ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପସ୍ୱଳ୍ପ

ମା - ଏ କଣ ରେ ବାପ ! ଏ କି କଥା ? ଏତେବେଳେ କଣ ଏପରି କଥା କହନ୍ତି ? ବାଟରେ ତୋତେ ଗ୍ରାମଦେବତୀ ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ । ମୋର କିଛି ହୋଇନାହିଁ । ଏହି କେତେ ଦିନ ଭାରି ଭିଡ଼ ପାଇଟିରେ ଲାଗିଥିଲି, ଖିଆପିଆ ଠିକ୍ ନ ଥିଲା । ଗ୍ରାମ-ଦେବତୀଙ୍କୁ ଦଣ୍ଡବତ କରି ଦହିମାଛ କରି ଯା ।
"ମଙ୍ଗଳଂ ଭଗବାନ୍ ବିଷ୍ଣୁଃ"-
ମନ୍ତ୍ର ପଢି ପୁରୋହିତ ବରଅନୁକୂଳ କରାଇ ଦେଲେ ।

ହରିପୁରରେ ପ‌ହ‌ଞ୍ଚିବାକୁ ହାତଗଣନ୍ତା ଠିକ ପଚିଶ ଦିନ ଲାଗିଲା । ସଙ୍ଗରେ ଦଫେ ଗୋଟିପୋ ଗାଆଣିଆ ଥିଲେ । ଭଲ ଜାଗା ପାଇଲେ ଦିନେ ଦିନେ ସଞବେଳେ ନାଟ ଗାଆଣ ହୁଏ । ନଦୀକୂଳପାଖିଆ କୋଶକ ବାଟରୁ ଲୋକେ ଧାଇଁଆସି ଗାଆଣ ଶୁଣନ୍ତି ।

ଯୁଧିଷ୍ଠିର ସାହୁଙ୍କ ଘର କୋଶକ ଦୂରରୁ ସଞବେଳୁ ରୋଷନାଈ ଲାଗିଲା । କଟକୀ ଭୁଇଁଚମ୍ପା, ଚନ୍ଦ୍ରଉଦିଆ, ଗଛବାଣ ସାଂଗରେ ଯାଇଥିଲା । ଯୁଧିଷ୍ଠିର ସାହୁ ବି ଢେର୍ ବାଜା, ବାଣ ଠିକ କରିଥିଲେ । ଦଶକୋଷ ବାଟରୁ ଲୋକେ ଚୁଡ଼ା ଚାଉଳ ବାନ୍ଧି ରୋଷନାଈ ଦେଖିବାକୁ ଆସିଥିଲେ । ବାହୁଡ଼ିବା ବେଳେ ବୋଲାବୋଲି ହୋଇ ଗଲେ, ଗୋଟାଏ ରଜାପୁଅ ବାହାରେ ବି ଏତେ ଆଟୋପ ହେବ ନାହିଁ ।

ବିଭା ବଢିଲା, ଅଷ୍ଟମଙ୍ଗଳା ବି ହୋଇଗଲା । ଏବେ ବର କନ୍ୟା ବିଦା କଥା ! ହଁ ଆଜି, ହଁ କାଲି, ହଁ ଆସନ୍ତା ଶୁକ୍ରବାର - ରବିବାର ଏହିପରି କରୁଁ କରୁଁ ମାସେ କାଳ ବିତି ଗଲାଣି । ଶେଷରେ ଦିନେ ଯୁଧିଷ୍ଠିର ସାହୁ କୁବେର ସାହୁଙ୍କୁ କହିଲେ, "ସମୁଧିଏ ! ନଈରେ ନାହିଁ ଜଳ - ଢେର୍ ଜାଗା ହରିଣି ଖୋଳିବାକୁ ହେବ - ଢେର ବିଳମ୍ବ ହେବ । ଏଣେ ଖରା ପଡ଼ି ଆସିଲାଣି । ତୁମ ଆମ କଥା ଯାହାହେଉ, ପିଲାଯୋଡ଼ାକ ଯାଉଛନ୍ତି, ପୋଇଲି ପରିବାରୀ ବି ଜଣ ସଙ୍ଗରେ ଥିବେ, ସେମାନଙ୍କର ବଡ଼ କଷ୍ଟ ହେବ । ମୁଁ କହୁଛି, ଗହଣ ଲୋକଙ୍କୁ ବିଦା କରି ଦେଉନ୍ତୁ, ପିଲାଟି ଆଉ ଆପଣ ଦୁଇଜଣ ରହନ୍ତୁ । ପହିଲୁ ଆଷାଢ଼, ଯିମିତି ନଈରେ ପିତାପାଣି ପଡ଼ିବ, ନାଆ ମେଲି ଦେବେ । ଆପଣ କଣ ଏବେ ପରଲୋକ ଯେ ଜଗିଜାଗି କଥା କହିବି ? ଏହି ଦେଖନ୍ତୁ, ଚଞ୍ଚଳ ସବୁ ଆୟୋଜନ କରିବାକୁ ପଡ଼ିଲା, ପିଲାମାନଙ୍କୁ ତ ଦିଖଣ୍ଡ ଗହଣାଗାଣ୍ଠି ଦେବାକୁ ହେବ । ଦେଖୁଛନ୍ତି ତ ପୁଞ୍ଜାଏ ବଣିଆ ଦିନ ରାତି ପାଇଟିରେ ଲାଗିଛନ୍ତି । ଚଞ୍ଚଳର କାମ ନୁହେ- ଟିକିଏ ମଠ ନ ହେଲେ ସବୁ ଠିକ ହୋଇ ପାରିବ ନାହିଁ । ଆଉ ଆଉ ପାଞ୍ଚ ଚିଜ ତ ଦେବାକୁ ହେବ । ଆଠଖଣ୍ଡ ନାଆ ଗହଣରେ ଦେବି ତିଆରି ସରି ନାହିଁ । ନଈକୂଳରେ ଯାଇ ଦେଖନ୍ତୁ, ଅଧାଅଧି ବି ହୋଇନାହିଁ । "କୁବେର ସାହୁ ମନ ମଧ୍ୟରେ ଭାଳିଲା, 'ଏହି ତ ଷୋଳଗୋଡ଼ିଆ ସାତଖଣ୍ଡ ନାଆ ତିଆରି ଲାଗିଛି, ଗ‌ହଣାଗାଣ୍ଠି ବି ତିଆରି ଲାଗିଛି, ପିଲାଟା ଘରକୁ ଚଞ୍ଚଳ ଯାଇ କଣ କରିବ ?ପଇସାର ଫନ୍ଦି ଫିକରରେ ମନ ନାହିଁ, ମା ପୁଏ ଯୋଡ଼ାକଯାକ ୟାଙ୍କୁ ଦିଅ, ତାଙ୍କୁ ଦିଅ, ଘରୁ ଚିଜବସ୍ତ ବାଣ୍ଟରେ ଲାଗିଥିବେ । ଉଛୁଣିକା ଏତିକି ଲାଭ, ବୁଢ଼ା ଆଖି ବୁଜିଲେ ସବୁ ମୋର । ନା ନା,ବୁଢ଼ାର ମନ ଭାଙ୍ଗିବା ଭଲ ନୁହେଁ ।' ଘଋ ପାଖରେ କୁବେର ସାହୁ ମୁହଁରୁ କେବେ କେହି ଠାକୁର ନାମ ଶୁଣି ନାହିଁ, ସବୁବେଳେ କଳନ୍ତର ଲାଭ ହିସାବ । ହରିହର ପୁରକୁ ଆସିବାଦିନୁ ସବୁବେଳେ ମୁହଁରେ 'ଜଗନ୍ନାଥେ-ଜଗନ୍ନାଥେ-ନୀଳାଚଳନାଥେ'ଲାଗି ରହିଛି । କୁବେର ଆଖି ବୁଜି କହିଲା, "ହେଉ ହେଉ ସମୁଧିଏ ! ଆପଣ ଯାହା ଆଜ୍ଞା କରିବେ, କିଏ ଅନାସ୍ଥା କରିବ ? ଆପଣ ତ ସବୁ ଜାଗାର ମାଲିକ ।" ଗହଣର ସବୁ ଲୋକଙ୍କୁ ବିଦା କରି ଦିଆଗଲା, କେବଳ ବାପେ ପୁଏ ଆଉ କେତେଟା ଚାକର ରହିଲେ ।