ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୋଜି ; ଉତ୍ତେଜନା ଥିଲା ପୁରୁଣା ଶବ୍ଦର ନୂଆ ରୂଢ଼ି ପ୍ରୟୋଗ କରି । ପଂକ୍ତି ଭିତରକୁ ଅନାୟାସ ଆସିଯାଇଥିବା ଅନୁପ୍ରାସକୁ ଇଚ୍ଛା କରି ବର୍ଜନ କରିବାରେ ଥିଲା ଏକ ଅନୁଚିତ ସନ୍ତୋଷ ।

ଏବଂ ଶେଷରେ ପୃଷ୍ଠା ବ୍ୟାପୀ ଯେଉଁ ଜୀବନ୍ତ କବିତାଟି ତା ଆଗରେ ସାକାର ହେଉଥିଲା, କଣ ତାକୁ ହିଁ ଚାହୁଁଥିଲା ସେ ? ତା ମନ ଭିତରେ କଣ ଠିକ ସେହି ରୂପଟି ଥିଲା ଯାହା ବର୍ତ୍ତମାନ ଆଖି ଆଗରେ ସାବୟବ ? ସକାଳର ସ୍ମରଣ କେତେ ଧରି ରଖି ପାରିଛି ରାତିର ସ୍ୱପ୍ନକୁ ? ପୂରା କବିତାଟି ପଢ଼ିଲା ବେଳେ ସେଇଟି କେବେ ସଂପୂର୍ଣ୍ଣ ଭାବେ ସଂପନ୍ନ ମନେ ହେଉଥିବା ବେଳେ ଆଉଥରେ ପଢ଼ିଲା ବେଳେ ମନେ ହେଉଥିଲା କେଉଁଠାରେ କିପରି କିଛି ଅବ୍ୟକ୍ତ ରହିଯାଇଛି । ଯେପରିକି ଅତି ସୁବିନ୍ୟସ୍ତ ଏକ ମୃଣ୍ମୟୀ ମୂର୍ତ୍ତିର ଚକ୍ଷୁଦାନର ଅପେକ୍ଷା; କୌଣସି ବିଶେଷ ଭାବର ଅଭାବ । ପୁଣି ଥରେ ଆରମ୍ଭ ହେଉଥଲା ଭାବନା ରାଜ୍ୟର ପରିକ୍ରମା, ଶବ୍ଦକଳ୍ପଦୃମର ବରଦାନର ଉନ୍‌ମୁଖ ପ୍ରତ୍ୟାଶା । ପୁଣି ଥରେ କଲମ ଉଠି ଆସୁଥିଲା କାଗଜ ଉପରକୁ । ଏଥରକ ଆଉ ଶବ୍ଦ ସହିତ ଖେଳ କୌତୁକ ନୁହେଁ, ଏଥରକ ସେମାନଙ୍କ ସହିତ ଶୀତଳ ଯୁଦ୍ଧର କଳକୌଶଳ ।

ଖବରକାଗଜର ବୈକୁଣ୍ଠରୁ ଆଖି ଫେରାଇ ଦେବନାଥ ନିଜର ଖଟ ଟେବୁଲ ଚଉକିର ରୁକ୍ଷ ନିରନ୍ତରତାକୁ ଅନାଇଲା । ତା ନିଜ ଭଳି ଏ ସବୁ ଭଙ୍ଗାରୁଜା ଓ ଜରାଜୀର୍ଣ୍ଣ । ହଠାତ ତାର ମନେ ପଡ଼ିଲା ରବୀନ୍ଦ୍ରନାଥଙ୍କ ପ୍ରସିଦ୍ଧ ଆରାମ କେଦାରାଟି କଥା, ଯଦିଓ କିଛି ସାମଂଜସ୍ୟ ନାହିଁ ସେ ବସିଥିବା ସ୍ଥବିର ଚଉକିଟି ସହିତ ସାତ ସମୁଦ୍ର ପାରିରୁ ବିଦେଶିନୀଙ୍କ ପ୍ରୀତି ଉପହାର ହୋଇ ଶାନ୍ତି ନିକେତନରେ ପହଞ୍ଚିଥିବା ସୁଖାସନର । ତଥାପି, ଏ ଭଳି କୌଣସି ସନ୍ଦର୍ଭ ବିନା ଦେବନାଥର ମନେ ହେଲା ସତେ ଯେପରି ତାର ଭଙ୍ଗା ଚଉକିର ଆବେଦନ ବି ଥିଲା ଗୁରୁଦେବଙ୍କ ଚଉକିର ଭାଷା ଭଳି କରୁଣ କାତର, ଶୂନ୍ୟତାର ମୂକ ବ୍ୟଥା ବ୍ୟାପ୍ତ କରେ ପ୍ରିୟହୀନ ଘର ।

କବିତାର ଅସଂଲଗ୍ନ ପଂକ୍ତି ସବୁ ତାର ମନ ଭିତରକୁ ପଶି ଆସି ଏଇଭଳି ତାକୁ ଅସ୍ତବ୍ୟସ୍ତ କରନ୍ତି କେବେ କେବେ । ହଜିଯାଇଥିବା ପ୍ରେମର ବ୍ୟଥା ଭଳି ମନ ଗହୀରକୁ ଛୁଇଁ ଯାଏ କେତୋଟି ଶବ୍ଦର ଲଳିତ ମିତ୍ରାକ୍ଷର ମୁହୂର୍ତ୍ତକ ପାଇଁ । ଦେବନାଥ ପୁଣି ସଜାଡ଼ି ନିଏ ନିଜକୁ ; ସଜଗ ହୋଇଯାଏ । ସେ କାହିଁକି ତାର ସହଜ ସଂସାରକୁ ଛାଡ଼ି ଆଶ୍ରୟ ଖୋଜିବ କେଉଁ ଅଳୀକ ପରାବାସ୍ତବରେ ? ଆଜି ତାର ଦେହ ଭଲ ଲାଗୁଛି । ଝରକା ବାହାରେ ଦେଖାଯାଉଛି ଖରାଟିଆ ପାଗ । ସେ ଆରାମରେ ଚାଲି ଚାଲି ଯାଇପାରିବ ଛକ ପର୍ଯ୍ୟନ୍ତ । ନା, ତାର କୌଣସି ଅଭିଯୋଗ ନାହିଁ ଜୀବନ ପ୍ରତି । ଭାଗ୍ୟ ବରଂ ତା ପ୍ରତି

୭୧. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ