ମଦନ, ବାପା ସାନ୍ତ ମୋତେ ପଠାଇଛନ୍ତି, ତୋତେ ଘେନି ଗାଁକୁ ଯିବି । ତୋର ବିଭାଘର ।" ମଦନ ଅଜା ମୁହଁକୁ ଏକଧ୍ୟାନରେ ଚାହିଁ କଥା ଶୁଣୁଥିଲେ, "ବିଭାଘର" ଏହି କଥାଟା ଶୁଣି ତାଙ୍କ ମୁଣ୍ଡ ବୁଲାଇ ଦେଲାଣି । ହାତରୁ ଭାତଗୁଣ୍ଡାଟା କେତେବେଳେ ଖସି ପଡିଲା, ତାଙ୍କୁ ଜଣା ନାହିଁ । ଅଜା ସାନ୍ତ ଭାତଥାଳିରେ ହାତ ଦେଇ ତଳକୁ ଅନାଇ କଥା ହାଙ୍କି ଯାଉଛନ୍ତି - ମଦନଙ୍କ କାନରେ କଥାଗୁଡାକ ପଶୁଛି କି ନାହିଁ, ତାଙ୍କୁ ଜଣା । "ମଙ୍ଗଳପୁର ଜମିଦାର ରାମରାମ ଦାସଙ୍କ କନ୍ୟାଟିରେ ଏହି ପନ୍ଦର ବରଷ ପଶିଛି । ଖୁବ୍ ଡୌଲ, ଗୋଟିଏ କାଠିରେ ଗଢା, ଚମ୍ପା ଫୁଲ ପରି ରଙ୍ଗ, ଖୁବ୍ ପାଠୋଈ; ଛାନ୍ଦକୁ ଛାନ୍ଦ ଗୀତ ମୁହେଁ ମୁହେଁ ହାଙ୍କିଯାଏ । ଦେଖ ମଦନ, ମୁଁ ଢେର ଆଡେ ଲାଗି ଲାଗି ତୋ ପାଇଁ ଏହି କନ୍ୟାଟି ଠିକ୍ କରିଛି । କନ୍ୟାକୁ ଯେତେବେଳେ ଦେଖିବୁ, ଅଜା ସତୁଆ କି ମିଛୁଆ, ଜାଣିବୁ । ମୋ ପାଇଁ ବକସିସ୍ ଦରକାର । ତୋ ଆଡୁ ଅଲଗା ଗୋଟିଏ ବରମପୁରୀ ପାଟ ଜଥା ପାଇବି । କଣ କହୁଛୁ ମଦନ ?" ମଦନର ଜ୍ଞାନ ଅଛି ଯେ, କଥାର ଉତ୍ତର ଦେବ ? ବୋଧକରୁ, ମନ ମଧ୍ୟରେ କହୁଛି, 'ଜଥା - ନା ତୋ ମୁଣ୍ଡ ବକସିସ୍ ପାଇବୁ ।' ମଦନ ରାତିସାରା ବିଛଣାରେ ପଡି ଭାବୁଛି, ଆଖିରେ ନିଦ ନାହିଁ । ଆଜିକାଲିକା ଇଂରାଜୀ ପାଠୁଆ ଭେଣ୍ଡିଆଙ୍କ ମଧ୍ୟରୁ ଗୋଟାଏ ଗୋଟାଏ ଅଦିନିଆଁ କଖାରୁ ବାହାରି ପଡନ୍ତି - ତାଙ୍କ ଜାଣିବାରେ ବାପଟା ମୂର୍ଖ, କିଛି ଜାଣେ ନାହିଁ, ସେମାନେ ଆପେ ଔପନ୍ୟାସିକ, କନ୍ୟା ବାଛି ବିଭା ହେବେ । କନ୍ୟାର ରୂପ ଗୁଣ ଘେନି ବାପ ସଙ୍ଗରେ ବୋଲାବୋଲି କରି ବସନ୍ତି । ମଦନ ସେପରି ଶ୍ରେଣୀରୁ ବାହାର । ଆଜିଯାଏଁ ବାପର କୌଣସି କଥାରେ ଜବାବ ଦେଇ ନାହିଁ । ସେ ଗୋଟିଏ କଥା ଧରିଛି, ବାପ ପରି ମଙ୍ଗଳକାମୀ ତାହାର ଆଉ ଜଗତରେ କେହି ନାହିଁ । ଅନ୍ୟ ସ୍ୱାର୍ଥପର ଲୋକଗୁଡାଙ୍କ ପାଖରୁ କିଛି ଦୂରରେ ଥାଏ । ମାତ୍ର ମଦନ ବିଭାଘର କଥା ଶୁଣି ଟିକିଏ ଲାଜ ପାଇଲାଣି, ଅଜା ମୁହଁକୁ ଅନାଇ ପାରୁନାହିଁ, ବାପକୁ ଜବାବ ଦେବ କଣ ? ଢେର ଭାବି ଭାବି ଗୋଟାଏ କଥା ତାହା ମନରେ ପଡିଗଲା- ମୋତେ ଭଲ କରି ଇଂରେଜୀ ପଢାଇବା ପାଇଁ ବାପା ଢେର ଥର କହିଛନ୍ତି । ମଦନ ମନ ଟିକିଏ ଖୁସି ହେଲା, ଏହି କଥାଟିକୁ ସଙ୍ଖାଳି କରି ଶୋଇ ପଡିଲା ।
ତହିଁ ଆରଦିନ ସକାଳେ ଅଜା ନାତି ଦୁହେଁ ଖାଇ ବସିଛନ୍ତି । ବୁଢା ମନରେ ବିଚାରିଲା, ପିଲାଟା ତ କିଛି ଜବାବ ଦେଲା ନାହିଁ - କଥା କଣ ? ନାତିର ମନ ବିଡିବା ପାଇଁ ଅଜା କହି ବସିଲେ, "ବୁଝିଲୁ ରେ ନାତି, ଏପରି ଭଲ ଘର ଭାଗ୍ୟକୁ ମିଳେ । ହେବ ନାହିଁ କ୍ୟାଁ - ବାପସାନ୍ତ ଯେପରି ପୂଣ୍ୟବନ୍ତ, ତୁ ଯେପରି ପିତୃଭକ୍ତ ଧାର୍ମିକ ପିଲା ତୋତେ ଏ କନ୍ୟା ମିଳିବ ନାହିଁ ଆଉ କାହାକୁ ମିଳିବ ? ଦିନେ ହେଲେ ବାପ ସାନ୍ତଙ୍କ କୌଣସି କଥାରେ ନା-ପଦ ତୋ ମୁହଁରୁ କାଢି ନାହୁଁ । ଏଥିଲାଗି ଦେଶଯାକ ତୋର ପ୍ରଶଂସା । ତୁ ପିଲାଟା ହେଲେ କଣ ହେଲା, ସବୁ ଶାସ୍ତ୍ର ବୁଝୁ । ଜାଣୁ ! ଶାସ୍ତ୍ରରେ ଲେଖା ଅଛି, 'ବାପ ଯେଉଁ ପୁଅ ପ୍ରତି ସନ୍ତୁଷ୍ଟ, ସବୁ ଦେବତାଠାରୁ ସେ ବର ପାଏ ।' ଆଉ ଗୋଟାଏ କଥା ବୁଝିଥା, ଏପରି ପାତ୍ରୀ ହାତରୁ ଥରେ ବାହାରି ଗଲେ ଆଉ କେଭେଁ ମିଳେ ନାହିଁ । ବାପା ସେଥିପାଇଁ ଚଞ୍ଚଳ ହୋଇ ପଡିଛନ୍ତି । ସ୍ୱୀକୃତ ହୋଇ ଗଲାଣି । ଆସନ୍ତା ମକର ସତର ଦିନ ଶୁକ୍ଳ ଦଶମୀକୁ ଲଗ୍ନ, ତେଣିକି ଲଗ୍ନ ନାହିଁ । ଆଉ ତୋର ଯୋଡା ବୟସ ପଡିବ, ବର୍ଷେ ବିଭା ବନ୍ଦ । ଯା, ସ୍କୁଲମାଷ୍ଟରଙ୍କୁ କହି ବୋଲି ତୋ ପୋଥିପତ୍ର ଘେନି ଚାଲିଆ । କାଲି ସକାଳେ ଚାଲିଯିବା । ଆଉ ଦିନ ନାହିଁ ମଝିରେ ମାସ ଯୋଡାଏ ।" ମଦନ ବାବୁ ମୁଣ୍ଡପୋତି ଧୀରେ ଧୀରେ କହିଲେ, "ବାପା