ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କେଉଁଠୁ ? ତୁ ଯାହାକୁ ଅଜଗର ସାପ କହୁଛୁ, ସେ ସାପ ନୁହେଁ-ସୂର୍ଯ୍ୟବଂଶର ରାଜା ନହୁଷ । ବ୍ରାହ୍ମଣମାନଙ୍କୁ ଆପଟ କରି ତାଙ୍କ କାନ୍ଧ ଉପରେ ଚଢ଼ିଥିଲା । ବ୍ରାହ୍ମଣମାନେ ବି ସିମିତି ଖପା ହୋଇ ଅଭିଶାପ ଦେଲେ । ରାଜା ସାଙ୍ଗେ ସାଙ୍ଗେ ଅଜଗର ସାପ ପାଲଟି ଗଲା । ଦେଖିଲୁ ଆଗେ କିମିତି ବ୍ରାହ୍ମଣମାନଙ୍କର ତେଜ ଥିଲା ?

ଗଣପତି-ଆଜି ବି କଣ ତେଜ ନାହିଁ ? ଯଜମାନଙ୍କୁ, ଯାତ୍ରୀଙ୍କୁ ଛାନିଆ କରି ପକାଉଛନ୍ତି ।

ଅଜା-(ଟିକିଏ ରାଗିଯାଇ କହିଲେ) କଣ ? ବ୍ରାହ୍ମଣ ନିନ୍ଦା କରୁଛୁ ?

ଗଣପତି-ନାହିଁ ନାହିଁ ଅଜା, ମୁଁ ଥଟ୍ଟା କରି କହିଲି । ଆଚ୍ଛା, ମହାଭାରତର ଆଉ ଗୋଟିଏ କଥା ଶୁଣନ୍ତୁ । ଗୋଟିଏ ଶୁଆ ଚଢ଼େଇ ବଣ ଭିତରେ ବସା ବାନ୍ଧିଥିଲା । ସଞ୍ଜବେଳେ ଜଣେ ଅତିଥି ତା ଦୁଆରେ ପହ୍ଞ୍ଚିଲେ । ଶୁଆଟି ବଡ଼ ଅତିଥି ସେବା କରେ । ସେ କଣ କଲା ନା, ଧାଇଁ ଯାଇ ଚଞ୍ଚଳ ଅତିଥିଙ୍କୁ ଗୋଡ଼ ଧୋଇବାକୁ ପାଣି ଦେଲା, ଆସନ ଖଣ୍ଡିଏ ପକାଇଦେଲା, ଆଉ ଭୋଜନପାଇଁ କିଛି ଚାଉଳ ଆଣି ଦେଲା । ଅତିଥି ଭାତ ରାନ୍ଧିଲେ । ମଲା ଯା ! ତିଅଣ ଯେ ନାହିଁ ! ଅତିଥି କଣ କଲେ କି, ତୁନି ଯାଇ ଶୁଆ ବେକ ମୋଡ଼ି ଦେଲେ । ତା ମାଉଁସ ତରକାରି କରି ସୁନ୍ଦର ଭୋଜନ କଲେ । ଆଚ୍ଛା ଅଜା, ଶୁଆ ଯେ ଚାଉଳ ଆଣି ଦେଲା, ତା ଘରେ ଚାଉଳ କିଏ କୁଟି ଦେଲା ? ଶୁଆଣୀ କୁଟିଦେଲା ପରା ?

ଅଜା ତ ଟିକିଏ ହଇରାଣରେ ପଡ଼ିଗଲେ- । ଅଣ୍ଟାରୁ ନାସଦାନୀ କାଢ଼ି ଲାଗ ଲାଗ ତିନି ଚାରି ଟିପା ନାସ ଶୁଙ୍ଘି ଦେଲେଣି । ତହିଁ ଉତ୍ତାରେ ଖନେଇ ଖନେଇ କହିଲେ, "ଆଚ୍ଛା ଗଣି, ମୁଁ ଉଛୁଣି ଭଲ ବୁଝି ପାରୁନାହିଁ । କାଲି ମୁଁ ତତେ ବେଶ କରି କହିବି, ବେଶ ବୁଝି ପାରିବୁ । ମୁଁ ଟୀକା ପଢ଼ି ନାହିଁ । ରାମ ମିଶ୍ରେ ବେଶ ସଂସ୍କୃତ ଜାଣନ୍ତି । ସେ ଟୀକା ପଢ଼ିଛନ୍ତି-ସେ ବୁଝାଇ ଦେବେ ।"

ଗଣପତି-ଆଚ୍ଛା ଅଜା, ଆଉ ଦିନେ ଦୁଇଜଣ ସାଙ୍ଗସୁଙ୍ଗା ହୋଇ ମିଶ୍ରଙ୍କ କତିକି ବୁଝାବୁଝି କରିବାଲାଗି ଯିବା । ଆଉ ଗୋଟିଏ କଥା ମୋତେ ବୁଝାଇ ଦେଉନ୍ତୁ, ଦେଖେଁ । ପିଲା ଶ୍ରୀକୃଷ୍ଣ ଗୋପପୁରେ ଥିଲେ । ତାଙ୍କୁ ମାରି ପକାଇବାପାଇଁ କଂସ ପୂତନା ରାକ୍ଷସୀକୁ ପଠାଇ ଦେଲା । ସେ ପୂତନା କଣ କଲା କି, ନାରୀ ବେଶ ଧରି ଆପଣ ସ୍ତନରେ ବିଷ ଭର୍ତ୍ତିକରି ଗୋପପୁରକୁ ଆସିଲା । ଶ୍ରୀକୃଷ୍ଣ ବିଷ ମିଶା କରି ତା ସ୍ତନ ଚଁ କରି ଟାଣି ଦେଲେ, ପୂତନା ରଡ଼ିଟାଏ କରି ମରି ପଡ଼ିଗଲା । ସେ କଥା ମହାଭାରତରେ ବି ଲେଖା ଅଛି । ଶ୍ରୀକୃଷ୍ଣ ଜନ୍ମବେଳେ ଗୋଟାଏ ଶକୁନି ଗ୍ରାମରେ ଆସି ବସିଲା । ଶକୁନି ଅର୍ଥ ପୂତନା । ମହାଭାରତରେ ପୂତନା କଥା ଏହିପରି ଲେଖା । ଆଉ ଗୋଟାଏ ପୁରାଣରେ ଲେଖାଅଛି ପିଲାବେଳେ ଶ୍ରୀକୃଷ୍ଣଙ୍କୁ ପିହୁଡ଼ା ରୋଗ ହୋଇଥିଲା । ପିହୁଡ଼ା ରୋଗ ପୂତନା । ବୋଇଲ ଅଜା, କେଉଁ ପୁରାଣଟା ସତ ? ଆଚ୍ଛା ଅଜା ! ପୂତନା ତ ଊଣେଇଶ ଯୋଜନ ମାଡ଼ି ପଡ଼ିଲା, ତେବେ ଗୋପପୁରରେ ଯେତେ ମଣିଷ, ଗୋରୁ, ପଶୁ, ପକ୍ଷୀ ଥିଲେ, ସବୁ ତ ଚାପା ପଡ଼ି ମରିଗଲେ-ଗୋପପୁରର ସବୁ ଗଉଡ଼ ବଂଶ ବି ମରିଗଲେ ? କାହିଁ, ସେ କଥା ତ କେଉଁ ପୁରାଣରେ ହେଲେ ଲେଖା ନାହିଁ ।

ଅଜା ତ ବଡ଼ ହଇରାଣରେ ପଡ଼ିଲେଣି । କିଛି ଉତ୍ତର ନ ଦେଇ ପାରି କେବଳ ନାସ ଶୁଙ୍ଘୁଛନ୍ତି । ଶେଷରେ କହିଲେ, "ହଇ ରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି । ସତ, ଗୋପପୁରଟା ତ ଏତେ ବଡ଼