ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ ସେ ସୁତଳ ଓ ତଳାତଳର ମଝିରେ ପ୍ରବଳ ବେଗରେ ସ୍ରୋତକାଟୁଛି । ତା ତଳକୁ ଅଛି ମହାତଳ ଓ ରସାତଳ । ତା ଭିତରେ ସ୍ରୋତ ଆଡ଼େଇ, ମୁଣ୍ଡ କଚାଡ଼ି, ଖଣ୍ଡିଆ ଖାବରା ହୋଇ, ଅଣନିଶ୍ୱାସୀ ହୋଇ ପାତାଳରେ ପହଞ୍ଚିଲା ବେଳକୁ ତା ପ୍ରାଣବାୟୁ ବି ଚାଲିଯାଇପାରେ । ମୋକ୍ଷ ପ୍ରାପ୍ତି ହୋଇପାରେ । ମାତ୍ର କ୍ଳୀବପୁରୁଷ ମୋକ୍ଷ ଚାହେଁନା, ବରଂ ତା ପ୍ରେମାସ୍ପଦର ଧାସ ନଥିବା ନିଆଁରେ ଜଳିପୋଡ଼ି ଛାରଖାର ହେବାପାଇଁ ଅକାରଣରେ ଅସଂଖ୍ୟ ଜନ୍ମ ନେବାକୁ ଚାହେଁ । ନିଜ ପ୍ରେମାସ୍ପଦଦ୍ୱାରା ଲାଞ୍ଛିତ ଓ ଅପମାନିତ ହେବା ଅବସ୍ଥାରେ ଦୀର୍ଘକାଳ ରହିବା ଠାରୁ ସୁନ୍ଦର ଈଶ୍ୱରୀୟ ଅନୁଭବ କିଛିନାହିଁ । ସେଠି ପ୍ରତିରୋଧ ପ୍ରତିବାଦ ବା ପ୍ରତିକାର କିଛି ହେଲେ କରିବାକୁ ଇଚ୍ଛା ହୁଏନାହିଁ । ଇଚ୍ଛାମରିଯାଏ, ଆଶା ମରିଯାଏ ଓ ନିଜକୁ ନିରାକାର ଈଶ୍ୱରପରି ଲାଗେ । ଠିକ୍ ମରିବାକୁ ଯାଉଥିବା ଲୋକପରି । ଶତାଧିକ ବୟସ ବଞ୍ଚିଥିବା ବୃଦ୍ଧର ଯତକିଞ୍ଚିତ ‘ବର୍ତମାନ’ ପରି । ମୃତ୍ୟୁଦଣ୍ଡ ଭୋଗୁଥିବା ଅପରାଧୀର ବଳକାଥିବା "ଆୟୁଷ’ ପରି । ତିନିହଜାର ଫୁଟ ଉଚ୍ଚରୁ ଜଳିଯାଉଥିବା ବିମାନଭିତରୁ ଖସି ତଳକୁ ପଡୁଥିବା ବ୍ୟକ୍ତିର କିଞ୍ଚିତ ‘ଆନନ୍ଦ’ର ମୁହୂର୍ତ ପରି । ନିର୍ବିକାର, ସ୍ୱଚ୍ଛ ଓ ପବିତ୍ର । ଓଃ! ଇଶ୍ୱରଙ୍କସହିତ ଆଉକିଏ ଏ ପୃଥିବୀରେ ବେଶୀ ସମକକ୍ଷ, କ୍ଳୀବପୁରୁଷ ବ୍ୟତୀତ? ମେସୋପୋଟାମିଆଁ ଚିଠିର ବୃତ୍ତାନ୍ତ "ମୁଁ ଗାଲିପୋଲିରୁ ଲେଖୁଛି । ଜାହାଜ ଭିତରୁ । ବାସ୍ରା ଓ ଅମ୍ରାରେ ଦି’ମାସ ଯୁଦ୍ଧ ହେଲା । ଆମେ ଜିଣିଲୁ । ଗାଲିପୋଲିରେ ଆମେ ହାରିଲୁ । ଏଠି ଖୁବ୍ ଗରମ । ସହି ହେଉ ନାଇଁ । ସବୁବେଳେ ଶୋଷ । ପାଣି ଅଭାବ । ମେଲେରିଆରେ ବହୁତ ଲୋକ ମଲେ । ଶୋଷରେ ମଲେ । ବନ୍ଧୁକରେ ମଲେ । ଆମ ଦଶଜଣଙ୍କୁ ଫେରିବା ପାଇଁ ଆଦେଶ ହୋଇଛି । ଆମେ ଫେରୁଛୁଁ । ମେସୋପୋଟାମିଆଁ ଜାହାଜରେ । ଛ’ବର୍ଷ ତଳେ ମୁଁ ପାଟଣା ମହାରାଜାଙ୍କ ସାଇକେଲ ଚୋରି କରିଥିଲି । ସମ୍ବଲପୁର ଥାନାରେ ସାଇକେଲଟି ଥିଲା । ମହାରାଜା ଫେରି ପାଇଲେ କି? ଗାଲିପୋଲିରୁ ଆମେ ଆଉ ସାତ ଦିନ ପରେ ଯିବୁ । ଶକୁନ୍ତଳା ଏବେ କିପରି ଅଛି?' ଏ ଚିଠିଟି ଆସିଥିଲା ଏକ ଅଜଣା ରାଇଜରୁ । ବାପା ଲେଖିଥିଲେ ବଡ଼ବାପା ପାଖକୁ । ଯାହେଉ ଆମେ ଜାଣିଲୁ ବାପା ମରି ନାହାନ୍ତି, ବଞ୍ଚିଛନ୍ତି । କେଉଁଠି ଯୁଦ୍ଧ ହେଉଛି ବୋଲି ଆମେ ଶୁଣିଥିଲୁ । କିନ୍ତୁ ମେସୋପୋଟାମିଆଁ କ’ଣ, ଗାଲିପୋଲି କ’ଣ, ବାସ୍ରା କେଉଁଠି ଅଛି? ଏସବୁ ଏ ଖଣ୍ଡମଣ୍ଡଳରେ କାହାରି ଜାଣିବା ଉପାୟ ନଥିଲା । ଏ ଚିଠିଟି କେତେ ଦୂରରୁ ଆସିଛି । ଏଠୁ କେତେ କୋଶ ବାଟରୁ ଆସିଛି ଆମେ ଏକ ମାସ ଯାଏ ଜାଣି ପାରିଲୁ ନାହିଁ । ଶେଷରେ ବଡ଼ବାପା ଓ ଦୁଇ କାକା ମିଶି କେଉଁ ଏକ ଗୋରା ସାହେବଙ୍କୁ ପଚାରି ବୁଝିଲେ, ମେସୋପୋଟାମିଆଁ ଏଠୁ ବହୁତ ଦୂର । ଭାରତ ବାହାରେ ପଶ୍ଚିମକୁ । ବିଶ୍ୱଯୁଦ୍ଧ ଚାଲିଛି । ସରି ନାଇଁ । ମାତ୍ର ଏଠି ବ୍ରିଟିଶ ବାହିନୀ ହାରିଯାଇଛି । କିଛି ଭାରତୀୟ ସୈନ୍ୟ ନିଜ ଗାଁକୁ ଫେରୁଛନ୍ତି । ଜନାର୍ଦନ ପଣ୍ଡା ବି ଫେରୁଛନ୍ତି ।