ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପସ୍ୱଳ୍ପ
-୧-
ରେବତୀ

କଟକ ଜିଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର । ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର। ଆଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରୀ ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସା ଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି । ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇ ପଇସା ହାତ ପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରି ଟଙ୍କାରୁ ଊଣା ହେବ ନାହିଁ, ସଂସାର ଏକରକମ ଚଳେ। ଏକରକମ କିଆଁ ? ବୋଇଲେ ଭଲ ଚଳେ । ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ । ବାଡ଼ିରେ ଶାଗ ମାଗ ଛାଡ଼ି ସଜନା ଦୁଇ ଗଛ । ଘରେ ଲଗାପଡ଼ିଆ ବରଷବିଆଣୀ ଗାଈ ଦୁଇଟା ବନ୍ଧା; ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ । ବୁଢ଼ୀ ଚଷୁ ମିଶାଇ ଘଷି ତାଡ଼ି ଦିଏ, କାଠ କିଣା ବାଧେ ନାହିଁ । ଜମିଦାର ସାଢ଼େ ତିନି ମାଣ ଜମି ଚଷିବାକୁ ଦେଇଛନ୍ତି, ଧାନ ବଳେ ନାହିଁ, କି କମେ ନାହିଁ । ଶ୍ୟାମବନ୍ଧୁଟି ବଡ଼ ସିଧା ସଳଖ ଲୋକ, ପ୍ରଜାମାନେ ମାନନ୍ତି, ସୁଖ ପା’ନ୍ତି। ବାପରେ, ଧନରେ କହି କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରି ଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ, ସେ ଚାରି ଆଙ୍ଗୁଳି ତାଳପତ୍ର ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇଯାଏ । ଜମିଦାର ପିଆଦା ଆସିଲେ ଗାଁ’କୁ ଛାଡ଼େ ନାହିଁ, ଆପେ ହାତ ଓଠ ଧରି ଧୂଆଁ ଦୁଇ ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ । ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ ଚାରି ଜଣ, ଆପେ ଦୁଇ ପରାଣୀ, ମା’ ବୁଢ଼ୀ, ଦଶ ବରଷର ଗୋଟିଏ ଝିଅ । ଝିଅର ନାମ ରେବତୀ । ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଆଉ ଭଜନ ଗାଏ, କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ, ରେବତୀ ପାଖରେ ବସି ଶୁଣୁଥାଏ । ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି, ତା ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ।