ପୃଷ୍ଠା:Galpa swalpa.djvu/୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ


ପାଖକୁ ଧାଇଁଲା । କୁକୁଡ଼ା ଡାକ ଆଗରୁ କଲିକତାରେ ଯିମିତି ତୋପ ପଡେ, ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ ଗଙ୍ଗାସ୍ନାନକୁ ବାହାରିଯାନ୍ତି । ଢେର ଜାଗାରେ ଠାକୁର ଠାକୁରାଣୀ ଦର୍ଶନ କରି ଗଦିକୁ ବାହୁଡିବାକୁ ବେଳ ଦୁଇ ଘଡ଼ି । ଧର୍ମକାର୍ଯ୍ୟ କରିବାକୁ ସେଇଟ ହେଲା ଅସଲ ବେଳ । ଫୁରୁସତ ବା କାହିଁ ? ବାବୁଙ୍କୁ ନ ଭେଟି ଗୋପାଳ ତାଙ୍କ ପଲଙ୍କ ତକିଆ ତଳେ ପୋଟଳାଟି ଥୋଇ ଦେଲା । ତାହାର ବି ସେ କଥା ଆଉ ମନେ ନାହିଁ । ବାବୁ ସ୍ନାନ ସାରି ଆସିବା ବେଳକୁ ଚାକର ବିଦିଆ ବାରିକ ଗଦି ଝାଡ଼ଝୁଡ଼ କରି ଗଙ୍ଗାଜଳ ଛିଞ୍ଚି ଧୂପ ଚାରଗୁଳ ଧୂଆଁ ଜାଳିଦେଇ ସାରିଛି । ବାବୁ ବଡ଼ ମାଣ୍ଡିଟାକୁ ଆଉଜି ବସି ରୂପାବନ୍ଧା ହୁକାରେ ଭଡ଼ର ଭଡ଼ର କରି ଗୁଡାଖୁ ପିଇବାକୁ ବସିଲେ । ଆଗରେ ଦୁଇକଡ଼ା କଣା କଉଡ଼ି ବନ୍ଧା ବ୍ରାହ୍ମୁଣ ହୁକା, କାୟସ୍ଥ ହୁକା କଂସା ବଇଠକରେ ଥୁଆ ହୋଇଛି । ଏଇଟା ହେଲା କଲିକତା ସବୁ ଗଦିର ଦସ୍ତୁର ।

ବେଳ ଛ ଘଡ଼ି ବେଳେ ହଠାତ୍ ବାବୁଙ୍କର ମନରେ ପଡ଼ିଲା ମୋହର କଥା । ହଁ ମୋହର କାହିଁ ? ବାବୁ ଛିଡ଼ା ହୋଇ ପଡ଼ିଲେ, ହୁକାଟା ହାତରୁ ଖସି ପଡି ନିଆଁ ପାଣି ଗଦିଯାକ ବୁଣି ପଡିଲାଣି, ଦେଖୁଛି କିଏ ! ପାଞ୍ଚଟା ମୋହର । ବଡ଼ କଥା ନୁହେ, ଏ ଯେ ହେଲା ଆକବରୀ ମୋହର । ସେହିପରି କପାଳିଆ ଲୋକକୁ ଲକ୍ଷ୍ମୀ ଆଲିଙ୍ଗନ କରନ୍ତି, ଆକବରୀ ମୋହର ମିଳେ । ସେ ମୋହର ଗଲେ ଲକ୍ଷ୍ମୀ ଛାଡ଼ିଯାଏ । ବାବୁ ତ ମୁଣ୍ଡରେ ହାତ ଦେଇ ଗୁମ୍ ମାରି ବସିଗଲେ । ଗୋପାଳ ରୋଷେଇ ଘରେ ବସିଥିଲା, ମୋହର ଖୋଜା ଶୁଣି ଧାଇଁ ଆସିଲା । ବାବୁଙ୍କୁ ହସି ହସି କହିଲା, ଆଜ୍ଞା ! ଆଜ୍ଞା ! ମୋହର ଅଛି ।" ବାବୁ ଧାଇଁ ଆସି ଗୋପାଳକୁ କୁଣ୍ଢେଇ ପକାଇଲେ । ଗୋପାଳ ମୋହର କାଢ଼ି ଦେଇ ପାଇବାର ହାଲ ସବୁ କହିଲା, ବାବୁ ଦଣ୍ଡେଯାଏ ତାକୁ ଅନାଇ ନିଶ୍ୱାସଟାଏ ପକାଇଲେ ।

ସେହି ଦିନ କତିରୁ ତୁଚ୍ଛାଟାରେ ହେଲେ ବାବୁ ଦଶ ଥର 'ଗୋପାଳ ରେ,ଗୋପାଳ ରେ', ଡାକ ପକାଉଥିବେ । ଭୋଜନ ବେଳେ ଥାଳୀ ପାଖରେ ଗୋପାଳ ଅବଖୁରାରେ ଜଳ ଥୋଇ ନ ଦେଲେ ବାବୁଙ୍କୁ ଆଉ ଜଳ ଭଲ ଲାଗେ ନାହିଁ । ବାବୁଙ୍କ ବିଡ଼ିଆ ଗୋପାଳ ଭାଙ୍ଗିବ । ଶେଜ ପରାଟା ଗୋପାଳ ଜିମା । ବାବୁଙ୍କ ଶ୍ରଦ୍ଧା ଦେଖି ଗଦିର ଆଇ ପାଞ୍ଚଜଣ ବି ତାକୁ ମାନିଲେଣି । ବାବୁଙ୍କ ଇଚ୍ଛା, ବଡ଼ ଗୋଟାଏ କିଛି ପାଇଟିରେ ତାକୁ ଲଗାଇବେ । ହେଲେ ଓଡିଆ ପିଲା; ମଫସଲଗାଁରେ ଘର, ଏଣେ ତ କଲିକତାଟା ଠକ, ଗଣ୍ଠିକଟା ଖଣି କଣ ବୋଲି କଣ ହୋଇଯିବ, ହେଉ, ଆଉ ଟିକିଏ ପାରି ଯାଉ ।

ଦିନ ବେଳ ଛ ଘଡ଼ିଯାଏ ଚୁଲୀରେ ଲୁଣ୍ଡା ପଡିନାହିଁ । ରୋଷେଇଆ ବାହ୍ମୁଣ କାହିଁ ? ହଁ, ଦେଖ ଦେଖ, ବାବୁଙ୍କ ଟଙ୍କା ସିନ୍ଦୁକ ଚାବି ଭଙ୍ଗା, ପାଞ୍ଚ ଶହ ଟଙ୍କାର ଥଳିଟା ନାହିଁ । ଢେର ଖୋଜ ତଲାସ ହେଲା । ଥାନାରେ ଏତଲା ଦିଆଗଲା, ଆଉ ପୂଝାରୀ ଏକା ବେଳକେ ଗୁମ୍ ! ଗୋଳମାଳରେ ବେଳ ଗଡିଗଲାଣି, ବାବୁ ଉପାସ ବସିଛନ୍ତି । ବଙ୍ଗାଳୀ ବାହ୍ମୁଣ ହାତରୁ ତ ଖାଇବେ ନାହିଁ, ଏତେ ଚଞ୍ଚଳ ଓଡିଆ ବ୍ରାହ୍ମଣ ବା କାହୁଁ ଘଟୁଛି ? ଗୋପାଳ ହାତ ଯୋଡ଼ି କହିଲା, "ଆଜ୍ଞା! ମୁଁ ତେବେ ଦିଟା ଚଢେଇଁ ଦିଏଁ ?" ବାବୁ କ‌ହିଲେ ତୁ ପାରିବୁ ରେ ? ଆଚ୍ଛା ହେଉ, ଏ ଓଳିଟା ଚଳିଯାଉ । "ବାବୁ ଠା ପିଢାରେ ବସି ଦେଖିଲେ, ଏତେ ଚଞ୍ଚଳ ପାଞ୍ଚତିଅଣ, ପୁଣି ବଡ଼ ଭଲ । ପଚାରିଲେ, "ଆରେ ଗୋପାଳ, ତୁ କିମିତି ରାନ୍ଧି ଶିଖିଲୁ ରେ ?" "ଆଜ୍ଞା ପୁଝାରୀ ରନ୍ଧା ଦେଖି ଦେଖି ଶଖିଛି । ସେ ରାନ୍ଧୁଥିବା ବେଳେ ମୁଁ ବସି ଦେଖୁଥାଏ |"

ବାବୁ ଏଣିକି ଗୋପାଳ ହାତ ଛଡ଼ା ଆଉ କାହାରି ହାତରୁ ଜଳ ଛୁଅଁନ୍ତି ନାହିଁ । ପୁଣି ଦେଖିଲେ, ବଜାର