ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ


ଗଲାଣି, ଚଉଦ ପୁରୀ ପନ୍ଦର ଚାଲିଛି । ଗୋପାଳ ବାବୁ ଗ୍ରାମକୁ ଯାଇଥିଲେ, ଅବଧାନେ ଦେବୀ ଓଝା ଆସି କହିଲେ, "ସାନ ବାବୁ ଖୁବ ବୁଦ୍ଧିଆ, ଭାରି ପାଠୁଆ । ଖଡ଼ିପାଠ, ପୋଥିପାଠ ସବୁ ଛିଡ଼ିଲାଣି । ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ ।" ଅସଲ କଥାଟା, ରାଜୀବଟା ଭାରି ଦୁଷ୍ଟ । ଚାଟଶାଳୀରେ ବଡ ଉତ୍ପାତ କରେ, ଅବଧାନଙ୍କ ସାଙ୍ଗରେ ବି ତୋଖଡ଼ ମୋଖଡ଼ ଲଗାଇଲାଣି । ବଡ଼ଲୋକ ପୁଅ, ଜମିଦାର ପୁଅ ବୋଲି ଅବଧାନେ ଶଙ୍କି ରହିଥାନ୍ତି, କିଛି କହି ପାରନ୍ତି ନାହିଁ । ବାବୁ ପୁଅର ପ୍ରଶଂସା ଶୁଣି ଭାରି ଖୁସି । ଅବଧାନେ ଗୋଟିଏ କଥା, ପାଞ୍ଚୋଟି ଟଙ୍କା ପୁରସ୍କାର ପାଇ ଦଣ୍ଡବତଟା କରି ମେଲାଣି ଘେନିଲେ । ସାନ୍ତାଣୀ (ରାଜୀବଙ୍କ ମାତା) ଶାନ୍ତଙ୍କୁ କହିଲେ, "ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନି ଯାଅ।" ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବାପାଇଁ ବାବୁଙ୍କର ବି ଇଚ୍ଛା ଥିଲା |

କଲିକତା ବଳବାବୁ ମହାଜନ ଗଦି ସାଙ୍ଗରେ ବଡ ବଡ ଇଂରାଜ ସଉଦାଗର ହା‌ଉସମାନଙ୍କର କାରବାର । ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ, ଗୋଟାଏ ଦୋଭାଷୀ ଜରିଆରେ କଥା ଚଳେ । ବାବୁ ଇଂରାଜୀ ଜାଣନ୍ତି ନାହିଁ - ସାହେବ ବି ଓଡ଼ିଆ ବୁଝେ ନାହିଁ । ବାବୁ ଢେର ଥର ବିଡ଼ିଲେଣି ମଝିରେ ଦୋଭାଷୀ ଖାବଳେ ମାରିନିଏ । ରାଜୀବ ଯେବେ ଇଂରାଜୀ ପାଠପଢ଼ି କାମରେ ଲାଗିବ, କେହି ଠକାଇ ପାରିବ ନାହିଁ । ଗଦିର ସରକାର କେଲକାଟା ଏଣ୍ଡ୍ରୁ, ଏକାଡେମିରେ ରାଜୀବ ବାବୁଙ୍କ ନାମ ଲେଖାଇ ଦେଇ ଆସିଲା । ପଢ଼ା ଚାଲିଛି ତ ଚାଲିଛି । ମାସକୁ ଥରେ ସ୍କୁଲ ଦରମା ଓ କିତାପର ଦାମ ନେବା ବେଳେ ବାପ ପୁଅଙ୍କର ଭେଟ । ବାପେ ପାଠ ସଇ ନେବେ କଣ, କିପରି ପଢ଼ୁଛି ପଚାରିବାକୁ ବି ବେଳ ନାହିଁ । ତିନି ଚାରି ବର୍ଷ ବିତି ଗଲାଣି, ମାସକୁ ମାସ ସ୍କୁଲ ଦରମା ଆଉ କିତାପର ଦାମ ପଚାଶ ଟଙ୍କାରୁ ବଳିଲାଣି । ଦିନେ ବାପେ ପଚାରିଲେ, "କିରେ ରାଜୀବ, ଏବେ ଏତେ ଖରଚ କ୍ୟାଁ ?" ରାଜୀବ ବାବୁ ଜବାବ ଦେଲେ, "ବାପା,ମୁଁ କିଲାସ ଢେର ଉପରକୁ ଉଠି ଗଲିଣି, ସେଥିପାଇଁ ଏତେ ଖରଚ । "ବାପେ କହିଲେ, "ତେବେ ଆଉ ପଢ ନା, ଆ କାମରେ ଲାଗ ।" ରାଜୀବ ବାବୁ କହିଲେ, "ନା ବାପା, ପାସ ନ କଲେ ଇଂରାଜୀ ପାଠ ହୁଏ ନାହିଁ ।" ମହାପାତ୍ରେ ବି ଶୁଣିଥିଲେ, ଇଂରାଜୀରେ ଗୋଟାଏ ପାସ ହୁଏ । କହିଲେ, "ହଁ ରେ, ସେ କଥା ମତେ ଜଣା ଅଛି, ତୁ ବେଶି ବେଶି ପାସ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ ।" ବାପା ପୁଅ ଦୁହିଁଙ୍କ ମନ ଖୁସି ।

ଚାରି ପାଞ୍ଚ ବର୍ଷ ମଧ୍ୟରେ ବାବୁଙ୍କ ଇଂରାଜୀ ପଢ଼ା କେତେ ଦୂର ହେଲା, ସେ କଥା ଜଣା ନାହିଁ; ମାତ୍ର ଢେର ଢେର ସଭା ସମିତିରେ ଉପସ୍ଥିତି, ଥିଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ବାବୁ ପକ୍କା ହୋଇଗଲେଣି । ସ୍ୱଦେଶର ଉନ୍ନତି ସାଧନ ନିମନ୍ତେ କେତେଜଣ ବନ୍ଧୁ ମିଳି ଏକାବେଳକେ ଯୋଡ଼ିଏ ସମିତି ସ୍ଥାପନ କଲେ । ମଙ୍ଗଳବାର ଦିନ 'କୁସଂସ୍କାର-ବିମର୍ଦ୍ଦିନି' ଶନିବାର 'ନାରୀସ୍ୱାଧୀନତା-ବିବର୍ଦ୍ଧିନୀ' ସଭାର ଅଧିବେଶନ ହୁଏ । ଦୁଇ ସଭାର ସମ୍ପାଦକ ନିଜେ ବାବୁ । ସଭାର ସମସ୍ତ ବ୍ୟୟ ବହନ କରିବା ତ ସମ୍ପାଦକ ପକ୍ଷରେ ଉଚିତ, ଏଇଟା ହେଲା କଲିକତାର ନିୟମ । ସଭାରେ ଢେର ଢେର ବକ୍ତ୍ରୁତା ହୁଏ । ସମ୍ପାଦକ ଢେର ଥର ବକ୍ତୃତା କଲେଣି । ତାଙ୍କ ବକ୍ତୃତାରେ ଯେଉଁଦିନ ବେଶି ହାତତାଳି ପଡ଼େ, ସେଦିନ ହୋଟେଲବାଲାର ବେଶ ଆୟ ।

ଆକସ୍ମିକ ଗୋଟାଏ ସନ୍ନିପାତ ବେମାରୀ ଆସିଲା, ଦିନ ତିନିଟା ଭିତରେ ସଜ୍ଞାନରେ ବାବୁ ଗୋପାଳଚନ୍ଦ୍ର