ପୃଷ୍ଠା:Chha mana atha guntha.pdf/୯୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିରୋଳାରେ ବସି ଢେର କଥା କହିବି ।" କାନରେ ତୁନି ତୁନି କହିଲେ, "ତୋ ଲାଗି ଯାତ୍ରାରୁ ଢେର ଜିନିଷ ଆଣିବି ।"

ବୋହୂମାଉସୀ ବାଡ଼ି ଆଡ଼କୁ ଯିବାକୁ ଇଚ୍ଛାକରି ଠିଆ ହୋଇ କହିଲେ, "ଦେଖ ସମୁନ୍ଧୁଣୀ ମୁଁ ପଦା ଆଡ଼େ ଗଲେ ସ୍ନାନ କରେ, ଚାରିଥର ଯିବି ପଛେ ଚାରିଥର ସ୍ନାନ । ଘର ପଛକୁ ଗଲେ ଲୋଟାଏ ପାଣି । ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ତିତ ।" ଏହା କହି ଦାଣ୍ତ ଦୁଆର ଡୋଲି ପାଖକୁ ଗୁମ୍ ଗୁମ୍ କରି ବାହାରିଗଲେ । ସାଙ୍ଗ ଭଣ୍ତାରୀ ପୂର୍ବରୁ ଢାଳଟିଏ ଧରି ଛିଡ଼ାହୋଇଥିଲା । ବୋହୂମାଉସୀ ପାଣି ପଡ଼ିଯିବା ଭୟରେ ଲୋଟା ମୁହଁରେ ହାତ ଘୋଡ଼ାଇ ବାଡ଼ି ଦୁଆରକୁ ବାହାରିଗଲେ । ବାଘସିଂହ ଘର ପୋଇଲୀ ମୃତୁରୀମା ଓଳିତଳ ଦେଖାଇଦେଇ ବାଡ଼ିଦୁଆରେ ଛିଡ଼ାହେଲା । ବୋହୂମାଉସୀ ତାକୁ ଅନାଇ କହିଲେ, "ଦେଖ ସକାଳୁ ମୋତେ ପୀଡ଼ା ହେଲାଣି, କଣ କରିବି, ଚାରିଆଡ଼େ ଲୋକ । ପୁରୁଷ ହେଉ ସ୍ତ୍ରୀ ହେଉ, କେହି ଅନାଇଲେ ମୁଁ ବସିପାରେ ନାହିଁ ।" ମୁତୁରୀମା କହିଲା, " ନାହିଁ ନାହିଁ, ଏଠାରେ କେହି ନାହାନ୍ତି, ଆପଣ ଯାଆନ୍ତୁ । ଆପଣ ଯାଆନ୍ତୁ" ଏହା କହି ଘର ମଧ୍ୟକୁ ଆସି ବାଡ଼ି ଦୁଆର ଆଉଜାଇ ଦେଲା ।

ଅନ୍ଧାର ହୋଇଆସିଲାଣି, ବୋହୂମାଉସୀ କହିଲେ, 'ମୁଁ ଆଉ ରହିପାରିବି ନାହିଁ, ସେମାନେ ବାଟ ଚାହିଁ ବସିଥିବେ । "ସମୁନ୍ଧୁଣୀମାନେ କିଛି ଖାଇବାକୁ କହିଲେ । ବୋହୂ ମାଉସୀ ଜିଭ କାମୁଡି ପକାଇ କହିଲେ," ରାମ-ରାମ-ରାମ ! କଣ କହିଲ ସମୁନ୍ଧୁଣୀ, କଣ କହିଲ ? ଏ ଘରେ ଝିଅ ଦେଇଛି, ପାଣି ଛୁଇଁବି? ବିଦାବେଳେ ବୋହୂମାଉସୀ ସମୁନ୍ଧୁଣୀମାନଙ୍କୁ କୁଣ୍ଢାଇ ପକାଇ କହିଲେ -- <poem> ଦେଉନ୍ତୁ ମେଲାଣି ଯାଉଛି ସଙ୍ଗାତ, ମନଟି ରଖିଲ ବାନ୍ଧି, ଦିନ ରାତି ସିନା ସରିବ ନାହିଁଟି, ସକେଇ ସକେଇ କାନ୍ଦି ।"

ଡୋଲି ଗାଁରୁ ବାହାରି ବିଲବାଟ ଅନ୍ଧାରରେ ମିଶିଗଲା । ଏଣେ ସାମନ୍ତ ମାନଙ୍କୁ ଦେଖାଇବା ସକାଶେ ଭାରସବୁ ରଖାଇ ଦିଆଗଲା । ବୋହୂମାଉସୀ