ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ଆସିଲା । ବୀରେଇ କମଳୀ ଦୁଇଜଣ ଦୁଇ ଗିନା ତେଲ ଲଗାଇ ଦେଇ ଦୁଇଜଣଙ୍କୁ ଗାଧୁଆ ପାଧୁଆ କରାଇ ଦେଇ ଦୁଇଖଣ୍ଡ ଧୋବ ଲୁଗା ପିନ୍ଧାଇ ଦେଲେ । ମାଈଁ ତଣ୍ଟିରେ ଭାତ ଗଳୁ ନାହିଁ । କମଳୀ ଅଧସେରେ ସରିକି ଦୁଧରେ ମୁଠାଏ ଭାତ ଚକଟି ପିଆଇ ଦେଲେ ।

ଡାକମୁନ୍‌ସି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି । ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି । ବର୍ତ୍ତମାନ ହେଡ଼ ପିଅନ, ଦରମା ମାସକୁ ନଅ ଟଙ୍କା । କଟକ ସହରରେ ସବୁ ଜିନିଷ କିଣା । ନିଆଁ ଟିକକ ପାଇଁ ଦିଆସିଲ୍‌ ଲାଇଟା ମଧ୍ୟ ନ କିଣିଲେ ନୁହେଁ । ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଞ୍ଚ ଟଙ୍କାରୁ ଊଣା ଖରଚ ପଡ଼େ ନାହିଁ । କୌଣସି ରୂପେ ଘରକୁ ଚାରିଟଙ୍କା ନ ପଠାଇଲେ ନୁହେଁ । ଘରେ ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ । ମଫସଲ ଜାଗା, ଚାରି ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ । ସେଥିରୁ ପଇସାଏ ଊଣା ହେଲେ ଅଚଳ । ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ । ସ୍କୁଲରେ ଦରମା ମାସକୁ ଦୁଇଅଣା । ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍‌ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶି ଖରଚ ପଡ଼େ । ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ । ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ । ଉପାସ ହେଉ ପଛେ, ମୋ ଗୋପାଳଟି ପଢ଼ୁ ।

ଦିନେ ପୋଷ୍ଟମାଷ୍ଟର ସର୍ଭିସ୍‌ ବୁକ୍‌ ଦେଖି କହିଲେ, “ହରି ସିଂହ, ତୁମ୍ଭର ପଞ୍ଚାବନ ବର୍ଷ ବୟସ ହୋଇଗଲା, ପେନ୍‌ସନ୍‌ ନେବାକୁ ହେବ, ଆଉ ଚାକିରି କରି ପାରିବି ନାହିଁ ।” ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା । କଣ କରିବେ, ସଂସାର ଚଳିବ କିପରି ? ସଂସାର ଯାହାହେଉ, ଗୋପାଳର ଯେ ପଢ଼ା ବନ୍ଦ । ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି-ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସବ୍‌ପୋଷ୍ଟମାଷ୍ଟର ହେବ-ଅତି ନିକୁଛରେ ଭିଲେଜ୍‌ ପୋଷ୍ଟମାଷ୍ଟର ହେବ । ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େବଡ଼ ଚାକିରିଟା ମିଳିବା ମୁସ୍କିଲ । ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ । ଚାକିରି ଗଲେ ତେଡ଼େବଡ଼ ଆଶାରୁ ଏକାବେଳକେ ନିରାଶ । ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି । ଦିନେଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ ।

ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନି । ବସାରେ ମୁକରରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି । ସଞ୍ଜବେଳେ ଗୋଟାଏ ଆରାମ୍‌ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବାବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ । ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ । ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପ୍‌ରୁ ବାହାରିଲା ପରି ଧୁଆଁଗୁଡ଼ାକ ଭକ୍‌ ଭକ୍ କରି ବାହାରୁଛି, ଟିକିଏ ଟିକିଏ ଆଖି ବୁଜି ଆସିଲାଣି । ସିଂହେ ବୁଝି ନେଲେ ଏହିଟା ଠିକ୍‌ ସମୟ । ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି