ପୃଷ୍ଠା:Hada bagicha.pdf/୧୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁହଁ ସାଙ୍ଗରେ ଚୁମ୍କିର ମୁହଁ ଖାପ ଖାଉ ନଥିଲା । ଦୁଇଦିନ କାଳ ଶବମାନଙ୍କ ଗହଣରେ କାଟିବାପରେ ବି ରୁବେନ ବ୍ୟସ୍ତ କି ବିଚଳିତ ନଥିଲା । ଉଡାଜାହାଜରୁ ଖାଦ୍ୟ ପେକେଟଟିଏ ତା ପାଖରେ ଆସି ପଡିଲା । ତାକୁ ଉଠାଇ ଆଣି ସାମାନ୍ୟ ଖାଇଲା, ଅବଶିଷ୍ଟାଂଶ ପାଖରେ ଥିବା ଅଜଣା ଲୋକଙ୍କୁ ଧରାଇଦେଲା । ଲୁଣି ପାଣି ପିଇଲା । ପୁତିଗନ୍ଧମୟ ବାୟୁ ଆଘ୍ରାଣକଲା ଓ ପୁଣି ଚୁମ୍କିକୁ ଖୋଜିବାରେ ସମୟ କାଟିଲା । ତା ସାମନାରେ କିଛିଲୋକ ଗୋଟିଏ ଠେଲାଗାଡିରେ କିଛି ଶବ ଲଦି ଖୁବ କଷ୍ଟରେ ଠେଲି ଠେଲି ନେଉଥିଲେ । ଗୋଟିଏ ଶବ ତା ମା ପରି ଦେଖାଯାଉଥିଲା । କିନ୍ତୁ ରୁବେନ ପାଖକୁ ଯାଇ ତଦାରଖ କରିବାକୁ ଇଚ୍ଛା କଲାନାହିଁ । କିଛି ବର୍ଷ ପୂର୍ବେ ତା ବାପା ମଲା ବେଳକୁ କେତେ କ୍ରିୟାକର୍ମ କରାଯାଇଥିଲା । ପ୍ରାୟ ପାଞ୍ଚସାତ ଜଣ ସବୁ ବେଳେ କାନ୍ଦିବାରେ ବ୍ୟସ୍ତ ରହୁଥିଲେ । କିଛି ବୟସ୍କ ଲୋକ ବାରମ୍ବାର ତାଗିଦ୍ କରୁଥିଲେ - ପୂର୍ବ ଦିଗକୁ ମୁହଁକର ଶୁଅ, ଦିନକୁ ଥରେ ମାତ୍ର ମୁଗ ସିଝା ଖାଅ, ସେ ଦୀପକୁ ଥରେହେଲେ ଲିଭାଅ ନା, ଖାଲି ପାଦରେ ଚାଲ, ପ୍ରତିଦିନ କିଛି ବ୍ରାହ୍ମଣଙ୍କ ଗୋଡଧୋଇ ପାଣି ପିଅ ବାପାଙ୍କ ପ୍ରିୟ ଖାଦ୍ୟ ସବୁ ଲୋକଙ୍କୁ ଖାଇବାକୁ ଦିଅ । ରୁବେନ ତା ମାମୁଙ୍କୁ କହିଥିଲା, "ବାପା ପ୍ରତିଦିନ ଗଞ୍ଜାଇ ଟାଣୁଥିଲେ ଓ ମଦ ପିଉଥିଲେ, କଣ କରିବା?' ମାମୁ ପ୍ରଚଣ୍ଡ ରାଗରେ ଘର ଛାଡ଼ି ଚାଲିଯାଇ ଥିଲେ ଏବଂ ଘରେ ଗୋଟେ ହଇଚଇ ସୃଷ୍ଟି ହୋଇଥିଲା । ମାମୁଙ୍କୁ ପୁଣି ବୁଝାଇବାରେ ପ୍ରାୟ ତିନି ଦିନର ସମୟ, ଦୁଇ ଜଣଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଶାଢ଼ି ଧୋତି ଓ ସାର୍ଟକନା ବାବଦକୁ ଏକ ହଜାର ଟଙ୍କା ଖର୍ଚ କରାଯାଥିଲା । ରୁବେନ ମନେ ପକାଇଲା ତା ମାମୁ ଏବେ କୁଆଡ଼େ ଗଲେ, ତାଙ୍କ ଭଉଣୀଙ୍କ ଶବ ଦେଖିଥାନ୍ତେ । କେମିତି କିରାସିନି ଢାଳି ଟାୟାର ଜଳାଇ ଆଧୂନିକ ବୈଜ୍ଞାନିକ ପଦ୍ଧତିରେ କ୍ରିୟାକର୍ମ କରାଯାଉଛି । ରୁବେନ ଏବେ ଧାଇଁଲା । ସବୁ ଲୋକ ଯେଉଁ ପଟେ ଯାଉଥିଲେ, ତାର ବିପରୀତ ଦିଗରେ ଯାଉଥିଲା । ସେ କାହାକୁ ଦେଖୁ ନ ଥିଲା, ତାକୁ ବି କେହି ନଜର ଦେଉ ନ ଥିଲେ । ଅନ୍ୟମାନେ ବ୍ୟସ୍ତ ବିଚଳିତ । ରୁବେନ କିନ୍ତୁ ନିର୍ବିକାର ନିରବ । ଭଙ୍ଗା ଗଛ, ଭଙ୍ଗାଘର, ଭଙ୍ଗାକ୍ଷେତ, ଭଙ୍ଗା ପୋଲ, ଭଙ୍ଗାଖୁଂଟ ସଭିଏଁ ଧାଉଁଥିଲେ ତାର ବିପରୀତ ଦିଗରେ । ମଲା ବାଛୁରୀ, ମଲା ଶିଶୁ, ମଲା ଘୁସୁରି, ଜିଅନ୍ତା କୁକୁର, ଜିଅନ୍ତା ଶାଗୁଣା, ଜିଅନ୍ତା ଛଞ୍ଚାଣ ସଭିଏଁ ଧାଉଁଥିଲେ ତାର ବିପରୀତ ଦିଗରେ । ତିନିଦିନ, ଚାରିଦିନ, ସାତଦିନ ଆଠଦିନ ଏବଂ ଶେଷରେ ଦଶଦିନ ଯାଏ ପଡିଉଠି ଧାଇଁଲା ପରେ ଗୋଟିଏ ନିରାପଦ ସହରର ମଝିଛକରେ ପହଞ୍ଚିଲା । ପୁଣି ଥରେ ତା ଚୁମ୍କି କଥା ମନେପଡିଲା । ମରିଥିବ? ନା ବଞ୍ଚିଥିବ? ଦଲାଲ ମାନଙ୍କ ବ୍ୟବସାୟ କଥା ତାର ମନେପଡିଲା । ସିଧା ଗଲା ନାଲିଆଲୁଅର ବସ୍ତିକୁ । ତା ପଛରେ କିଛିଲୋକ ଲାଗିପଡିଲେ । ସେମାନେ ଲୋକ ନୁହନ୍ତି, ବିଚାର ଦଲାଲଗଣ । ପଚାରିଲେ, "କଣ ଦରକାର ସାର୍?' ରୁବେନ କହିଲା, "ମୁଁ ଜଣେ ଝିଅକୁ ଭଲ ପାଉଥିଲି, ତା ନାଁ ଚୁମ୍କି, ତାକୁ ଦରକାର ।' ସେମାନେ କିଛି ନ କହି ଚାଲିଯାଇଥିଲେ । ରୁବେନ ସେଇ ଆଖପାଖ ଅଞ୍ଚଳରେ ଆହୁରି ଦଶଦିନ ବୁଲାବୁଲି କଲା । ଦିନେ ଗୋଟିଏ ଝରକାରେ ଚୁମ୍କି ମୁଣ୍ଡ କୁଣ୍ଡାଇ ହେଉଥିବାର ଦେଖିଲା । ଚୁମ୍କି ତାକୁ ଦେଖି ନାହିଁ । କିନ୍ତୁ ତାର ଆଉ ଚୁମ୍କି ପାଖକୁ ଯିବାକୁ ଇଚ୍ଛା ହେଲାନାହିଁ । ତା ଭିତରେ କିଛି ଆନ୍ଦୋଳିତ ହେଲାନାଇଁ । ତାକୁ ଆଶ୍ଚର୍ଯ୍ୟ ଲାଗିଲା, ସେ କାହିଁକି ଏତେ ଦିନ ଧରି ତାକୁ ଖୋଜୁଥିଲା? କାହିଁକି ସେ ତାକୁ ଭେଟିବାକୁ ଚାହିୁଁଛି? ଚୁମ୍କି ସାଙ୍ଗରେ ତାର କଣ ଜରୁରୀ କାମ ଅଛି? ସେ ଯଦି ନିରାପଦରେ ସେଠି ଅଛି, ଥାଉ । ତାକୁ କାହିଁକି ସେ ଡିଷ୍ଟର୍ବ କରିବ? ଜୀବନଟା ତ ବଞ୍ଚିବାର ଯୋଗ୍ୟ । ସେ ବଞ୍ଚିଛି, ସେତିକି ତା ପାଇଁ ଯଥେଷ୍ଟ, ସେତିକି ତା ପାଇଁ ସାନ୍ତ୍ୱନା । ଏବେ ରୁବେନ ଏକ ଚା ଦୋକାନରେ କାମକଲା । ମଝିରେ ମଝିରେ ସେ ଚା ଦିଏ ଓ କାମକରେ । ଗ୍ରାହକମାନଙ୍କ ମୁହଁକୁ ଚାହିଁ ବେଳେବେଳେ ହସେ, କେବେ କେବେ ହସେନା । ତା ଗମ୍ଭୀର ମୁହଁକୁ ଦେଖି "କଣ ହୋଇଛି' ବୋଲି କେହି ପଚାରିଲେ କହେ "ଚୁମକି ହେଇଛି ।' ଏହାର ଅର୍ଥ କେହି ବୁଝିପାରନ୍ତି ନାହିଁ । କେହିକେହି ଗ୍ରାହକ ପଚାରନ୍ତି "କଣ ଆଜି ଚୁମ୍କି ହେଇଛି?' ଏମିତି ଚୁମ୍କି ଶବ୍ଦଟିର ବାରମ୍ବାର ପ୍ରଚଳନ ହେତୁ ଏବଂ ଏପରି ଥଟ୍ଟା କରୁକରୁ ଚା ଦୋକାନର ନାମଟା ବି ମାସକ ମଧ୍ୟରେ "ଚୁମ୍କି ଚା ଦୋକାନ' ହୋଇଗଲା । ଚୁମ୍କି ଚା ଦୋକାନରେ ଗ୍ରାହକ ସଂଖ୍ୟା ଖୁବ୍ ବଢ଼ିଲେ । ମାଲିକ ଏବେ ରୁବେନ ଉପରେ ଭାରି ଖୁସି । ମାଲିକଟି ରୁବେନଠାରୁ ବୟସରେ ଯଥେଷ୍ଟ ବଡ, ମାତ୍ର ଉଚ୍ଚତାରେ ଯଥେଷ୍ଟ ଛୋଟ । ତେଣୁ ସେ ମୁହଁ ଉପରେକୁ କରି ରୁବେନ ସାଙ୍ଗରେ କଥା ହୁଏ । ମାଲିକ ମୁହଁ ଉପରକୁ କରି ରୁବେନକୁ ଦିନେ କହିଲା, "ଏଇ ପାଞ୍ଚ ହଜାର ଟଙ୍କା ନିଅ, ଲିଷ୍ଟନିଅ, ଯାଅ ଦୋକାନ ପାଇଁ ସବୁ ସାମାନ କିଣି ଆଣ । "ଚୁମ୍କି ଚା ଦୋକାନ' ବୋଲି ଗୋଟିଏ