ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଢ଼ାଇବାରେ ଲାଗି ପଡଂତୁ । ‘ଏଠି କାହାକୁ ପ୍ରେମ ବି କରି ଆସୁନାଇଁ, ମୁଁ ଚାକିରି ଛାଡ଼ିଦେବି ।’ ଶ୍ରୀମାନ୍ ଶିଶୁ ବେଳେବେଳେ ଏକା ଏକା ରୋଗରେ ପଡୁଥାଇ, ପଡ଼ୋଶୀ ମାଙ୍କୁ ଦେଖୁଥାଇ, ତାଙ୍କ ଘରକୁ ଯାଉଥାଇ ସିନା, ହେଲେ ସେଠି ନ ଥାଆନ୍ତି ମାର୍କସ କିମ୍ବା ଦସ୍ତୋଭସ୍କି, କିମ୍ବା ମନୋମୋହନ ମହାପାତ୍ର କିମ୍ବା ମାଇକେଲ ଜେକସନ୍ । କାହା ସାଙ୍ଗରେ କଥା ହେବ? ବୋର୍ ଲାଗୁଥାଇ, ଆହୁରି ବହି କିଣି ଆଣୁଥାଇ, ଆକାଶକୁ ଚାହୁଁଥାଇ ସମୁଦ୍ରକୂଳକୁ ଯାଉଥାଇ, ଘଣ୍ଟା ଘଣ୍ଟା ବସି ରହି ଅଧରାତିରେ ଫେରୁଥାଇ, ପଡ଼ୋଶୀ ବାପା ମା ପଚାରଇ ‘କୁଆଡ଼େ ଯାଇଥିଲ କି ଶିଶୁ ଏତେ ରାତିରେ? ‘ବୁଲିବାକୁ’ କହି ତାଙ୍କ ପାଖରେ ବୋର୍ ହେବା ପାଇଁ ବସୁଥାଇ । ସେମାନେ ବି ବସିଥାଆନ୍ତି ଅଗଣାରେ, ରାତି ଅଧଯାଏ । କଣ କଣ ସବୁ ପଛ କଥା, ଏବର କଥା, ଆଗ କଥା ହେଉଥାନ୍ତି । କୁମାରୀ ଦଶମ ଶ୍ରେଣୀ ଏଥର ବୋର୍ଡ଼ ପରୀକ୍ଷା ଦେବ, ସେ ଘରଭିତରେ ପଢୁଥାଇ, ନ ଜାଣିଲେ ପଚାରୁଥାଇ, କୁମାରୀ ଅନ୍ୟାନ୍ୟ ଶ୍ରେଣୀ ଗୋଟିଏ ପଲଙ୍କରେ ଲଦାଲଦି ହୋଇ ଶୋଇ ଯାଇଥାଇ । ପରେ ସଭିଏଁ ଶୋଇ ଯାଇଥାଇ । ଶ୍ରୀମାନ୍ ଶିଶୁ ଫେରି ଆସୁଥାଇ ଓ ଖଟରେ ପଡ଼ି ଉଟୁସ୍ ପୁଟୁସ୍ ହୁଅଇ, ଶୋଇ ଯାଉଥାଇ । ବେଳ ଅବେଳରେ ପଡ଼ୋଶୀ ବାପା ଟୁର୍ରେ ଯାଉଥାଇ, ଦୁଇଦିନ ତିନିଦିନ ଚାରି ପାଞ୍ଚଦିନ । ଏକଦିନକରେ ପଡ଼ୋଶୀ ମା କହୁଥାଇ, ‘ୟେ ଟୁର୍ରେ ଯାଇଛନ୍ତି ଶିଶୁ ଆଜି ରାତିରେ ଡେରି କରିବନି, ଶୀଘ୍ର ଫେରିବ ।’ ଏମନ୍ତ ବୋଲଂତେ ସେଦିନ ରାତିରେ ଶ୍ରୀମାନ୍ ଶିଶୁ ସଅଁଳ ଫେରଇ ଓ ଅଗଣାରେ ରାତି ଅଧଯାଏ ବସି ଗପୁଥାଇ । କୁମାରୀ ଦଶମ ଶ୍ରେଣୀ ଭିତରେ ପଢୁଥାଇ । ପଡ଼ୋଶୀ ମା କିଛି ପଢ଼ାପଢ଼ି କରିନାଇଁ କହିଲେ, କିମ୍ବା ‘ମୁଁ କଲେଜରେ ପଢ଼ିଲାବେଳେ ନା ବଧୂନିରୁପମା ପଢ଼ିଥିଲି,’ କହିଲେ ଶିଶୁ ଅତିଶୟ ବିରକତ ହୁଅଇ । ମାତରକ ଚୌକି ଛାଡ଼ି ଚାଲି ନ ଆସଇ । ନା ଗପ କରି ପାରୁଥାଇ ନା ଚୁପ୍ ରହି ପାରୁଥାଇ । କୁମାରୀ ଦଶମ ଶ୍ରେଣୀ ‘ମା ମୁଁ ଶୋଉଛି, କହିଲେ, ମା ବି ହଠାତ୍ ଉଠି ଛିଡ଼ା ହୁଅଇ ଓ କହଇ ଯେ ଶିଶୁ ଏବେ ଶୋଇବାକୁ ଯାଉ । ବେଶୀ ରାତି ଚେଇଁଲେ ଦେହ ପା- କେତେ କଥା, ‘ଯାଅ ଯାଅ’ ଶିଶୁ ଆହୁରି ବିରକତ ହେବା ସତ୍ୱେ କିଛି କରି ନ ପାରଇ । ତହିଁ ପରଦିନ କଲେଜ ଯିବା ବେଳକୁ ପଡ଼ୋଶୀ ମା କହଇ ‘ଆଜି ଚଞ୍ଚଳ ଆଇବ ଶିଶୁ, ୟେ ଆସି ନାହାନ୍ତି ନା ।’ ମନେ ମନେ ରାଗି ‘ସଟ୍ ଅଫ୍ ଗାଉଁଲି କୋଉଠିକାର’ କହଇ । ତଥାପି ମନ ତ ଅଥୟ ହୁଅଇ । ତେଣୁ ସଅଁଳ ସଅଁଳ ଚାଲିଆସଇ, କଉଠି ଖାଅଇ ପିଅଇ ତା ମନ ନ ମାନଇ । ଗୋଟିଏ ବିଅର ଆଣି ପିଅଇ ଓ ଏକ ଉପଭୋଗ୍ୟ ରାତ୍ରିର ନିଶାରେ ବେଦମ ହୁଅଇ । ରାତି ଦଶଟାରେ ଫେରଇ । ପଡ଼ୋଶୀ ମା ବୋଲଇ, ‘କୁଆଡ଼େ କୁଆଡ଼େ ବୁଲୁଛ ତମେ ଶିଶୁ? ମୁଁ କେତେବେଳୁ ଜଗିଛି ।’ ଶିଶୁ କିଛି ନ କହଇ ଓ ଚୌକି ଅଗଣାକୁ ଆଣି ବସଇ, କୁମାରୀ ଦଶମ ଶ୍ରେଣୀ ବୋଲଇ ଉଇଲିୟମ୍ ବ୍ଲେଂକକ କବିତା ସେ ବୁଝି ପାରୁନାଇଁ । ବହି ଧରି ପାଖକୁ ଆସଇ । ଶିଶୁକୁ ବୁଝାଇ ଦେବା ପାଇଁ କହଇ, ଶିଶୁ ମନା ନ କରଇ । ଘଡ଼ିଏ କାଳ ବୁଝଇ, ରାତି ଏଗାରଟା ବେଳକୁ ମା ଝିଅ ଦୁହେଁ ହାଇ ମାରଇ । ଶିଶୁକୁ ଦେହ ଖରାପ ହେବ ବୋଲି କହି ଉପଦେଶ ଦିଅଇ ଯେ ସେ ଶୀଘ୍ର ଯାଇ ଶୋଇଯାଉ । ଶିଶୁର ନିଶା ଉତୁରି ରାଗ ଚଢ଼ି ଆସଇ ମାଙ୍କଡ଼ ଖଂବ ଚଢ଼ି ଉତୁରି ଚଢ଼ିଲା ପରି । ତହିଁ ପରଦିନ ବଡ଼ିଭୋରରୁ ଶିଶୁ ଚଂପଟ । କୁଆଡ଼କୁ ଯାଇଥାଇ କି? ନା ସମୁଦ୍ରକୁ ନୌକା ନେଇ ଢେଉ ସାଂଗେ, ଚକ୍ ଚକ୍ ଥଲଥଲ ପାଣି ସଙ୍ଗେ, ମାଛ ସଙ୍ଗେ, ପକ୍ଷୀ ସଙ୍ଗେ ବାର୍ତାଳାପ! ଝିଅଙ୍କ ସଙ୍ଗେ, ବାଲି ସଙ୍ଗେ, କବିତା ସଙ୍ଗେ, ଆକାଶ ସଙ୍ଗେ, ବର୍ଷା ସାଂଗେ ବିଭୋର! ଗଞ୍ଜାଇ ସାଂଗେ, ସିଗାରେଟ୍ ସାଂଗେ, ନୋଳିଆଙ୍କ ସଙ୍ଗେ, ପେଣ୍ଟ ସାର୍ଟ ଖୋଲି ଖରା ସାଂଗେ ଆତ୍ମହରା! ବାଲିରେ ପେଟେଇ ଗୋଡ଼ ଆଙ୍ଗୁଠିରେ, ହାତ ଆଙ୍ଗୁଠିରେ, କହୁଣିରେ, ଥୋଡ଼ିରେ, ଗାର ଟାଣଇ, ଗାତ କରଇ, ପାହାଡ଼ ବନାଉଥାଇ, ଗୁମ୍ଫା ବନାଉଥାଇ, ଦେଉଳ ବନାଉଥାଇ, ଚିତ୍ର ବନାଉଥାଇ, ମାନଚିତ୍ର ବନାଉଥାଇ । ଅକ୍ଷର ଲେଖୁ ଥାଇ, ଶବ୍ଦ ଲେଖୁଥାଇ । ବାଲିଗରଡ଼ାରେ ବନ୍ଧ ବାନ୍ଧୁଥାଇ । ଆଉ କଣ କରୁଥାଇ, ପେଣ୍ଟ ସାର୍ଟ ଅଧାଅଧି ଶୁଖିଆଇଲା ବେଳକୁ ଖପ୍ ଖାପ୍ ପିନ୍ଧି ଘରମୁହାଁ ଲେଉଟଇ । ଘରକୁ ସତରେ ଆଏ କି? କାହିଁ ଆଏ । ଅଧାରାସ୍ତାରେ ଏକ କରଇ, ଆଉ ଅଧା ରାସ୍ତାରେ କଫି ପିଅଇ, ସ୍ନେକ୍ସ୍ ଖାଅଇ । ମନ୍ଦିର ଅଗଣାରେ ଭିକାରିଂକ ଧାଡ଼ିରେ ଚକାପାରି ବସଇ । ପାଖ ଭିକାରିକୁ ଚା ଯାଚଇ ଓ ବୋଲଇ ଯେ ତାର ହାଡ଼ ତାଙ୍କର କୌଣସି କାମରେ ଲାଗିବ କି? ତାର ହାଡ଼ ସେ ଅକାତରେ ଦାନ କରିବାକୁ ପ୍ରସ୍ତୁତ । ଗୋଟିଏ ଆଖି ବି ଦେବାକୁ ପ୍ରସ୍ତୁତ । ଅନ୍ୟଟିରେ ତ କାମ ଚଳିବ, ଦୁଇଟି ଆଖି କଣ ଦରକାର? ଆଜି ତମେ କେତେ ପଇସା ପାଇଛ କି? ଭିକାରିଟି ଚୁପ୍ ଚାପ୍ ହସଇ ଓ ମୁଣ୍ଡ ହଲାଉଥାଇ । ଆଉ ଅଧା ରାସ୍ତାରେ ଗପ କରଇ, ଆଉ ଅଧା ରାସ୍ତାରେ, ରାସ୍ତା