ପୃଷ୍ଠା:Gobar Gotei (C Mohapatra, 1930).pdf/୧୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ନିକଟରେ ପାଇଚି- ଛାଡ଼ିବ କିପରି ? ସୋରଜର ସବୁ ପୂର୍ବ କଥା ଗୋଟିକଠୁ ମନେ ପଡ଼ିଲା, ସେ ମନେ କଲା- "ବିନୋଦର କଥା ଠିକ୍ । ହାୟ ! ଏହି ସୁକୁମାର ଫଳଟିକୁ ତପ୍ତ ଜଳରେ ନିକ୍ଷେପ କରିଥିଲେ ତାର ଅବସ୍ଥା କଣ ହୋଇଥାନ୍ତା- ଏବଂ ତା' ସଙ୍ଗେ ମୋର ଦଶା କଣ ହୋଇଥାନ୍ତା ?"

"ମଣି ! ମଣି ! ଯେବେ ମୁଁ ତୋତେ ବିବାହ କରେଁ, ତେବେ ମୁଁ ତ ବ୍ରାହ୍ମଣ ଜାତିରେ ଆଉ ରହିବି ନାହିଁ ? କିପରି ପୁଣି ହେବ ? ମୋତେ ତ ଜାତିବାଲା ଅଟକ କରିବେ ?"

ମଣି କିଛି ସଙ୍ଗେ ସଙ୍ଗେ କ‌ହି ପାରିଲା ନାହିଁ- ଶେଷରେ ବଡ଼ କଷ୍ଟରେ କ‌ହିଲା- "ତୁମ ନିକଟରେ ଜାତି ସମାଜର ବନ୍ଧନ କେତେ ଦୂର ଜାଣେ ନାଁ- ତ‌ଥାପି ତମର ଯଦି ସେପରି ଅସୁବିଧା ହୁଏ, ତେବେ ମୋର ବିବାହ ପ୍ରୟୋଜନ ନାହିଁ । ମୁଁ ଚାହେଁ ତମର ମଙ୍ଗଳ । ମୋର ସ୍ୱାର୍ଥ ପାଇଁ ତମର କ୍ଷତି କରିବା ମୋର ଇଚ୍ଛା ନୁହେଁ । ଆହା ମୋତେ କଣ ତୁମ ବିବାହିତ ସ୍ତ୍ରୀର ଦାସୀଭାବରେ ରଖିବ ନାହିଁ ?"

ସରୋଜ କାନ୍ଦିପକାଇଲା- ଦୁହେଁ ଦୁହିଁଙ୍କୁ ଧରି ଖୁବ୍ ଅସରାଏ ଲେଖାଏଁ କାନ୍ଦିଲେ । ସରୋଜ ଧୈର୍ଯ୍ୟ ଧରି କ‌ହିଲା- "ମଣି ! ତୁ ମୋର ହୃଦୟର ଦେବତା-ନନ୍ଦନର ପାରିଜାତ-ତୋତେ ମୁଁ ଦାସୀ କରି ରଖିବି-ଆଉ ମୋର ଗୃହର ଅଧୀଶ୍ୱରୀ କିଏ ହେବ ? ଛାର ଜାତି-ସମାଜର ବନ୍ଧନ ପାଇଁ ମୁଁ ତୋତେ ଦାସୀ କରିବି-? ହାୟ, ଆଉ କାନ୍ଦନା ? ତୁ ମୋର-ମୁଁ ତୋର-ମୁଁ ତୋ'ପାଇଁ-ତୁ ମୋ ପାଇଁ-ଆମେ ଦୁହେଁ ପରସ୍ପର ବନ୍ଧା- । ପିତା ବାନ୍ଧି ଦେଇ ଯାଇଅଛନ୍ତି-ମୁଁ ମୂଢ-ବୁଝି ନ ପାରି ବ୍ରହ୍ମାଣ୍ତ ବୁଲୁଥିଲି । ତୁ ମୋତେ ପ୍ରାଣ‌ଠାରୁ ଅଧିକ ଭଲ ପାଉ- ମୁଁ ତୋତେ ପ୍ରାଣ‌ଠୁ ଅଧିକ ଭଲପାଏ । ଏହା କେହି କାହା