ ଆରମ୍ଭ ହେଲା ବିଜ୍ଞାନ ।


କୁତୁହଳ ମଣିଷ ନିୟମିତତା ବା ତା'ର ବ୍ୟତିକ୍ରମକୁ ଲକ୍ଷ୍ୟ କରିବାରେ ସନ୍ତୁଷ୍ଟ ରହିଲା ନାହିଁ । ସେ ସବୁର କାରଣ ମଧ୍ୟ ସେ ଖୋଜିବାରେ ଲାଗିଲା ଏବଂ କାରଣ ଜାଣିବା ପରେ ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକୁ କାମରେ ଲଗାଇବାର ବାଟ ଖୋଜିଲା । ଏହା ପ୍ରଯୁକ୍ତି ବିଦ୍ୟାର ମୂଳଦୁଆ ପକାଇଲା ।


ଏହି ଧାରାରେ ମଣିଷର ଜ୍ଞାନ ଧୀରେ ଧୀରେ ବଢିଲା । ମଝିରେ ମଝିରେ କିନ୍ତୁ ଏଭଳି କିଛି ବିକାଶ ଘଟିଲା ଯାହା ମଣିଷର ଚିନ୍ତାଧାରାକୁ ପୂରା ଓଲଟ ପାଲଟ କରିଦେଲା । ପୁରୁଣା ଜାଗାରେ କିଛି ନୂଆ ଚିନ୍ତାଧାରା ଆସିଲା ଯାହାର କଳ୍ପନା ମାତ୍ର ଅଳ୍ପ କାଳ ଆଗରୁ ସମ୍ଭବ ନଥିଲା । ଆଉ ଆରମ୍ଭ ସମୟର ବିରୋଧକୁ ଏଡ଼ାଇ କରି ଯେବେ ସେ ନୂଆ ଚିନ୍ତାଧାରା ପ୍ରତିଷ୍ଠିତ ହୋଇଗଲା, ମଣିଷର ଜ୍ଞାନକୁ ବଢାଇବାରେ ତାହା ବିଶେଷ ଭୂମିକା ନେଲା ! କହିବାକୁ ଗଲେ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଏହା ଏକ ବିପ୍ଲବ ଆଣିଦେଲା ।