ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ


ପାତ୍ରଙ୍କୁ ଦିନବେଳେ ତର କାହିଁ ? ଅଧ ରାତିରେ ଗାଁ ଲୋକେ ଖାଇ ଶୋଇଲା ବାଦେ ପାତ୍ରଙ୍କୁ ବେଳ ମିଳେ । ନିଜର ଥୋରି ବଳଦରେ ଲଦି ପିଲାର ମାଲଗୁଡିକ ଆପଣା ଘରକୁ ଘେନି ଆସନ୍ତି । ଗାଁ ଦିଗବାର କହି ବୁଲେ, "ପାତ୍ରେ ଦଶଗୋଟା ବଳଦରେ କୋଡିଏ ଦିନ ପର୍ଯ୍ୟନ୍ତ ଧାନ ଚାଉଳ, ଲୁଗାପଟା, କଂସା ବାସନ ଚିଜବସ୍ତ ସବୁ ବୋହିଥିଲେ ।" ଗାଁ ଲୋକେ ସେ କଥାକୁ ସତ ମଣିଲେ । ବିଶାଳର ଘରପରି ଘରଟାଏ ଥିଲା । ତାହାର ଚାରିଟା ମରେଇରେ ଚାଳିଶ ପଚାଶ ଭରଣ ଧାନ ମଜୁଦ ଥିଲା, ଏ କାଥାଟା ସମସ୍ତଙ୍କୁ ଜଣା । ଏ ବାଦ ମକ୍ରୁ ବିଶାଳ ଖାତକମାନଙ୍କୁ କୋଡିଏ ପଚାଶ ଭରଣ ସରିକି ଧାନ କରଜ ଦେଇଥିଲେ । ପାତ୍ରେ ମୂଳ କଳନ୍ତର ଅସୁଲ କରିନେଲେ, ବିଶ୍ୱାଏ ଧାନ କାହାରିକୁ ଛାଡ଼ି ଦେଇନାହାନ୍ତି । ସେ କହନ୍ତି, "ଛେଉଣ୍ଡ ମାଲ କେମିତି ଛାଡ଼ିବେ ? ନିଜର ହେଲେ ଦଶ ଗୌଣୀ ଛାଡ଼ି ଦିଅନ୍ତେ ।" ଆଉ ପାତ୍ରେ ଗାଁ ଲୋକମାନଙ୍କ ଆଗରେ ସବୁବେଳେ କହି ବୁଲନ୍ତି, "ବିଶାଳଟା ବଡ ସାହାଖର୍ଚ୍ଚି ଲୋକ ଥିଲା । ସବୁ ଖାଇ ପିଇ ଉଡ଼ାଇ ଦେଇ ଯାଇଛି, ଛେଉଣ୍ଡଟି ଲାଗି କିଛି ରଖି ଯାଇ ନାହିଁ ଘରକରଣା ଭିତରେ ଯାହା ଥିଲା ପଲାଣ ପାଣ୍ଠି ଦିଖଣ୍ଡ, ମୁଁ ତାକୁ ସଙ୍ଗାରେ ଉଠାଇ ରଖିଛି । ପିଲାଟା ପାରିଲେ ତା ଜିମା କରିଦେବି । ମୁଁ କଣ ସେ ପଲାଣରେ ବାହିବି ? ରାମ ରାମ ।" ମାଇଁ ପାଞ୍ଚ ମାଇକିନିଆଙ୍କ ଆଗରେ କହି ବୁଲନ୍ତି, "ମୋ ବୀରେଇ ଆଗ ତ ଚଣ୍ଡୀ ପଛ । ତା ବାପର କିଛି ନ ଥିଲା ତ ନାହିଁ, ମୋର କଣ ଉଣା ଅଛି ? ବସି ବସି କୋଡ଼ିଏ ବରଷ ଖାଉ ।"

ଦିନ ପାଣସୁଅ ପରି ବହି ଯାଉଛି । ଦେଖୁ ଦେଖୁଁ ଚାରି ବର୍ଷ ଚାଲିଗଲାଣି । ଆସନ୍ତା ତୁଳା ଛ ଦିନରେ ବୀରେଇର ଜନ୍ମଦିନ, ଆଠବର୍ଷ ପୁରି ଯାଇ ନ ବର୍ଷ ପଶିବ । ବୀରେଇ ଆଉ ମାମୁଁ ପୁଅ ଚଣ୍ଡିଆ ଅବଧାନଙ୍କ ଚାଟଶାଳୀରେ ବସିଛନ୍ତି। ବୀରେଇଟି ଧୀର, ପଡ଼ଢ଼ାରେ ବି ଖୁବ ମନ । ଖଡ଼ିପାଠ ମିଶାଣ ଫେଡାଣ ହରିଗୁଣ ଛିଡାଇ ରାସ ପୋଥି ଧରିଛି । ଚଣ୍ଡିଆର ତେର ବର୍ଷ ପୂରିଗଲାଣି, ହେଲେ କଣ, ଆଜିଯାଏ ଖଡ଼ିପାଠ ଓଡ଼ାଙ୍କ ବି ଛିଡ଼ିଲା ନାହିଁ । ମାଇଁର ଗୋଟିଏ ବୋଲି ଆଖି, ବଡ ଗେଲ କରନ୍ତି । ମା ମୁହଁ ପାଇ ବଡ ଉତ୍ପାତିଆ ହୋଇଗଲାଣି, ଘରୁ ବାହାରିଲା ତ ପାଞ୍ଚଘରୁ ଦଶ ବୋଲଣା ଆସିବ-ଚାଲିଲା ଶଗଡରେ ହାତ ଦିଏ । ତା ନାମରେ କେହି କିଛି ଆସି ଗୁହାରି କଲେ ମା ପୁଅକୁ ଦାଣ୍ଠିବା ଥାଉ, ଓଲଟା ଗାଁ ଲୋକଙ୍କ ସାଙ୍ଗରେ କଳି କରିବେ । ମାଙ୍କର ବିଶ୍ୱାସ, ଚଣ୍ଡିଆଟା ଦେଖିବାକୁ ବଡ ସୁନ୍ଦର ବୋଲି ଗାଁ ମାଇକିନିଆଏ ହିଂସାରେ ସ‌ହି ପାରନ୍ତି ନାହିଁ । ଚଣ୍ଡୀ ଚାଟଶାଳୀରେ ବଡ଼ ଗୋଳମାଳ କରେ । ଆପେ ତ ପଢ଼େ ନାହିଁ, ପିଲାମାନଙ୍କ ସାଙ୍ଗରେ ତୁଚ୍ଛାଟାରେ କଳି ଲଗାଏ, ମାରଧର କରେ । ଦିନେ ଅବଧାନେ ସ‌ହି ନ ପାରି ବେତରେ ଖିବ୍ ପ୍ରସ୍ତେ ବାଡ଼େଇ ଗଲେ, ପିଠିରେ ଲମ୍ବ ଲମ୍ବ ନୋଳା ବସିଗଲା । ମା ତା ଦେଖି ଖୁବ୍ ଡକା ପାରି କାନ୍ଦିଲେ । ଅବଧାନଙ୍କ ଚୌଦପୁରୁଷଙ୍କ ସକାଶେ ନିତାନ୍ତ କୁତ୍ସିତ ଦ୍ରବ୍ୟ ଖାଦ୍ୟବ୍ୟବସ୍ଥା, ଆଉ ନରକ ନାମକ ସ୍ଥାନକୁ ଯିବା ସକାଶେ ଆଦେଶ କଲେ । କହିଲେ, "ମୋର କଣ ନାହିଁ ଯେ ପୁଅ ପାଠଟାଏ ପଢ଼ିବ ? ଆରେ ମୋର ଯେ ବିଷୟ ଅଛି, ତିନି ପୁରୁଷ ବସି ଖାଉ !" ଚଣ୍ଡୀର ପଢ଼ା ବନ୍ଦ । ସେ ତ ତାହା ଖୋଜୁଥିଲା । ଚଣ୍ଡୀ ଗାଁର ବାଉରି, ଧୋବା ଟୋକାମାନଙ୍କ ସାଙ୍ଗରେ ଦିନ ରାତି ବୁଲେ । ବାପେ କିଛି କାମ ପାଇଟିରେ ଲଗାଇଲେ, ମା ବାଘୁଣୀ ପରି ଗର୍ଜନ କରି କହିନ୍ତି, "ମୋର ଦୁଧଖିଆ ଛୁଆଟା କାମ ପାଇଟି କରିବ କଣ ମ ? ନଅଟା ନା ଛଅଟା ! ଗୋଟାଏ ବୋଲି ଆଖି, ସେ କଣ ଭିଡ଼ କାମ କରିପାରିବ ? ବୁଲୁଥାଉ ।" ବୀରେଇର ବି ପଢ଼ା ବନ୍ଦ । ମାଇଁ ଖପାଟାଏ ହୋଇ କହିଲେ, "ଏ ଅବଧାନଟା କିଛି ନୁହେ । କଣ ବା