ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରେମାସ୍ପଦ ଦିନେ କହିଲା, "ସାର୍ କହୁଛନ୍ତି ମାର୍କ ରେଜିଷ୍ଟର୍ରେ ଏଣୁ ଏଣିକି ପିଲାଙ୍କ ମା ବାପା ଅଜା ଆଇଙ୍କ ନାମ ବି ରହିବ । ପୂର୍ବ ପୁରୁଷଙ୍କ ନାମ ନ ଲେଖିଲେ ପିଲାର ଜାତି, ଗୋତ୍ର ତଥା ଜିନ୍, ଡି,ଏନ୍.ଏ. ଓ ରକ୍ତର ବିଭାଗ ଜଣାପଡ଼ିବ ନାଇଁ । ତେଣୁ ସମସ୍ତେ ଲେଖିବେ ।’ ମୁଁ କହିଲି, ‘ମାର୍କ ରେଜିଷ୍ଟରରେ ପୂର୍ବପୁରୁଷଙ୍କ ନାମ? ରକ୍ତର ବିଭାଗ? ଡି.ଏନ୍.ଏ?' ପ୍ରେମାସ୍ପଦ କହିଲା, "ମୁଁ ପୂର୍ବସ୍କୁଲରେ ଚାକିରି କଲାବେଳେ ଲେଖୁଥିଲି ।' ଷ୍ଟାଫ୍‌ରେ ଯେଉଁମାନେ ଶୁଣୁଥିଲେ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଗଲା, ସଭିଏ ଅପମାନିତ ହେଲେ । କିନ୍ତୁ କ୍ଳୀବପୁରୁଷ କଥାଟାକୁ ଉପଭୋଗ କଲା । ସେ ଜାଣେ ଏଇ ନିରର୍ଥକତାପଣ ତା କ୍ଳୀବତ୍ୱକୁ ଆହୁରି ମାର୍ଜିତ କରାଇବ । ତେଣୁ ସେ ଖୁସି । ମି. ସନୋଫେବିଚ୍ ଓ ଅନୁବାଦକ ପ୍ରେମାସ୍ପଦ ସବୁବେଳେ ଚଞ୍ଚୁ ଲଗାଇ ବସିଥାନ୍ତି । ସେମାନେ ସ୍ପେନିସ୍ ଭାଷାରେ, ଇଂଗିତରେ ଏବଂ ଗୁଣୁଗୁଣୁ ଭାଷାରେ କ’ଣ କ’ଣ ସବୁ ଯୋଜନା କରୁଥାନ୍ତି, ଯୋଜନାକୁ ବାତିଲ କରୁଥାନ୍ତି, କିଛି କେହି ଜାଣିପାରନ୍ତି ନାଇଁ । କାଗଜରେ ଦୁହେଁମିଶି ଟିପଚିହ୍ନ ଦେବା କେହିକେହି ଦେଖନ୍ତି । ତା’ପରଦିନ ମି. ସନୋଫେବିଚ୍ ଉଭାନ ହୋଇଯାଆନ୍ତି କୁଆଡ଼େ । ସେଦିନ ପ୍ରେମାସ୍ପଦ "ହେଡମାଷ୍ଟ୍ରାଣୀ' ହୁଏ । କାଗଜରେ କ’ଣ କ’ଣ ସବୁ ଗାରେଇ ପକାଏ, ଚିରିଦିଏ, ପୁଣି କାଗଜ ଆଣେ, ଚିରେ, ପୁଣି ନୂଆ କାଗଜରେ ଗାରେଇ ଅନ୍ୟ କ୍ଲୀବପୁରୁଷମାନଙ୍କ ପାଖକୁ ଭୂତଙ୍କ ହାତରେ ପଠାଏ । ଯାହାର ହାତ ଥାଏ ସେମାନେ ଟିପଚିହ୍ନ ଦିଅନ୍ତି । ଅନ୍ୟମାନେ ଘରେ ହାତ ଛାଡ଼ି ଆସିଥିବାର ବାହାନା କରନ୍ତି । ଆଉ କେହି ଟିପଚିହ୍ନର ଦରକାର ନାଇଁ କହି ଟିପଚିହ୍ନ ଦିଅନ୍ତି ନାଇଁ । ପ୍ରେମାସ୍ପଦ ହାତଗୋଡ଼ ଛିଞ୍ଚାଡ଼ି ଛାଟିପିଟି ହୁଏ । ସେଦିନ ନିଦବଟିକା ଚାରୋଟି ଖାଇ ଶୁଏ । ତାର ନିରର୍ଥକ ଉପସ୍ଥିତି ଯୋଗୁଁ କ୍ଳୀବ ପୁରୁଷ ସ୍କୁଲ ଯିବାକ୍ଷଣି ସଙ୍ଗେସଙ୍ଗେ ଘରକୁ ଚାଲିଆସେ ଓ ଶୋଇପଡ଼େ । ତାର ନିଦ ବଟିକା ଦରକାର ପଡ଼େନା । ମୂଲ୍ୟହୀନତା କ୍ଳୀବ ପୁରୁଷର କ୍ଳୀବତ୍ୱ ତା ମୂଲ୍ୟହୀନ ଉପସ୍ଥିତି ଯୋଗୁ ହିଁ ପୂର୍ଣ ହୋଇପାରେ । ଅନ୍ୟଥା ନୁହେଁ । ଘରେ ତାର ସ୍ତ୍ରୀ ଥାଆନ୍ତି । ବାହାରେ ସାଙ୍ଗମାନେ ଥାଆନ୍ତି । ସହରରେ ସମ୍ପର୍କୀୟ ଥାଆନ୍ତି । ସ୍କୁଲରେ ପ୍ରେମାସ୍ପଦ ଥାଏ । ଅଥଚ ସବୁସ୍ଥାନରେ ତାକୁ ଉବୁଟୁବୁଲାଗେ । ଅଣନିଶ୍ୱାସୀ ଲାଗେ । ଜଳଭଉଁରୀ ଭିତରେ ପଡ଼ିଲାପରି ଲାଗେ । ସ୍କୁଲରେ ତାର ମୂଲ୍ୟହୀନ ଉପସ୍ଥିତିକୁ ସେ ଈଶ୍ୱରୀୟ ଉପସ୍ଥିତି ବୋଲି ମନେକରେ । ତାର ଅନୁପସ୍ଥିତି ବି ଈଶ୍ୱରୀୟ ଅନୁପସ୍ଥିତି । ସେ ସେଠି ଥାଏ ନ ଥିବା ପରି । ସେ ସେଠି ନ ଥାଏ ଥିବା ପରି । ଦିନେ ପ୍ରେମାସ୍ପଦ କହିଲା, "କଥା ହୁଅ କି ନ ହୁଅ, ତମେ ସେଠି ବସିଥିବାର ଦେଖିଲେ ମୋତେ ଶାନ୍ତି ଲାଗେ ।' ସେ ଆହୁରି ଖୁସିହେବ ଭାବିଲା ଆଉ ତା ପରଦିନଠୁ କ୍ଳୀବପୁରୁଷ କମନରୁମରେ ଆଉ ବସିଲାନାଇଁ । ଯଦି ଜଣେ ‘ବସି ଥିବାର’ ଦେଖିପାରେ, ତେବେ ସେ ‘ବସି ନ ଥିବାର’ ବି ଦେଖିପାରିବ । କ୍ଳୀବପୁରୁଷ ଦିନେ କହିଲା, "ଚାଲ ପିଲାଙ୍କ ସାଥୀରେ ସପ୍ତାହର ଛ’ଦିନରେ ଛ’ଟି ପ୍ରାର୍ଥନା କରିବା । ତୁମ ଅଧ୍ୟକ୍ଷଙ୍କୁ କୁହ ।' - "ଏ..ମା’.. ଗୋଟିଏ ତ ଭଲକରି କରି ପାରୁନାହାନ୍ତି ।' -"ପ୍ରାର୍ଥନା କ୍ଲାସରେ ପ୍ରତିଦିନ ଗୋଟେ ପାସୱାର୍ଡ଼ କହିବା, ଭୋକାବୁଲାରି ବଢ଼ିବ ।' -"ନା..ଇଁ.. ସ୍କୁଲରେ ମିଲିଟାରୀ କାନୁନ୍ କାହିଁକି କରିବା?’ - "ପିଲାଏ ଆମ ଅପନ୍ତରାରେ ଗଛ ଗୋଟିଏଲେଖାଁ ଲଗାନ୍ତୁ ଓ ତାର ନାଁଟିଏ ଲେଖାଁ ଦିଅନ୍ତୁ ।’ - "ନିଜ ନାଁ ତ ସେମାନେ ଠିକ୍କରି କହିପାରୁ ନାହାନ୍ତି ।’ - "ପିଲାଏ ନିଜ ନାଁପାଇଁ ଏକ "ବିଶେଷଣ’ ଖୋଜି ବାହାରକରନ୍ତୁ ।’ - "ବିଶେଷ୍ୟ, ବିଶେଷଣ ପିଲାଏ କ’ଣ ଜାଣନ୍ତି?' - "ପିଲାଏ ନିଜନିଜ ପ୍ରିୟ ଜିନିଷର ପ୍ରଦର୍ଶନୀ କରାନ୍ତୁ ।’ - "କିଏ କାହାର ଜିନିଷ ଭାଙ୍ଗିଦେବ, ଚୋରିକରି ନେଇଯିବ, ଅଯଥାରେ ଆମେ ବଦନାମ ହେବା ।