ପୃଷ୍ଠା:Galpa swalpa.djvu/୧୫୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପସ୍ୱଳ୍ପ

ବର୍ଣିତ ସମୟରେ ଖଣ୍ଡଗିରିରେ ଯେଉଁ ସମସ୍ତ ସାଧୁ ସନ୍ନ୍ୟାସୀ ବାସ କରୁଥିଲେ, ସେଥିମଧ୍ୟରୁ ଗୋଟିଏ ଦଳର ବିଷୟ ଉଲ୍ଲେଖଯୋଗ୍ୟ । ହାତୀଗୁମ୍ଫା ସମ୍ମୁଖରେ ଏହି ଦଳର ମହନ୍ତ ମହାରାଜ ଧୁନି ଥାପି ବସିଛନ୍ତି । ଧୁନିର ବିପରୀତ ଦିଗରେ କିଞ୍ଚିତ ଦୂରରେ ଗୋଟିଏ କ୍ଷୁଦ୍ର ସିଂହାସନରେ ମହନ୍ତଙ୍କ ସମ୍ମୁଖରେ ମହାବୀରଜୀ ଦେବତା ବିରାଜିତ । ଦେବତାଙ୍କ ଅଳଙ୍କାର, ତୈଜସପତ୍ରାଦି ଆଡ଼ମ୍ବରଯୁକ୍ତ । ପ୍ରତିଦିନ ପ୍ରାତଃକାଳରେ ଦେବତାଙ୍କଠାରେ ମୋହନଭୋଗ ବାଳଭୋଗ ଓ ସାୟାହ୍ନ ସମୟରେ ପକ୍କିମାଲ ଅର୍ଥାତ୍ ପୁରୀ, କଚୁରୀ, କ୍ଷିରୀ, ଖେଚୁଡ଼ି ଭୋଗ ଲାଗେ । ଦେବତାଙ୍କ ସେବାରେ ଏତେ ବ୍ୟୟ; ମାତ୍ର କାହାରିକୁ କିଛି ଯାଚଞା ନାହିଁ, ମହାବୀର ମହାପ୍ରଭୁଙ୍କ ମହାମହିମା ବଳରେ ସବୁ ଚଳିଯାଏ । ମହନ୍ତ ମହାରାଜ ନିତାନ୍ତ ନିର୍ଲୋଭ, କେହି ଭକ୍ତ ଦେବତାଙ୍କୁ କିଛି ପ୍ରଣାମୀ ଦେଲେ ଟଙ୍କା ପଇସା ସେହିଠାରେ ପଡ଼ି ରହିଥାଏ, ମହନ୍ତ ମହାରାଜ ଥରେ ସୁଦ୍ଧା ଚାହାଁନ୍ତି ନାହିଁ । ସାଧାରଣରେ ପ୍ରକାଶ ଯେ, ଦୈନିକ ଦେବସେବାର ଉପଯୁକ୍ତ ବ୍ୟୟ ସକାଶେ ମହନ୍ତଙ୍କ ଧୂନିରୁ ସୁନା ବା ରୂପା ବାହାରି ଥାଏ । ବାହାରର ବିଶ୍ୱାସୀ କେହି କେହି ଭକ୍ତ ଏହା ପ୍ରତ୍ୟକ୍ଷ ଦେଖିଅଛନ୍ତି । ଭୁବନେଶ୍ୱର ପ୍ରଭୃତି ସ୍ଥାନରୁ ବଣିଆମାନେ ଯାଇ ତାହା କିଣି ଆଣନ୍ତି । କିଣା ବିକା ବେଳେ ଦର ଦାମ ନାହିଁ । ସାଧୁଲୋକ କି କଷାକଷି ଦର ଦାମ କରିବେ? କେବଳ ମହନ୍ତ ବାବା ଏତିକି କଥା ବୋଲି ତୁନି ହୁଅନ୍ତି, "ଦେଓକା ମାଲ, ଦେଓ ଦିଆ । ଦେଓତାକା ସେବା, ତୁମାରି ଧରମ ।" ବଣିଆର ଯାହା ଇଚ୍ଛା ଦେଇ ସୁନା ରୂପା ଘେନି ଯାଏ; ଏକଥା ମଧ୍ୟ ଶୁଣା ଅଛି; ପ୍ରତିଦିନ ଧୂନିରୁ ଯାହା ବାହାରିବ, ପ୍ରତି ଦିନ ବ୍ୟୟ କରିବାକୁ ହେବ, ବାସି ରହିଲେ ଆଉ ବାହାରିବ ନାହିଁ । ମହାବୀରକା ଏସା ହୁକୁମ୍ । ବ୍ୟୟ ଊଣା ନୁହେଁ-କେବଳ ଗଞ୍ଜେଇ ପ୍ରତିଦିନ ଅଧସେର ଆଉ ସେଥିର ଉପଯୁକ୍ତ ଧୂଆଁପତ୍ର । ପ୍ରସାଦ ସେବା ନିମନ୍ତେ ଅନେକ ଗାଉଁଲୀ ରୁଣ୍ଡ ହୁଅନ୍ତି । ମହନ୍ତ ବାବାଙ୍କ ଆସନ ପାଖରେ କଦାଚିତ୍ ରାତ୍ରିରେ ବୋତଲ (କାଚକୁମ୍ପା) ଦେଖାଯାଏ । ସେଥିରେ ଗଙ୍ଗାଜଳ ଆସିଥାଏ । ସନ୍ଧ୍ୟା ଆଳତି ଉତ୍ତାରେ ମହନ୍ତ ବାବା ଓ ଚେଲାମାନେ କିଞ୍ଚିତ୍ କିଞ୍ଚିତ୍ ଗଙ୍ଗୋଦକ ସେବା କରନ୍ତି । ଗୋଟାଏ ବଡ଼ ଗୁମ୍ଫାରେ ସାଧୁମାନଙ୍କ ସାମାନ ପୂର୍ଣ ଥାଏ । ସ୍ୱୟଂ ମହନ୍ତ ଓ ତାହାଙ୍କ ବିଶ୍ୱାସୀ ଦୁଇଜଣ ଚେଲା ଛଡ଼ା ସେ ଗୁମ୍ଫା ମଧ୍ୟକୁ ଯିବାର ଅନ୍ୟ କାହାରି ଅଧିକାର ନାହିଁ ।

ମହନ୍ତ ବାବାଙ୍କ ନାମ ମହାବୀର ଦାସ-ଦୀର୍ଘାକୃତି, ବ୍ୟାୟାମସାଧିତ ପ୍ରାୟ ମାଂସପେଶୀ ସୁଦୃଢ଼, ବଳୀବର୍ଦ୍ଦବତ୍ ବଳିଷ୍ଠ । ମସ୍ତକରେ ଦୀର୍ଘାକାର ଜଟାଭାର ଅହିରାଜ ଶିଶୁବତ୍ କୁଣ୍ଡଳୀକୃତ ଓ ବେଣୀ ଦ୍ୱାରା ସୁଦୃଢ଼ ଋପେ ଆବଦ୍ଧ । ଶ୍ମଶ୍ରୁ ଓ ନିଶ ମାତ୍ରା ଅନୁପାତରେ ଦୀର୍ଘାକାର ନୁହେଁ । ଦେହର ବର୍ଣ ବୋଲାଯାଇ ନ ପାରେ; କାରଣ ସ୍ଥୂଳରୂପେ ବିଭୂତି ମଣ୍ଡିତ । ନେତ୍ର ଗଞ୍ଜିକା ଧୂମରେ ଜବାକୁସୁମସଙ୍କାଶ ରକ୍ତବର୍ଣ ଏବଂ ଚଞ୍ଚଳ । ଦୃଷ୍ଟି ନିତାନ୍ତ ତୀବ୍ର ଓ ଭୟପ୍ରଦ । କେହି ନବାଗତ ଯାତ୍ରୀ ବା ଭକ୍ତ ଉପସ୍ଥିତ ହେଲେ ତାହାକୁ ତୀବ୍ର ଦୃଷ୍ଟିରେ ଆପାଦମସ୍ତକ ନିରୀକ୍ଷଣ କରିଥାନ୍ତି । ସର୍ପବେଷ୍ଟିତ ଅର୍ଦ୍ଧ ହସ୍ତ ପରିମିତ ଗଞ୍ଜେଇ ଚିଲମଟାଏ ମହନ୍ତଙ୍କ ହସ୍ତରେ ସର୍ବଦା ଶୋଭା ପାଉଥାଏ । ମହନ୍ତ ବାବାଙ୍କ ବୟସ ଅନୁମାନରେ ପଞ୍ଚାଶ ଲଗାଲଗି; ମାତ୍ର ତପସ୍ୟାରେ ସିଦ୍ଧ ସାଧୁମାନଙ୍କ ବୟସ କଳି ହୁଏ ନାହିଁ । ଚେଲାମାନଙ୍କ ମୁଖରୁ ଶୁଣାଯାଏ, ବୟଃକ୍ରମ ଅଢ଼େଇଶ ବରଷ । ମହନ୍ତ ବାବା ମଧ୍ୟ ଭକ୍ତମାନଙ୍କଠାରେ ସେହି ଭାବରେ କଥାବାର୍ତ୍ତା କରିଥାନ୍ତି । ହଜାରେ ବରଷ ବୟସର ସାଧୁ ଦର୍ଶନ କରିବାକୁ ଯଦି କାହାରି ଇଚ୍ଛା ଥାଏ, ତେବେ ବାଲେଶ୍ୱର ସହର ମଧ୍ୟରେ ଦୁଧପିଆ ବାବାଜୀଙ୍କୁ ଦେଖିବାକୁ ଯାଉନ୍ତୁ । ଏହି ବାବାଜୀ ସ୍ୱୟଂ ସର୍ବଦା ଲୋକମାନଙ୍କଠାରେ ପ୍ରକାଶ କରିଥାନ୍ତି, ସେ