ପୃଷ୍ଠା:Hada bagicha.pdf/୫୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ବସନ୍ତ ଋତୁରେ ପଲ୍ଲୀର ଦୃଶ୍ୟ’, ‘ନିଜକୁ ଏକଖେଳନା ମନେକରି’ ରଚନା ପଢ଼ିପକାନ୍ତି ହଜାର ବାର । ପ୍ରତିଟି ଶବ୍ଦ ଅକ୍ଷର ମାତ୍ରାକୁ ଘୋଷି ପକାନ୍ତି, ସଂଶୋଧନ କରିପକାନ୍ତି । ‘କଂକି ତୁ ଗୋଟେ ବାଜେପିଲା ଅକ୍ଷର ଲେଖି ଜାଣୁନା, କଣକରୁଥିବୁ ସେଠି?’ କହି ହସନ୍ତି ଖାତାକୁ ଜାବୁଡ଼ି ଧରି ଶୋଇ ଯାଆନ୍ତି । କାନ୍ଥରୁ ମକରାଜାଲ - ପିପୁଂଡ଼ିଧାର ସଫା କଲାବେଳେ କଂକିର ଫଟୋରେ ଝାଡୁ ସାମାନ୍ୟ ଛୁଇଁ ହେଲେ କି ନହେଲେ ବାଜିଥିବ ଭାବି ଖାଡ଼ି ଟିକେ ଛିଡ଼ାଂଇ ଥୁ ଥୁ କରିଦିଅନ୍ତି ଭୟରେ । ତୁମେ ଏବେ ଦର୍ପଣରେ ଅନାଇଲେ କୁମାରୀ କସ୍ତୁରୀ ଦାସ ତୁମକୁ ଲାଗେ ଯେମିତି ସାଲଭାଡୋରଙ୍କ ଘଡ଼ି ପରି ତରଳି ଯାଉଛି ମୁହଁ । ଠେଙ୍ଗା ପରି ଠିଆ ହୋଇଯାଉଛି ତୁମ ଆଖି କାନ ନାକ । ହେଂଗରରେ ଝୁଲି ପଡୁଛି ତୁମ ଦୁଇ ପରିତଳର ଶରୀର । କାନ୍ଥର କଣ୍ଟାରେ ଓହଳି ପଡୁଛି ତୁମ ସନ୍ତୁଳିତ ଅବୟବ । ଅସ୍ଥିମାନଙ୍କର ଲାଇବ୍ରେରୀ ଥିବା ଧୂସର ଅଗଣାରେ ବୁଜି ହୋଇଯାଉଚି ତୁମ ସମୁଦାୟ ଜିଜୀବିଷା, ଜିଜ୍ଞାସା । ତୁମ ଅଭୀପ୍ସା କେମିତି ବେଲୁନ୍! ତୁମ ହସ କେମିତି ପଥର!! ତୁମେ କେମିତି ନିରାକାର!!! ଯୂପକାଠରେ କନିଷ୍କ କେତେ ସୁନ୍ଦର ଗୋଟେ ଅଜବ ଈଶ୍ୱରୀୟ ଗୁମ୍ଫା ଭିତରେ ନିଦମାଖି ରକ୍ତମାଖି ଶ୍ୱାସମାଖି ଶସମାଖି ଘୁମେଇ ପଡ଼ିଥିଲା କନିଷ୍କ, ଯେମିତି ଛାଇତଳେ ପଥିକ । କେତେ ନିର୍ଭୟରେ ନିଶ୍ଚିନ୍ତରେ ନିଶ୍ଚୁପରେ ଶୂନଶାନ୍ ଗର୍ଭର ପାଖୁଡ଼ାରେ ଅନ୍ଧାର ଭିତରେ ନିଦେଇ ଯାଇଥିଲା ବେପରୁଆ କନିଷ୍କ, ଯେମିତି କୋମଳ କଢ଼ ଭିତରେ କୀଟ । ଅଥଚ ଏ ପୃଥିବୀର ଯାବତୀୟ କୋଳାହଳ ତାକୁ ଜଗାଇ ମାରି ଦେଇଛି । ଯାବତୀୟ ବ୍ରତ ଉପବାସର ଘୋଘୋ ନିରବତା, ତୁହାଇ ତୁହାଇ ଇଚ୍ଛାର ହାତୁଡ଼ି ପିଟୁଥିବା ଆବେଗ, ଶାଶୁ ଶ୍ୱଶୁର ବାବା ମାମା ବନ୍ଧୁ ବାନ୍ଧବଙ୍କ ସପାଟ୍ ସପାଟ୍ ଚିଠିର ଚାବୁକ, ହାତପାପୁଲି ଉପରେ ମହାକାଳ ପରୀକ୍ଷାମୂଳକ ଭାବେ ରାଂଫି ଦେଇଥିବା ବଂଶବୃଦ୍ଧିର ଗାର, ଚେଁ ଚାଁ କିଚିର୍ ମିଚିର୍ ଶିଶୁଙ୍କ ରଙ୍ଗ ସ୍ୱାଦ ଜହ୍ନ ଆଉ ଆହ୍ଲାଦ-- ଏତେସବୁ ଶବ୍ଦର ଠେଲାପେଲାରେ କନିଷ୍କର ଭୂମୀଷ୍ଠ ନ ହେବାର ଯୁ ନ ଥିଲା । ହଠାତ୍ ଯେମିତି ଉଦର ଫାଟି ବାଟୁଳି, ହଠାତ୍ ଯେମିତି ଖଂବ ଫାଟି ଈଶ୍ୱର, ହଠାତ୍ ସେମିତି ଜରାୟୁ ଫାଟି କନିଷ୍କ ।