ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ମୁଁ ସମୁଦ୍ରକୂଳକୁ ବୁଲିବାକୁ ବାହାରୁଥିଲି । ପୁରୀରେ ରହୁଥିବା ଦିନମାନଙ୍କରେ ଏଇ ବେଳାଭୂମିରେ କଟାଇଥିବା ସମୟ ସବୁ ଥିଲା ମୋ ପାଇଁ ସବୁଠାରୁ ବେଶି ମନେ ରଖିବାର ! ମୁଁ ଅନେକ ଦିନ ସକାଳେ ବି ଯାଉଥିଲି ସମୁଦ୍ର କୂଳକୁ । ବାଲି ଉପରେ ଖାଲି ପାଦରେ ଚାଲିବାର ଏକ ଅପୂର୍ବ ଆନନ୍ଦ ଥିଲା । ଦିଗବଳୟରେ ମିଶି ଯାଇଥିବା ଜଳରାଶିକୁ ଅନାଇବା, ଉଦ୍‌ବେଳ ଲହରୀ ଓ ସଜଗ ଝାଉଁଗଛର ଆତୁରତାକୁ ଶୁଣିବା, ଅସ୍ଥିର ଲବଣାକ୍ତ ପବନକୁ ଓ୦ରେ ଛୁଇଁବାର ପୁଲକ ଆଜି ବି ମନେ ପଡ଼ିଲେ ମୋ ଦେହ ମନରେ ଶିହରଣ ଆଣିଦିଏ ।

ସଂକବେଳେ ସମୁଦ୍ର କୂଳରେ ବୁଲିବା ବେଳେ ମୋର ପ୍ରତିଦିନ ନିଶ୍ଚୟ ଭେଟ ହେଉଥିଲା ଚିତ୍ରକାର ସାହିର ବାନାମ୍ବର ମହାରଣା ସହିତ । ସେ ଗୋଟିଏ ଥଳିରେ ତାର ପଟଚିତ୍ର ଓ ମୁଖା ଧରି ବୁଲୁଥିଲା ଗ୍ରାହକ ଖୋଜି । କେତେବେଳେ ସେ ବାଲି ଉପରେ ତା ଗାମୁଛା ପକାଇ ତା ଉପରେ ଚିତ୍ର ଓ ମୁଖା ସଜାଇ ରଖିଥିଲା ଏବଂ ତା ଚାରିପାଖେ ଆସି କିଛି ଦେଶୀ ବିଦେଶୀ ପର୍ଯ୍ୟଟକ ଜମା ହୋଇ ଯାଉଥିଲେ । କିଛି ବିକ୍ରି ପରେ ଲୋକ କମିଗଲେ ସେ ପୁଣି ତାର ଜିନିଷ ପତ୍ରକୁ ଗୋଟାଇ ହାତରେ ଗୋଟିଏ ଚିତ୍ର ଓ ମୁଖା ଧରି ସମୁଦ୍ର କୂଳରେ ବୁଲୁଥଲା । ମୁଁ ଏଇ ସମୟରେ ତା ସହିତ ଯୋଗ ଦେଉଥିଲି, ମୋର ନିଜର ସ୍ୱାର୍ଥ ପାଇଁ । ଜଣେ ଏକ ନିଷ୍ଠ ଗବେଷକ ଭାବରେ ତା ସହିତ କଥାବାର୍ତ୍ତା କରି ମୁଁ ଚେଷ୍ଟା କରୁଥିଲି ତା ପାଖରୁ ମୋର କାମ ପାଇଁ ଯେତେ ସମ୍ଭବ ତଥ୍ୟ ସଂଗ୍ରହ କରିବି । ବାନା ଜଣେ ସରଳ ପ୍ରକୃତିର ଓ ମେଳାପୀ ଯୁବକ ଥିଲା ଏବଂ ଅଳ୍ପଦିନରେ ଆମ ଭିତରେ ଏକ ସୌହାର୍ଦ୍ଦ୍ୟ ଗଢ଼ି ଉଠିଥିଲା ।

ସମୁଦ୍ର କୂଳ ଯେତେବେଳେ ଅନ୍ଧାର ହୋଇ ଯାଉଥିଲା ଓ ଆଉ ମୁହଁକୁ ମୁହଁ ଦେଖା ଯାଉ ନ ଥିଲା, ମୁଁ ଘରକୁ ଫେରୁଥିଲି । ମିଂଜିମିଂଜି ଆଲୁଅ ଜଳୁଥୁବା ଘରଟି ମତେ ଆଦୌ ସହୃଦୟ ଜଣା ପଡ଼ୁ ନ ଥିଲା ଏବଂ ମୁଁ ଅତି ଚଞ୍ଚଳ ଗାଧୋଇ ପାଧୋଇ ପୁଣି ବାହାରକୁ ଆସୁଥିଲି । ସେ ସମୟରେ ପୁରୀରେ ବେଶୀ କିଛି ଭଲ ଖାଇବା ଜାଗା ନ ଥିଲା, ତଥାପି ମୁଁ ଖୋଜୁଥିଲି ଆଉ କେଉଁଠି କିଛି ଭଲ ଜାଗା ଥିବ ବୋଲି । ଅନେକ ଦିନ ଆଉ କେଉଁଆଡ଼େ ନ ଯାଇ ମୁଁ ସିଧା ଯାଇ ରେଲୱେ ହୋଟେଲରେ ପହଞ୍ଚି ସେଠାରେ ବାରରେ ସମୟ କଟାଉଥିଲି ।

ସମସ୍ୟା ଉପୁଜୁଥିଲା ରାତିରେ ଖାଇସାରି ଘରକୁ ଫେରିବା ବେଳେ । ପ୍ରଥମ ପହର ବେଳକୁ ହିଁ ମୋର ଫେରିବା ରାସ୍ତା ପ୍ରାୟ ଶୁନଶାନ ହୋଇ ଯାଉଥିଲା । କାଁ ଭାଁ ଲୋକ ବା ରିକ୍ସା ଯିବା ଆସିବା କରୁଥିଲେ ଏ ରାସ୍ତାରେ । ରାସ୍ତାର ଆଲୁଆ ଅଧିକାଂଶ ସମୟରେ ଖରାପ ଥିବାରୁ ଅଥବା ଅତି ନିଷ୍ପ୍ରଭ ଭାବରେ ଜଳୁଥିବାରୁ ବାଟ ଠିକ ଦେଖା ଯାଉ ନଥିଲା

୪୫. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ