ପୃଷ୍ଠା:Galpa swalpa.djvu/୧୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

"କ୍ଷୀରାବଧିତନୟା ରମା" । ଲକ୍ଷ୍ମୀଙ୍କର ପିତୃଭବନ ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ଚିରଦିନ ଲକ୍ଷ୍ମୀ ଏହି ଜିଲ୍ଲାରେ ବିରାଜିତା ଥିଲେ । ସମୁଦ୍ର କୂଳବର୍ତ୍ତୀ ବାଣିଜ୍ୟ ସ୍ଥାନର ନାମ ବନ୍ଦର, ଏଥିପାଇଁ ଏହାର ନାମ ବନ୍ଦର ବାଲେଶ୍ୱର । ତିନି ଶତ ବର୍ଷ ପୂର୍ବେ ବଙ୍ଗ ଦେଶକୁ ଯିବା ପୁର୍ବେ ଓଲନ୍ଦାଜ, ଫରାସି, ଦିନେମାର ଓ ଇଂରାଜ ବଣିକମାନେ ଏଠାରେ ଦୋକାନ ମେଲିଥିଲେ ।

ବାଲେଶ୍ୱର ଯେପରି ଲକ୍ଷ୍ମୀବନ୍ତ ସ୍ଥାନ, ଦୁଇ ଚାରି ବର୍ଷ ଅକାଳ ପଡ଼ିଲେ ମଧ୍ୟ ସମ୍ଭାଳି ଯିବାର କଥା; ମାତ୍ର ଏହି ଦୁର୍ଭିକ୍ଷ ସମୟରେ ସମ୍ପୂର୍ଣ୍ଣରୂପେ ଶସ୍ୟ ଜନ୍ମିଥିଲେ ମଧ୍ୟ ସହରବାସୀ ସାଧାରଣ ଲୋକ ମଧ୍ୟରେ ଦଶପଣ ଲୋକଙ୍କ ଘରେ ଦୁଇଓଳି ଚୁଲ୍ଲୀ ଜଳେ କି ନା, ସନ୍ଦେହ । ମଧ୍ୟବିତ୍ତ ଲୋକଙ୍କ ଅବସ୍ଥା ପ୍ରାୟ ତଥୈବଚ । ଏକମାତ୍ର କାରଣ - ଅର୍ଥାଭାବ । କେବଳ ଲବଣ ପ୍ରୋକ୍ତାନ ଉଠି ଯିବାରୁ ସମସ୍ତ ଯାଇଅଛି, କାରିଗର ବଂଶ ତ ନିର୍ମୂଳ ହୋଇଅଛନ୍ତି । ବାଣିଜ୍ୟକ୍ଷେତ୍ରରେ ଉଲ୍ଲେଖ୍ୟଯୋଗ୍ୟ ମହାଜନ ଜଣେ ମଧ୍ୟ ନାହିଁ । ବିଦେଶୀୟ ମାରୁଆଡି, କଚ୍ଛୀ, ଭାଟିଆ, ନାଖୋଦାମାନେ ମାଡ଼ି ବସିଲେଣି । ହାତରେ ଅର୍ଥ କାହିଁ ଯେ, ଧନବନ୍ତ ବିଦେଶୀ ମହାଜନଙ୍କ ସହିତ ଟକ୍କର ଦେଇ ପାରିବେ ।

ଏହି କ୍ଷୁଦ୍ର ଜିଲ୍ଲାରୁ ପ୍ରତିବର୍ଷ ପ୍ରାୟ କୋଟି ସଂଖ୍ୟକ ଟଙ୍କାର ଧାନ ଚାଉଳ ବିଦେଶକୁ ରପ୍ତାନି ହୁଏ । ରେଳ ଷ୍ଟେସନ ଚାଉଳବସ୍ତାରେ ପରିପୂର୍ଣ୍ଣ । ସଡ଼କମାନଙ୍କରେ ଦିବାରାତ୍ର ଚାଉଳ ଶଗଡ଼ ଚାଲିଅଛି, ଅଥଚ ସହରବାସୀ ଅଧିକାଂଶ ଲୋକ କାତର ନୟନରେ, ଖାଲି ପେଟରେ ଭକ ଭକ କରି ଚାହିଁ ବସିଛନ୍ତି ।

ଧାନ ଚାଉଳ ବିକ୍ରିରେ ମଫସଲବାସୀ ଚାଷୀମାନଙ୍କର ଦୁଇ ଟଙ୍କା ହାତପୈଠ ହେଉଅଛି ସତ୍ୟ; ମାତ୍ର ଖୋଜନ୍ତୁ, ଘର ଶୂନ୍ୟ ଦେଖିବେ । ଟଙ୍କା ହାତପୈଠ ହେବା ମାତ୍ରକେ ଲୋକେ ଲୋଭ ସମ୍ଭାଳି ନ ପାରି ଜର୍ମାନୀ ଝୁଟାରେ ରେପାର ଛତା ପ୍ରଭୃତି କିଣି ନେଇ ଘରେ ପୂରାଉ ଅଛନ୍ତି । ବର୍ଷେ ଅକାଳ ପଡ଼ୁ, ଦେଖିବେ, ଲୋକଗୁଡାକ ଲମ୍ବ ଲମ୍ବ ଧଣ୍ଡ ପରି ଶୋଇଯିବେ ।

ଆଗେ ଦେଶବାସୀ ସମୁଦ୍ରକୂଳ ମାଟି ବିକ୍ରୀ କରି ଟଙ୍କା ପାଉଥିଲେ, ବର୍ତ୍ତମାନ ଚାଉଳ ବିକ୍ରୀକରି ଜର୍ମାନୀମାଟି କିଣୁ ଅଛନ୍ତି । ରେପାର ଫେପାର ଗୁଡାକୁ ଆମ୍ଭେମାନେ ମାଟି ବୋଲୁଅଛୁଁ । ଆମ୍ଭେମାନେ ବୋଲିଅଛୁଁ, ପୂର୍ବେ ବାଲେଶ୍ୱର ଜିଲ୍ଲାରେ ପ୍ରତି ବର୍ଷ ନ ଲକ୍ଷ ମହଣ ଲୁଣ ପ୍ରୋକ୍ତାନ ହେଉଥିଲା । ଆଜିଯାଏ ସେହି କାର୍ଯ୍ୟ ଚଳୁଥିଲେ ବ୍ୟବସାୟ ଉନ୍ନତି ଲାଭ କରି ପ୍ରତି ବର୍ଷରେ ଅତି ନିକୁଛରେ କୋଡିଏ ଲକ୍ଷ ମହଣ ପ୍ରୋକ୍ତାନ ହେଉଥାନ୍ତା । ସୁତରାଂ ଅଭାବ ପକ୍ଷେ ଦଶଲକ୍ଷ ଟଙ୍କା ଦେଶରେ ପଶୁଥାନ୍ତା । ହଜାର ବର୍ଷ ପୂର୍ବ ସମୁଦ୍ରଗାମୀ ନୌଚାଳକ, ସମୁଦ୍ରକୂଳବାସୀ କୈବର୍ତ୍ତବଂଶ ଆଜି ବିଜ୍ଞାନଚର୍ଚ୍ଚା ସମୟରେ କେଡ଼େ ଉନ୍ନତି ଲାଭ କରିଥାନ୍ତେ ।

ଆଜିକାଲି ବାଲେଶ୍ୱରର ଯାହାକିଛି ଚାକଚକ୍ୟ ବିଦେଶୀମାନଙ୍କ ସକାଶେ । ମହାଜନ ବିଦେଶୀ, କଚେରିର ବଡ଼ ବଡ଼ ଚାକର ପ୍ରାୟ ବିଦେଶୀ । ରେଳଷ୍ଟେସନରେ କର୍ମ ପାଇବା ଓଡ଼ିଆଙ୍କ କପାଳରେ ଲେଖା ନାହିଁ । ଜମିଦାରଗୁଡ଼ାକ ହାତ ବାନ୍ଧି ରହିଲେଣି । ଏବେ ଚାଷ ଏକମାତ୍ର ଅବଲମ୍ବନ । ହେଲେ ଜମି କାହିଁ ।

ହେ ଭଗବାନ୍ ! ଆମ୍ଭମାନଙ୍କ ଦୟାଳୁ ଗଭର୍ଣ୍ଣମେଣ୍ଟଙ୍କ କଣ୍ଠରେ ବିରାଜିତ ହେଉନ୍ତୁ । ବାଲେଶ୍ୱର ଜିଲ୍ଲାରେ ପୂର୍ବବତ୍ ଲୁଣ ପ୍ରୋକ୍ତାନ କାର୍ଯ୍ୟ ଆରମ୍ଭ ହେଉ ।

****