ପୃଷ୍ଠା:Chha mana atha guntha.pdf/୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛ'ମାଣ ଆଠଗୁଣ୍ଠ

ଫକୀରମୋହନ ସେନାପ‌ତିଙ୍କ ଛ'ମାଣ ଆଠଗୁଣ୍ଠ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ ଭାରତୀୟ ସାହିତ୍ୟରେ ଏକ ପ୍ରମୁଖ ଉପନ୍ୟାସ । ଏହା ପ୍ରକାଶିତ ହୋଇଥିଲା ୧୮୯୭ ମସିହାରେ । ଏହାର ପ୍ରକାଶନ ଫଳରେ ଓଡ଼ିଆ ତଥା ଭାରତୀୟ ଉପନ୍ୟାସ ସାହିତ୍ୟର ମୂଳ ଭିତ୍ତି ପଡ଼ିଥିଲା ବୋଲି କୁହାଯାଇପାରେ । ଜମିଦାରମାନଙ୍କ ଦ୍ୱାରା ପ୍ରଜାମାନଙ୍କର ଶୋଷଣ ଏହାର ମୁଖ୍ୟ ବିଷୟବସ୍ତୁ । ଭାରତୀୟ ସାହିତ୍ୟରେ ଏପରି ବିଷୟବସ୍ତୁ ଉପରେ କଲମ ଚଲାଇବାରେ ଫକୀରମୋହନ ବୋଧହୁଏ ପ୍ରଥମ ଲେଖକ ଏବଂ ୧୯୩୬ରେ ପକାଶିତ ! 'ଗୋଦାନ'ର ପ୍ରଖ୍ୟାତ ହିନ୍ଦୀ ଲେଖକ ପ୍ରେମ୍‌ଚନ୍ଦ୍‌ଙ୍କର ସେ ପୂର୍ବସୂରୀ ।

ଫକୀରମୋହନଙ୍କ ଜନ୍ମ ୧୮୪୩ରେ, ବାଲେଶ୍ୱର ଜିଲ୍ଲାରେ, ଏକ ଦରିଦ୍ର କୃଷକ ପରିବାରରେ । ଶୈଶବରୁ ପିତୃମାତୃହୀନ ହୋଇ ପିତାମହୀଙ୍କ ଦ୍ୱାରା ସେ ଲାଳିତପାଳିତ ହୋଇଥିଲେ ଏବଂ ଉଚ୍ଚ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିଲେ । କମ୍ ବୟସରୁ ସେ ଆରମ୍ଭ କଲେ ଶିକ୍ଷକତା । ତାଙ୍କର ବୈଚିତ୍ର୍ୟମୟ ଘଟଣାବହୁଳ ଜୀବନରେ ସେ ହୋଇଥିଲେ ଶିକ୍ଷକ, କଚେରୀ ଅମଲା, ମୁଦ୍ରାକର ଏବଂ ବିଭିନ୍ନ ଗଡ଼ଜାତରେ ଦେୱାନ ବା ପ୍ରଶାସକ । ତାଙ୍କର ପରଲୋକ ଘଟିଥିଲା ୧୯୧୮ରେ ।

ଫକୀରମୋହନଙ୍କ ସମୟ ଅର୍ଥାତ୍ ଉନବିଂଶ ଶତାଦ୍ଦୀର ଶେଷଭାଗ ତଥା ବିଂଶ ଶତାଦ୍ଦୀର ପ୍ରଥମ ଭାଗ ଓଡ଼ିଶା ଇତିହାସର ଏକ ଅନ୍ଧକାର ଯୁଗ । ଓଡ଼ିଆମାନଙ୍କର ନିଜର ରାଜ୍ୟ ନଥିଲା । ସେମାନଙ୍କ ଆର୍ଥନୀତିକ ଅବସ୍ଥା ଥିଲା ଶୋଚନୀୟ । ଶିକ୍ଷା, ସାହିତ୍ୟ ଓ ସଂସ୍ୱୃତିର ଉନ୍ନତି ବିଧାନ କରିବାକୁ ସୁଯୋଗ ପ୍ରାୟ ନଥିଲା । ପଡ଼ୋଶୀ ପ୍ରଦେଶମାନଙ୍କ ଆଧିପତ୍ୟରେ ଓଡ଼ିଆ ଭାଷାର ସ୍ଥିତି ମଧ୍ୟ ବିପନ୍ନ ହୋଇପଡ଼ିଥିଲା । ଏହି ପରିସ୍ଥିତିରେ ଫକୀରମୋହନ କେବଳ ଓଡ଼ିଆ ସାହିତ୍ୟର ନୁହେଁ, ଓଡ଼ିଆ ଭାଷାର ସେନାପତି ଭାବରେ ଆବିର୍ଭୁତ ହୋଇଥିଲେ ।

ଓଡ଼ିଆ ଗଦ୍ୟ ସାହିତ୍ୟର ଶ୍ରେଷ୍ଠତମ ଲେଖକ ଭାବରେ ଫକୀରମୋହନ ଆଜି ସମ୍ମାନିତ । କିନ୍ତୁ ପ୍ରଶାସନିକ ଜୀବନରୁ ଅବସର ନେବା ପଯ୍ୟନ୍ତ ସେ ପ୍ରାୟ କୌଣସି ଗଦ୍ୟ ରଚନା କରିନଥିଲେ । ସେ ରଚନା କରି ଚାଲିଥିଲେ ଅସଂଖ୍ୟ କାବ୍ୟ, ପଦ୍ୟ, ଗୀତି କବିତା, ବ୍ୟଙ୍ଗ କବିତା ଓ ପୂରାଣ । ମୂଳ ସଂସ୍କୃତରୁ ସେ ଅନୁବାଦ କରିଥିଲେ ରାମାୟଣ, ମହାଭାରତ ଏବଂ କେତେକ ଉପନିଷଦ । ଗତାନୁଗତିକ କାବ୍ୟଧାରାରେ ଗୃହୀତ ହୋଇନଥିବା କେତେକ ବିଷୟବସ୍ତୁକୁ ସେ ଗ୍ରହଣ କରିଥିଲେ ତାଙ୍କ କାବ୍ୟ ସୃଷ୍ଟିରେ ଏବଂ ଶତାଦ୍ଦୀ ଶତାଦ୍ଦୀ ଧରି ବ୍ୟବହୃତ ହୋଇ ନଥିବା ଗ୍ରାମ୍ୟ ଭାଷାରେ ରଚନା କରିଥିଲେ ତାଙ୍କର କାବ୍ୟ କବିତା ।

ଫକୀରମୋହନ ମୋଟ୍‌ରେ ଚାରୋଟି ଉପନ୍ୟାସ, ଦୁଇଟି ଗଳ୍ପ ସଂଗ୍ରହ ଏବଂ ଗୋଟିଏ ଆତ୍ମଜୀବନୀ ଲେଖିଛନ୍ତି । କେତେକ ସମାଲୋଚକଙ୍କର ବିଶ୍ୱାସ ଯେ, ଫକୀରମୋହନଙ୍କ ଲିଖିତ 'ଲଛମନିୟାଁ' ଭାରତୀୟ ସାହିତ୍ୟର ପ୍ରଥମ ଗଳ୍ପ । 'ଲଛମନିୟାଁ' ବାଲେଶ୍ୱରର କୌଣସି ପତ୍ରିକାରେ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ତାହା ମିଳୁନାହିଁ । କିନ୍ତୁ ଫକୀରମୋହନଙ୍କ 'ଗଳ୍ପସ୍ୱଳ୍ପ' (ପ୍ରଥମ ଓ ଦ୍ୱିତୀୟ ଭାଗ) ନିଃସନ୍ଦେହରେ ପ୍ରମାଣ କରେ - ସେ ଥିଲେ ଗଳ୍ପ ରଚନା କରିବାରେ ଏକ ଅପ୍ରତିଦ୍ୱନ୍ଦୀ କଳାକାର । ତାଙ୍କର ଆତ୍ମଜୀବନୀ ଚରିତ (୧୯୧୭) ଓଡ଼ିଆରେ ଯେ ପ୍ରଥମ ଆତ୍ମଜୀବନୀ ତାହାନୁହେଁ, ଭାରତୀୟ ଭାଷାମାନଙ୍କରେ ଏଯାବତ୍ ଲିଖିତ ଆତ୍ମଜୀବନୀମାନଙ୍କ ମଧ୍ୟରେ ଏକ ଅନନ୍ୟ ଓ ଅସାଧାରଣ ସୃଷ୍ଟି ।

ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ହେଲା, ଛ'ମାଣ ଆଠଗୁଣ୍ଠ, ଲଛମା (୧୯୦୩), ମାମୁଁ