ପୃଷ୍ଠା:Hada bagicha.pdf/୧୦୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରେମ ସ୍ୱୟଂଭୁବର ମନରେ କାଣିଚାଏ ସୁଦ୍ଧା ନାହିଁ । ଏବଂ ଏକଥା ଶତରୁପା, ଲିଲି, ପିପି, ଟୁଟି କେହି ବୁଝି ପାରିଲେ ନାହିଁ । ସେମାନେ ବୁଝିଥିଲେ ହୁଏତ ସ୍ୱୟଂଭୁବ ବେଶି ଖୁସି ହୋଇଥାନ୍ତା । ମାତ୍ର ସେମାନେ ବୁଝିପାରି ନଥିବା ହେତୁ ସେ ଆଦୌ ଦୁଃଖିତ ନୁହେଁ । ଏମାନଙ୍କ ସାଙ୍ଗରେ ସ୍ୱୟଂଭୁବରେ ପ୍ରେମବଣିଜ ବିଫଳହେବାର ନିର୍ଦିଷ୍ଟ କାରଣ ଅଛି । ପ୍ରିୟତମ ବସ୍ତୁ ଓ ପ୍ରିୟତମ ମଣିଷ ଭିତରେ ଫରକ୍ ନ ଜାଣି ସ୍ୱୟଂଭୁବକୁ ସେମାନେ ବସ୍ତୁଟିଏ ଭାବିଥିଲେ । ବସ୍ତୁକୁ ଫିଙ୍ଗା ଯାଇପାରେ, ଛିନା ଯାଇପାରେ, ଅଟକ ରଖାଯାଇପାରେ, ଗେଲରେ ପିଟାମରା ଚିରାଫଡ଼ା କରାଯାଇପାରେ । ଯାହାତାହା କରାଯାଇପାରେ । ମାତ୍ର ପ୍ରିୟତମ ମଣିଷକୁ ସେପରି କରାଯାଇପାରେ ନାହିଁ । ତେଣୁ ସେ ହାରିଯାଏ ଏବଂ ନିଜକୁ ବସ୍ତୁଟିଏ କରିବାକୁ ଚେଷ୍ଟାକରେ । ନିଜେ ସ୍ୱୟଂଭୁବର ସମୁଦାୟ ସଂସାର, ନୟନପିତୁଳୀ, ଦାସୀ, ଖେଳନା ହେବାକୁ ଅହରହ ଚେଷ୍ଟାକରେ । ତହିଁରେ ବି ସେ ହାରିଯାଏ । କାରଣ ସ୍ୱାଧୀନତା ବୋଲି ଶବ୍ଦଟିଏ ଅଛି । ମଣିଷର ସବୁ ସ୍ୱାଧୀନତା ଅଛି, ମାତ୍ର ସ୍ୱାଧୀନ ନ ହେବାର ସ୍ୱାଧୀନତା ନାହିଁ । ଏକଥା ବି ତା ପ୍ରେମିକାମାନେ କେହି ବୁଝିପାରିଲେ ନାହିଁ । ପାହାଡ଼ ଶିଖରରେ ଏଇ ପାଞ୍ଚଦିନିଆ ନିବାସକୁ କୁହାଗଲା "ଇଗ୍ଲୁ' । ଇଗ୍ଲୁ ଭିତରେ ସବୁକିଛି ଯଥା ସ୍ଥାନରେ ସଜା ହୋଇ ରହିଲା ପରେ ଶତରୁପାଙ୍କ ଯୋଜନା ଅନୁଯାୟୀ ଆହୁରି ଗୋଟିଏ ଦିନ ବାକି ଅଛି । ପ୍ରଥମ ଦିନ ଓ ରାତି ଦୁଇଜଣ ବନ୍ଧୁଙ୍କ ସହ ବିତାଇବାର ବ୍ୟବସ୍ଥା କରାଗଲା । ଛୋଟ ଏକ ବନ୍ଧୁକ ବି ରଖାଗଲା କେବଳ ବନ୍ୟଜନ୍ତୁମାନଙ୍କୁ ଡରାଇ ଘଉଡ଼ାଇ ଦେବା ସକାଶେ । ପ୍ରଥମ ରାତିରେ କେବଳ ତିନି ଯୋଡ଼ା ଆଖି ଦେଖାଗଲା । ଜନ୍ତୁମାନଙ୍କୁ ଚିହ୍ନି ହେଲା ନାହିଁ । ମଶା ବି କାମୁଡ଼ିଲେ ନାହିଁ । ଶୀତ ବି ବେଶୀ ନଥିଲା । ଖୁବ୍ ସୁନ୍ଦର ଭାବରେ ରାତି ବିତିଗଲା କଥା ହେଉ ହେଉ । ପରଦିନ ତ୍ରୟୋଦଶୀ ତିଥି । ସେଦିନ ହିଁ ଶତରୁପାଙ୍କ ଏଠାକୁ ଆସିବାର ଥାଏ । ଶୁକ୍ଳପକ୍ଷ ତ୍ରୟୋଦଶୀ ଚତୁର୍ଦଶୀ ପୂର୍ଣମୀ ଏବଂ କୃଷ୍ଣପକ୍ଷର ପ୍ରତିପଦ ଓ ଦ୍ୱିତୀୟା ଏମିତି ପାଞ୍ଚଦିନ ତାଙ୍କର ଏଠି ରହିବାର ଅଛି । ପରଦିନ ସକାଳବେଳା ଜିପ୍ ରେ ପାହାଡ଼ଉପରୁ ତଳକୁ ଓହ୍ଲାଇଲା ବେଳକୁ ଆହୁରି କେତେଗୁଡ଼ିଏ କାର୍ଡଦେଇ କିଛିଲୋକଙ୍କୁ ଦେଇଦେବାକୁ ବନ୍ଧୁ ଦି'ଜଣଙ୍କୁ ଅନୁରୋଧ କଲା ସ୍ୱୟଂଭୁବ । ଶିଖର ପ୍ରଦେଶରେ କିଛିଦିନ ରହିବାର ଏତେ ବିରାଟ ଆୟୋଜନ ଦେଖି ଅନେକ ବନ୍ଧୁ, ସହୋଦର, ଅଭିଭାବକ, ପଡ଼ୋଶୀ ପ୍ରତିବେଶୀ ସେମାନଙ୍କ ଆଗ୍ରହ ପ୍ରକାଶ କରି ଏଦୁହେଁ ରହିଲାପରେ ସେମାନେ ବୁଲି ଆସିବେ ବୋଲି ବାରମ୍ବାର କହୁଥିଲେ । ତେଣୁ ଶତରୂପା ଓ ସ୍ୱୟଂଭୁବ ଏକ ଅ-ନିମନ୍ତ୍ରଣ ପତ୍ର ଛପାଇ ସଭିଙ୍କୁ ବାଣ୍ଟି ଦେଇଥିଲେ । ଲେଖାଥିଲା, "ଆମେ ଜାଣୁ ଆପଣ ଆମକୁ ଖୁବ୍ ଭଲ ପାଆନ୍ତି । କିନ୍ତୁ ଆଗାମୀ ତ୍ରୟୋଦଶୀରୁ ଦ୍ୱିତୀୟା ତିଥି ପର୍ଯ୍ୟନ୍ତ ଆମେ ଦୁହେଁ ଏକାକୀ ରହିବା ପାଇଁ ଚାହୁଁ । ତେଣୁ ପାହାଡ଼ ଶିଖରରେ ଥିବା ଆମ "ଇଗ୍ଲୁ' କୁ ଆପଣଙ୍କୁ ନ ଆସିବାକୁ ଅନୁରୋଧ ରହିଲା, ଦୟାକରି ଅନୁରୋଧ ରକ୍ଷା କରିବେ । ଶତରୁପା ସ୍ୱୟଂଭୁବ ।' ଏମାନେ ଦୁହେଁ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ସାକ୍ଷାତ କରି କାର୍ଡସବୁ ବାଣ୍ଟି ଥିଲେ । କିଛି ପାଖପଡ଼ୋଶୀ ଲୋକଙ୍କ ମନ ଉଣା ହୋଇଯାଇଥିଲା । ଶତରୁପା ମଧ୍ୟ ତାଙ୍କ ମା'ଘର ଲୋକଙ୍କୁ ଏ କାର୍ଡ ଦେବାପାଇଁ ମନା କରୁଥିଲେ, କାରଣ ସେମାନେ ଖରାପ ଭାବିବେ ବୋଲି । କିଛି ଯୁକ୍ତି ପରେ କାର୍ଡ ଦିଆ ହେଲା ଓ ଶତରୁପା ନିଜେ ଖରାପ ଭାବିଲେ ବୋଲି କହିଲେ । ଲୋକେ ଖରାପ କେମିତି ଭାବନ୍ତି ଏ ରହସ୍ୟ ସ୍ୱୟଂଭୁବ ଏ ପର୍ଯ୍ୟନ୍ତ ଆବିଷ୍କାର କରି ପାରିଲା ନାହିଁ । ଜଣେ କେବଳ "ଭାବିପାରେ', ଯାହାଉପରେ ଆଉ ଜଣକର କର୍ତୁତ୍ୱ ନାହିଁ । ଖରାପ କେମିତି ଭାବି ହେଇପାରେ ତାର ଧାରଣା ନାହିଁ । ସେ ଏ ଯାଏଁ କାହାକୁ ଖରାପ ଭାବି ନାହିଁ ଏବଂ ତାପ୍ରତି କିଏ କେତେବେଳେ ଖରାପ ଭାବିଛି ସେଥିପ୍ରତି ତାର ନଜର ନାହିଁ, ବିଶ୍ୱାସ ବି ନାହିଁ । ଲୋକେ ସିଧାସଳଖ କଥା ହୁଅନ୍ତି ନାହିଁ ବୋଲି ଏମିତି ଖରାପ ଭାବିବାର ଚିନ୍ତାଧାରାଟିଏ ଆସେ । ଲୁଚାଛପା କରିବେ, ବଙ୍କେଇ କଥାହେବେ । ସ୍ୱୟଂଭୁବ କିନ୍ତୁ ନିଜ ସାଂଗେ ଏପରି ପଲିଟିକ୍ସ୍ କରିପାରେ ନାହିଁ । ତେଣୁ ସେ ନିର୍ବିକାର ଥାଏ ସବୁବେଳେ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ଆକସ୍ମିକ ରହିଲା ପରି ଏବଂ ଅକସ୍ମାତ କୌଣସି ଏକ ଧୂମକେତୁର ଆବିର୍ଭାବ ହେଲାପରି, ଏଥର ପୂର୍ଣମୀ ତିଥିଟି ଶତରୁପାଙ୍କ ପାଇଁ ଅକସ୍ମାତ ଅନନ୍ୟ ହୋଇଯାଇଛି । ବିବାହର ସାତବର୍ଷ ଠିକ୍ ସେହିଦିନ ପୁରୁଛି । ସର୍ବୋପରି ସେଦିନ ପୂର୍ଣମୀ ହେଉଛି, ଅର୍ଥାତ ଜହ୍ନର ମାଧ୍ୟାକର୍ଷଣ ତାଙ୍କ ଶିରାଧମନୀ ଭିତରେ ଥିବା ଲାଲରକ୍ତରେ ଜୁଆର ଆଣିବାର ଦିନ । କୋଷଭିତରେ କ୍ରୋମଜମ୍ମାନଙ୍କୁ ଉତ୍ତେଜିତ କରିବାର ଦିନ । ତାଙ୍କର ସ୍ୱପ୍ନକୁ ଆହୁରି ବର୍ଣାଢ୍ୟ କରିବାର ଦିନ । ଏମିତି ବି ହୋଇପାରେ କ୍ରୋମଜମ୍ ଭିତରେ କ୍ଷୁଦ୍ର ଜିନ୍ ସମୂହରେ ଧୂମକେତୁର ଆବିର୍ଭାବ ଘଟିପାରେ, ଯାହାପାଇଁ ସେ ସାତବର୍ଷ ହେଲା ଅପେକ୍ଷା କରିଛନ୍ତି । ପୃଥିବୀଗର୍ଭରେ ଉତ୍ତପ୍ତ ଲାଭାପରି ତାଙ୍କ ଗର୍ଭାଶୟରେ ଲକ୍ଷ ଲକ୍ଷ ଉତ୍ତପ୍ତ ଜୀବକୋଷ ଓ