ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ମହାକୁଡ଼ କ’ଣ କଲା କି ଠାକୁରାଣୀଦାଢ଼ ବାହୁଡ଼ା ପିଲାପିଚିକା ଯେ ଦୁଇ ଚାରିଖଣ୍ଡ ଲାଙ୍ଗୁଡ଼ ଥିଲା, ବିକି ବାକି ପକାଇ ଜମିଦାରର ଚାରି ପଲରେ ସେଠ ହେଲା । ଏଡ଼େ ବଡ଼ ଚାକିରୀ ହେବାରୁ ମହାକୁଡ଼ାଣୀ ତ ବଡ଼ ଖୁସି । ଗାଁ’ରେ ତାକୁ କେହି ସେଠାଣୀ ନ କହିଲେ ଭାରି କଳି କରେ, ମାଇକିନିଆ ହେଉ ମିଣିପ ହେଉ ବାଡ଼େଇବାକୁ ଧାଏଁ ।

ଶୀତଦିନିଆ ପୁଲିସ ସାହେବ ମକ୍ରାମପୁର ଫାଣ୍ଡି ତଦାରକ କରିବାକୁ ଯାଇଥିଲେ । ଫାଣ୍ଡି ପାଖ ତୋଟାରେ ଡେରା ପଡ଼ିଥାଏ । ଡେରା ପାଖକୁ ଅଧକ୍ରୋଶ ଦୂରରେ ପାଟ । ସରାଳି, କାଜ ମାଣିକ ଯୋଡ଼, ଜଳ ଫିଫିଁ, ପାଣିହଂସ, ଚକୁଆ, ଦା-ବେକିଆ, ବଗ ଚଢ଼େଇ ଭର୍ତ୍ତି । ସାହେବଙ୍କ ନଜର ଯିମିତି ପଡ଼ିଗଲା, ବନ୍ଧୁକ କାନ୍ଧରେ ପକାଇ ଶିକାରକୁ ବାହାରିଲେ । ପଛରେ ଜଣ ଚାରି କନେଷ୍ଟବଲ, ଆଠ ଦଶ ଜଣ ଚୌକିଦାର; ମୁଣ୍ଡରେ ଲାଲ, କଳା, ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡ଼ାଇ ଚିତେ ଚିତେ ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଧାଇଁଛନ୍ତି । ସାହେବ ପାଟକୂଳରେ ପହୁଞ୍ଚି ଯିମିତି ବନ୍ଧୁକଟା ଦୁମ୍‌କରି ଆୱାଜ କଲେ ହଜାର ହଜାର ଚଢ଼େଇ ତ କେଁ କଟର କରି ଆକାଶରେ ଉଡ଼ି ଚକର ଦେଇ ଘୂରିଲେ । ବୋଧହୁଏ ସେମାନେ ତଳକୁ ଅନାଇ ବିଚାର କରୁଥିଲେ, “କାଳେ ଦେଖା ନାହିଁ ଶୁଣା ନାହିଁ, ଆଜି ଏଟା କ’ଣ ? ଏଟା ତ ଧଳା ମଣିଷ ପରି ଦିଶୁଛି, ଏଟା କ’ଣ ?” ସେମାନେ ଆପଣା ଆପଣା ଭିତରେ ଯେଉଁ କଥା ଭାଷା ହେଉଥିଲେ ସେଇଟାକୁ କହୁଛୁଁ ‘କେଁ କଟର ।’

ଯୋଡ଼ାଏ କାଜ ଦେହରେ ଛିଟା ବାଜି ଡେଣା ଓ ଗୋଡ଼ ଭାଙ୍ଗିଗଲା । ହେଲେ କ’ଣ ହେଲା ଠା ନ ପଡ଼ି ଖଣ୍ଡିଉଡ଼ା ଦେଇ ଯାଇ ପାଟ ମଝିରେ ଯାଇ ପଡ଼ିଲା । ଯାଉଛି କିଏ, ସାହେବ ତ ସମସ୍ତଙ୍କ ମୁହଁକୁ ଅନାଉଛନ୍ତି । ଜଣା ଅଛି ପାଟ ମଝିଟା ତାଳେ ଗହୀର । ମଣିଷଖିଆ କୁମ୍ଭୀର ଯୋଡ଼ାଏ ଥିବାର ବି ଶୁଣା ଅଛି । କନେଷ୍ଟବଲମାନଙ୍କର ତ ଡ୍ରେଶ ଭିଜି ଯିବ । ଚଉକିଆ ଗୁଡ଼ାକ ଗାଉଁଲିଆ, ପହଁରି ଜାଣନ୍ତି ନାହିଁ । ଅସଲ କଥା, କାହାରି ମନକୁ ଭରସା ଖଟୁ ନାହିଁ ଯେ ଯିବ । ସାହେବ ନୋହିଲେ ଜରିମାନା କରିବ, ନୁହେଁ ଚାକିରୀ ଛଡ଼ାଇ ଦେବ; ଜାଣି ଶୁଣି ଗୋମୁହାଁ କୁମ୍ଭୀର ମୁହଁକୁ କେ ଯିବ ? ତେତିକିବେଳେ କ’ଣ ହେଲା କି ଆମ୍ଭମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ । କୁହା ନାହିଁ ବୋଲା ନାହିଁ କଅଣ ମନକୁ ଆସିଲା ହୁଡ଼ ହୁଡ଼ କରି ପାଣିରେ ପଶିଗଲେ । ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାହେବ ଆଗରେ ଥୋଇ ଦେଲେ । ସାହେବ ତ ମହାଖୁସି । ଗୋଡ଼ରୁ ମୁଣ୍ଡ ଯାଏ ତିନି ଥର ଅନାଇଲେ, ପଞ୍ଚହତା ମର୍ଦ – ବାହୁ ଯୋଡ଼ାକ ଗୋଲ ଗୋଲ ମୋଟା ମୋଟା, ଦୁଇ ହାତରେ ଚେକା ପାଇବ ନାହିଁ, ମୁଠୁଣିଏ ଚଉଡ଼ା ଛାତି, ଚକା ମୁହଁ, ଗଉଡ଼ା ନାକ, ଜଙ୍ଘଗୁଡ଼ାକ ସଳଖ ମୋଟା ଶାଳଗଜାପରି । ସାହେବ ଭାରି ଖୁସି ହୋଇ ପଚାରିଲେ, “ତୁମ୍ କୋନ୍ ହେ?” “ମଣିମା ମୁଁ ଜମିଦାର ପଲର ସୁବଳ ସେଠ।” ସାହେବ – “ତୁମ୍ କନେଷ୍ଟବଳ ନୌକରି କରେଗା?” ସେଠିଏ ଟିକିଏ ଗୁମ୍ମାରି ରହିଲେ । ଦଣ୍ଡକ ବାଦ କହିଲେ, “ମୁଁ ଘର ଆଡ଼େ ନ ବୁଝି କହି ପାରୁ ନାହିଁ।” ସାହେବ ବୁଝିପାରିଲେ ନାହିଁ । ଜମାଦାର ମୁହଁକୁ ଚାହିଁଲେ, ଜମାଦାର ଇଂରେଜ ପଢୁଆ ବୋଲି ଚୌକିଦାର ମାନଙ୍କୁ ଜଣା । ଆମ୍ଭେମାନେ ଜାଣୁଁ ସେ ଫାଷ୍ଟବୁକ୍ ଖଣ୍ଡକ ବିଲକୁଲ ପଢ଼ିଥିଲେ, ଆଉ କାଗଜରେ ଇଂରେଜୀରେ ଦସ୍ତଖତ କରନ୍ତି । ସେ ମହାକୁଡ଼ କଥା ଇଂରେଜୀରେ ସାହେବଙ୍କୁ ବୁଝାଇ ଦେଲେ। “Sir, this guala Mahakur says he ask his wife, If she says, he will constable” ସାହେବ ମନ ମଧ୍ୟରେ ଟିକିଏ