ପୃଷ୍ଠା:Galpa swalpa.djvu/୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପସ୍ୱଳ୍ପ


ଶୁଣୁଛନ୍ତି, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ବୁଢ଼ୀ ଆଖିକୁ ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ଭାରି ଜର, ଦେହରୁ ନିଆଁ ବାହାରୁଛି, ଜ୍ଞାନ ନାହିଁ । ବୁଢ଼ୀ ଢେର ବେଳ ଯାଇ ବସି କ’ଣ ପାଞ୍ଚିଲା । କ’ଣ କରିବ, କାହାକୁ ଡାକିବ। ମନ ମଧ୍ୟରେ ଜଗତ ସଂସାର ଖୋଜିଲା, ପାଖରେ କାହାକୁ ଦେଖିଲା ନାହିଁ । କିଛି ସ୍ଥିର କରି ନପାରି ଖପା ହୋଇ କହିଲା, “ଯାହା ଆପଣାକିଆ ତହିଁକି ଇଲାଜ କିଆଁ ?” ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜର ହେଲା, ମୁଁ କ’ଣ କରିବି ?

ଦିନେ ଗଲା, ଦୁଇ ଦିନ ଗଲା, ତିନି ଦିନ ଗଲା, ଚାରି ଦିନ ଗଲା, ପାଞ୍ଚ ଦିନ ମଧ୍ୟ ଗଲା, ରେବତୀ ମାଟିରେ ଲାଗି ଯାଇଅଛି, ଆଖି ଫିଟାଉ ନାହିଁ, ଡାକିଲେ ଉତ୍ତର ନାହିଁ, ଉଁ ଚୁଁ ହେବାକୁ ମଧ୍ୟ ନାହିଁ । ଆଜି ଛ ଦିନ, ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି, ବୁଢ଼ୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା । କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି । କୌଣସି କବିରାଜ ଦେଖିଲେ “ତୃଷ୍ଣା ଦାହଃ ପ୍ରଳାପଶ୍ଚ-” ଇତ୍ୟାଦି ଶ୍ଳୋକ ପଢ଼ି କହନ୍ତେ, “ସନ୍ନିପାତସ୍ୟ ଲକ୍ଷଣଂ ।” ମାତ୍ର ବୁଢ଼ୀ କିଛି ଖୁସି ହେଲା । ଦେହରେ ତାତି ନାହିଁ; କଥା କହୁ ନଥିଲା, ପାଟି ଫିଟାଇଲାଣି, ଚାହୁଁ ନଥିଲା, ଆଖି ଫିଟାଇଲାଣି; ପାଣି ପିଇବାକୁ ମାଗିଲାଣି, ଛ ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ, ଚାରିଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ । “ତୁ ଶୋଇଥା’, ମୁଁ ଚାରିଟା ପଥି ରାନ୍ଧି ଆଣେଁ,” ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା । ପଥି ରାନ୍ଧିବ କ’ଣ ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ । ନିଶ୍ୱାସଟାଏ ପକାଇ ଘଡ଼ିଏ ବସିଲା । ବାସୁ ପାଞ୍ଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶଦିନ କିଆଁ ଚଳିଗଲା, ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝି ପାରିଥା’ନ୍ତା । ବସି ବିଚାର କଲେ ବୁଦ୍ଧି ଦିଶେ । ଘରେ କଂସାବାସନ କିଛି ନାହିଁ; ହାତରେ ଗୋଟାଏ କଣା ଢାଳ ପଡ଼ିଲା, ସେହିଟା ଧରି ହରି ସା ଦୋକାନକୁ ବାହାରିଲା। ହରି ସା ଘର ଗ୍ରାମ ମଝିରେ, ତାହାର ରୀତିମତ ଦୋକାନ ନାହିଁ, ଚାଉଳ, ଡାଲି, ଲୁଣ, ତେଲ ରଖିଥାଏ; କୌଣସି ଦିନ ବିଦେଶୀ ଲୋକ ପହଞ୍ଚି ଗଲେ କିଣନ୍ତି, କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା । ହରି ସା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ ବୁଝିଗଲା । ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟ ହାତରେ ଧରି ଚାରି ପାଖ ଦେଖି କହିଲା, “ନାହିଁ ନାହିଁ ମୋ’ ଘରେ ଚାଉଳ ନାହିଁ; ଆଉ ଏହି କଣା ଢାଳଟା ରଖି କିଏ ଚାଉଳ ଦେବ ?” ହରି ଘରେ ଯେ ଚାଉଳ ନ ଥିଲା ତା’ ନୁହେଁ, ଦେବାକୁ ମଧ୍ୟ ଇଚ୍ଛା; ତେବେ ଶସ୍ତାରେ ନେବାର କଥା । ଚାଉଳ ନ ଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା । କ’ଣ କରିବି, ଝିଅଟା ଜରରୁ ଉଠିଛି, ତା’ ମୁହଁରେ କ’ଣ ଦେବି ? ଘଡ଼ିଏ ବସିଗଲା; ବେଳ ବୁଡ଼ି ଆସିଲାଣି; ହରିକୁ ଦୁଇ ଥର ଅନାଇଲା । ଯାଏଁ ଝିଅଟା କ’ଣ କରୁଛି ଦେଖେଁ । ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେଁ ଘରେ କ’ଣ ଅଛି ।” ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣେ ଜାଇ, କିଛି ଲୁଣ ଦେଲା । ବୁଢ଼ୀ ଚାରି ଛ ଜାଗା ବସି ଉଠି ଘରେ ଆସି ପହଞ୍ଚିଲା । ଏ ପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନ କଥା କ’ଣ କହିବୁଁ ? ଘରେ ପହଞ୍ଚି ରେବତୀକୁ ଡାକିଲା । ତାହାର ବିଶ୍ୱାସ, ରେବତୀ ଭଲ ହୋଇଗଲାଣି, ପାଣି କାଢ଼ି ଦେବ, ସେ ଭାତ ରାନ୍ଧିବ । ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ