ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ


ପାତ୍ରେ- ହେଉ ହେଉ, ମୋର ମନା ନାହିଁ ।

ମିଶ୍ରେ- ତେବେ ଖର୍ଚ୍ଚପତ୍ର କଥା ।

ପାତ୍ରେ- ହଁ ହଁ, ସେହି ଅସଲ କଥାଟା ଆଗେ ହେଉ । ମୁଁ ସାଫ କହିଦେଉଛି; କନ୍ୟାସୁନା ନଗଦ ହଜାରେ ଟଙ୍କା, ଏଥିରୁ ପଇସାଏ ମଷାଏ କଡ଼ାଏ ଉଣା ଅଧିକ ନାହିଁ, ବୁଝିଲେ ମିଶ୍ରେ ! ମୁଁ ନ-ଛ ଜାଣେ ନାହିଁ, ଯାହା କହିବାର ସଫା କହିଦିଏଁ, ଏଁ, କଣ କହୁଛନ୍ତି ମିଶ୍ରେ ?

ମିଶ୍ରେ ଟିକିଏ ଗୁମ୍ ଖାଇ କହିଲେ, ଟିକିଏ ବୁଝିସୁଝି ବୋଲନ୍ତୁ, ବୀରେଇ ବିଚରା ଏତେ ଦେଇ ପାରିବ କ୍ୟାଁ ? ସେ ପାଞ୍ଚଶହ ତକ ଯାଇ ପାରେ ।"

ପାତ୍ରେ ଟିକିଏ ତେଜରେ କହିଲେ, "ମୋର ଆଉ ଦୁଇ କନ୍ୟା ସକାଶେ ରୋକଠୋକ ଦୁଇ ହଜାର ପାଇଛି, ସେଇଟା ତ ତୁମ ଆଗର କଥା, ଫେର ଏପରି ଅନ୍ୟାୟ କଥା କ୍ୟାଁ କହୁଛ ?

ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ବର ଯୋଡ଼ାକର ବୟସ ଷାଠିଏ ଷାଠିଏ ହୋଇଥିଲା, ଦୁହେଁଯାକ ଥିଲେ ଦୋଜବର । କନ୍ୟା ଯୋଡ଼ିକ ରାଣ୍ଡ ହୋଇ କିପରି ଦୁଃଖରେ ଅଛନ୍ତି, ଦେଖୁ ନାହାନ୍ତି ? ଏଣେ ଦେଖନ୍ତୁ, ବୀରେଇ କାଲିକା ପିଲା ।"

ପାତ୍ରେ ଖପାଟା ହୋଇ କହିଲେ, "ହୋଇ ହେ ମିଶ୍ରେ ! ତୁମେ ପାଠୁଆ ଲୋକଟା ହୋଇ ଏପରି ଅନ୍ୟାୟ କଥା କିମିତି କହିଲ ହେ ? ଆରେ ସେମାନଙ୍କ କପାଳରେ ଥିଲା, ରାଣ୍ଡ ହେଲେ । ମୁଁ କଣ କହି ଦେଇଥିଲି, ରାଣ୍ଡ ହୁଅ ? ବାପ ଜନ୍ମ ଦେଇଛି ବୋଲି କଣ କର୍ମ ଦେଇଛି ?"

ମିଶ୍ରେ- ଯାଉ ସେ କଥା, ଆପଣଙ୍କ ସାଙ୍ଗରେ ବୋଲାବୋଲି କରିବି କଣ ? ଆପଣ ଛେଉଣ୍ଡଟିକୁ ଟିକିଏ ଦୟା କରନ୍ତୁ, ସେହି ପାଞ୍ଚଶରେ ମଙ୍ଗି ଯାନ୍ତୁ ।

ପାତ୍ରେ- ହକ୍ ବେବହାରରେ ଦୟା ମାୟା କଣ ମିଶ୍ରେ ? ହଁ, ଆଉ ଗୋଟାଏ କଥା ବୁଝ, ମୋର ଆର ଦି ଝିଅଙ୍କର ୯ ବର୍ଷ ଲେଖାଏଁ ହୋଇଥିଲା, ଏ ତ ଚଉଦ ବର୍ଷର ଝିଅ, ଯିମିତି ଯିବ, ଈଶାଣରେ ପଶିବ । ଆମ ପନ୍ଥାରେ ଏଡେ ବଡ଼ କନ୍ୟା କାହିଁ ? ୟା ପିଛେ ଭାତ ଲୁଗାରେ କେତେ ଟଙ୍କା ସାରିଲିଣି ? ପାଞ୍ଚଶ କହୁଛ - ଶିବପୁରରେ ଦୀନୁ ପରିଡ଼ା ଓ ଗୋବିନ୍ଦପୁରର ଶାମ ମହାପାତ୍ର ଟଙ୍କା- ଥଳୀ ଧରି ମାସକୁ ତା ଦୁଆରେ ବସି ଗଲେ, ତେତେବେଳେ ପାଞ୍ଚଶରେ ନ ଦେଇ ଏବେ ଦେବି କ୍ୟାଁ ? ଆଉ ଗୁଡ଼ାଏ ବଜର ବଜର କରନା ମିଶ୍ରେ । ହଜାରେ ହେଲା ତ ବସ, ନୋହିଲେ, ସିଧା ଦାଣ୍ଡ ପଡ଼ିଛି ।

କମଳୀ କବାଟ କଣରେ ବସି ସବୁ କଥା ଶୁଣୁଥିଲା । ସେ ଏତେବେଳେ ସବୁ କଥା ବୁଝିଲାଣି, ଭଉଣୀମାନଙ୍କ ଅବସ୍ଥା ଆଖିରେ ଦେଖୁଛି, ଆଉ ଜଣାଯାଏ, ବୀରେଇକୁ ବଡ଼ ଭଲପାଏ । ଟଙ୍କା ଦରଦାମ ନ ପଟିବାରୁ ମିଶ୍ରେ ଉଠିଗଲେ । କମଳୀ ତୁନି ତୁନି ଢେର କାନ୍ଦିଲା । ଦୁଇ ତିନି ଦିନ ହେଲା ଖିଆପିଆ ଛାଡିଲାଣି, କେବଳ କାନ୍ଦୁଛି । ମା ନାହିଁ, ତା ମନ କଥା ବା କିଏ ବୁଝୁଛି ? ଶେଷରେ ଖୁବ୍ ଗୋଟାଏ ହେମତ ବାନ୍ଧିଲା । ଗାଁର ଲେଖାଯୋଖା ଅପି ଆଈକୁ ଧରିଲା । ମନର କଥା ଫିଟାଇ କହିଲା, "ଆଈ ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢ଼ା ବରକୁ ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁ ପଡ଼ିବି ।" ଅପି ଆଈ ଆସି ରାଘବ ପାତ୍ରଙ୍କୁ କମଳୀ କଥା କହିବାରୁ ପାତ୍ରେ ଖୁବ୍ ଗୋଟାଏ ଖପା ହୋଇ ଝିଅକୁ ଢେର ଗାଳି ଦେଲେ । "ମୁଁ ତୋତେ ଚଉଦ ବରଷ କାଳ ଖୁଆଇ ପିଆଇ