ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଇଆସ ।’ କିନ୍ତୁ ନଡ଼ିଆ ଦିଆହୁଏ ନାଇଁ । ଚକୁଳି କରୁ କରୁ ମାଙ୍କ ମୁଣ୍ଡ ବୁଲାଇଦିଏ । ମା ବି ମରିଯାଆନ୍ତି । ମଲାବେଳକୁ ପାଖ ପଡ଼ୋଶୀଙ୍କ କଥା ରଖି ପୁଅ ଝିଅ ଦୁହେଁ ଗଙ୍ଗାଜଳ ଅଭାବରେ ତୁଳସୀ ଜଳ ଦି’ ଚାମଚ ଦିଅନ୍ତି । ଗୋଟିଏ ହାଂଡ଼ିରେ ଶାଢ଼ିଟିଏ ରଖି, ଅରୁଆ ଚାଉଳ ରଖି, ‘ମା ତୁମେ ଗଙ୍ଗା, ଯମୁନା, ସରସ୍ୱତୀ ପାରିହୁଅ, ହିମାଳୟ ପାରିହୁଅ’ କହନ୍ତି । ଦୁହେଁ ମିଶି କାନ୍ଦନ୍ତି । ଦୁହେଁ ମିଶି ମୁଖାଗ୍ନି ଦିଅନ୍ତି । ଦୁହେଁ ମିଶି ଅସ୍ଥି ଆଣନ୍ତି ଓ ବାପାଙ୍କ ଅସ୍ଥି ପାଖରେ ପୋତି ଦିଅନ୍ତି । କଂକି ଦଶଦିନରେ ନଂଡ଼ା ହୁଏ । କୁମାରୀ କସ୍ତୁରୀ ଦାସ ବାରଦିନର ଛୁଟି ନିଅନ୍ତି । ମାସଶେଷରେ ବାରଦିନର ଦରମା କଟିଯାଏ । ଏକଦା ଏ ପୃଥିବୀ କେତେ ସୁନ୍ଦର ନ ଥିଲା ସତେ! ମୋ ଛବି ବହିର ପୃଷ୍ଠା ପରି ସ୍ୱଚ୍ଛ, ସଫେଦ, ନିର୍ମଳ ଓ ରଙ୍ଗିନ । ଘରକୁ ଖରା ଆସୁଥିଲା ବଡ଼ି ପକାଇବା ପାଇଁ, କନ୍ଥାକନା ଶୁଖାଇବା ପାଇଁ, ଆଂବ ଆଚାରକୁ ସତେଜ ରଖିବାପାଇଁ । ଘରକୁ ଶୀତ ଆସୁଥିଲା ଗୋଟିଏ ଶେଯତଳେ ମା ବାପା, ଭାଇଙ୍କର ଶରୀରର ଉଷୁମତାରେ କୁରୁଳି ଉଠିବାପାଇଁ ।ଶୀତ ଆସୁଥିଲା ଉହ୍ନେଇର ଚାରିକଡ଼େ ବସି ଚଣାଚୋବେଇବା ପାଇଁ । ଶାଗୁଆ ଅଗଣାକୁ ପଲ୍ଳବିତ କରିବାପାଇଁ ବର୍ଷା ଆସୁଥିଲା । ବାପା ଅଫିସ୍ରୁ ଫେରୁଥିଲେ, ମାଙ୍କ ପଣତରେ ମୁହଁ ପୋଛି ହେଉଥିଲା । ଖାଇବା ବେଳ ଆସୁଥିଲା । ଖେଳଣା ଝିଅକୁ ସଜକରିବା ପାଇଁ ଛୁଟିବେଳ ଆସୁଥିଲା । ରୁଷିବା ପାଇଁ ସମୟ ମିଳୁଥିଲା । ଏବେ କିନ୍ତୁ ଦିନ ସବୁ ଭାଙ୍ଗିରୁଜି ଖିନ୍ଭିନ୍ ହୋଇଯାଉଛି । ଚୁଲିମୁଣ୍ଡ ଓ ବସ୍ ସମୟର ଜଂଜାଳ, ଦର୍ପଣ ଓ କଂକିର ଜଂଜାଳ, ଅଳିଆ ଓ ଇଶ୍ୱରଙ୍କ ଜଂଜାଳ, ତାଲାଚାବି ଓ ଫାଟି ପଡୁଥିବା ଛାତିର ଜଂଜାଳ, ବାପାଙ୍କ ଯୋତା, ଧୋତି, ଚଷମାଖୋଳ ଅକ୍ଷର ଓ ଅସ୍ଥି ଏବଂ ମାଙ୍କ ଶାଢ଼ି, ଉହ୍ନେଇ, ମହାଲକ୍ଷ୍ମୀ ଖଟୁଳି, ପୁରାଣ ବହି ଓ ଅସ୍ଥି ଏତେ ଜିନିଷ ସବୁ ସଜାଇ ରଖିଲା ପରେ ଓ ଘରର ଖାଁ ଖାଁ ନିରବତାକୁ ‘କଂକି କଂକି’ କହି ଭାଙ୍ଗିଦେଲା ପରେ ବି ନିଜ ସନ୍ତୁଳିତ ଅବୟବକୁ ସଜଡ଼ା ସଜଡ଼ି କଲା ବେଳକୁ ଦିନଗୁଡ଼ିକ ଉଖାରି ଉପାଡ଼ି ବିଦାରି ହୋଇଯାଏ । ଯେମିତି ମେରିଆ ଦେହରୁ ମାଂସ । ଯେମିତି ମାଂସ ଭିତରେ ପୋକ । କଂକି ମେରାଇନ୍ ଇଂଜିନିୟରିଂ କଲେଜ ବଂବେରେ ନାମ ଲେଖାଇବା କାର୍ଡ ପାଇଥାଏ ।ଯିବନି ଯିବନିହେଉଥାଏ । ‘ତୁ ଅଲ୍ବତ୍ ଯିବୁ କଂକି ।’ ସେ ଯାଉ ଥଳକୂଳ ପାଉ ନଥିବା ସମୁଦ୍ରରେ ଆହୁଲା ମାରୁ । କୁମାରୀ କସ୍ତୁରୀ ଦାସ ବିସୁଭିୟସ୍ର ଖସଡ଼ା ଉପରେ ଇଗ୍ଲୁ ଗଢ଼ନ୍ତୁ । ଘରଭିତର ବା ଛାତିଭିତର ତଡ଼ି ଆଣୁ ପଛେ ସେ ଯାଉ । କାନ୍ଥ କବାଟ ବା ପଞ୍ଜରା ହାଡ଼ ରଙ୍ଗ ନ ହେଉ ପଛେ ସେ ଯାଉ । ଆଖିରେ ସ୍ୱପ୍ନ ବୁଣି ସେ ଯାଉ ଓ ଲକ୍ଷେ ଫୁଲର ସମ୍ଭାର ନେଇ ସେ ଫେରୁ । ‘ତୁ ଯା କଂକି ଗାଡ଼ିରେ ବସ୍, ପହଞ୍ଚିବାକ୍ଷଣି ଚିଠି ଦେବୁ, ପଇସା ଦରକାର ହେଲେ ଟେଲିଗ୍ରାମ୍ କରିବୁ, ଯା ।’ ସେଦିନ କାନ୍ଦିବି କାନ୍ଦିବି ହୋଇ ଦିନ ଚାଲିଯାଏ, କାନ୍ଦି ପାରନ୍ତି ନାଇଁ । ରାତିରେ ହଠାତ୍ କାନ୍ଦିପକାନ୍ତି ଖୁବ୍ ବେଳଯାଏ । ସକାଳକୁ ମୁହଁଟା ଶୁଖିଯାଇ କଳାକାଠ ପଡ଼ି ଯାଇଥାଏ । ଏଣୁ ଏଣିିକି କୁମାରୀ ଦାସ ଗୋଟିଏ କୋଠରିରୁ ଅନ୍ୟ କୋଠରିକୁ ହୋଇ ଦିନସାରା ଲହଡ଼ି ଭାଙ୍ଗୁଥାନ୍ତି । ଅସଜଡ଼ା ହୋଇଥିବା ପେନ୍, ଟର୍ଚ, ଚାମଚ, କପ୍ପ୍ଳେଟ୍, ଥାଳି, ଡେକ୍ଚି, ଉଲ୍, ଘଡ଼ି, ରିଂ, ପିଲାଙ୍କ ପରୀକ୍ଷା ଖାତା, ବହିପତ୍ର, ଓଦା ଶାଢ଼ିର ଧଡ଼ି, ବ୍ଳାଉଜ୍ର ହୁକ୍ ସଜାଡ଼ି ସଜାଡ଼ି ଶାଢ଼ି ଶାୟା ପରି ଶୁଖି ଯାଉଥାନ୍ତି । ଧୂପକାଠିର ଧୂଆଁକୁଦେଖି ଦେଖି ପିମ୍ପୁଡ଼ିର ଧାଡ଼ିକୁ ଦେଖି ଦେଖି ନିଶ୍ୱାସର ଶବ୍ଦ ଶୁଣି ଖାଲି ଅମୁଲଡ଼ବା ଭିତରୁ ଆସୁଥିବା ନିରବ ଧ୍ୱନିକୁ ଶୁଣି ଶୁଣି ସମୟ କାଟୁଥାନ୍ତି । ‘ମାଡାମ୍ ବୋଭାରୀ’ ପୁସ୍ତକର ପୃଷ୍ଠାମାନଙ୍କ ସହ ଖେଳୁଥାନ୍ତି । କଂକି ପାଖକୁ ଯେଉଁଦିନ ଚିଠି ଲେଖିବାର ଥାଏ ସେଦିନ ସ୍କୁଲ ଯିବା ବନ୍ଦ । ଚିଠି ଲେଖିସାରି ବାପାମାନଙ୍କ ଫଟୋ ଆଗରେ ଚିଠିକୁ ପଢ଼ିପକାନ୍ତି ବଡ଼ ପାଟିରେ । ପଚାରନ୍ତି ‘ଆଉ କ’ଣ ଲେଖିବି ବାପା? ମା । ତୁ ଆଉ କ’ଣ କହିବୁ?’ କଂକିର ଫଟୋକୁ ପଚାରନ୍ତି, ‘ତୋ ମନକୁ ପାଇବ ତ? ଦେଖ, ସାଂଗେ ସାଂଗେ ଉତ୍ତର ଦେବୁ ଗଲାଥର ପରି ଡେରି କରିବୁନି ।’ ଚିଠିର ଉତ୍ତର ଆସିଲେ ତାକୁ ବି ପଢ଼ିପକାନ୍ତି ବଡ଼ପାଟିରେ । ଦୁଇଥର ତିନିଥର, ଆହୁରିଅନେକ ଥର । କଂକିର ବହିଥାକ ସଜାଡ଼ି ଦିଅନ୍ତି ବାରବାଂର । ଦଶମ ଶ୍ରେଣୀର ବିଜ୍ଞାନ ଖାତାର ଚିତ୍ର ଦେଖି ହସି ପକାନ୍ତି । ଅଷ୍ଟମ ଶ୍ରେଣୀର ରଚନା ଖାତା କାଢ଼ି ଖଟରେ ଗଡ଼ି ଯାଆନ୍ତି ।