ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ ଅତି ପତିତ ଭରସା କରିଛି
ତୁମ୍ଭ ଶ୍ରୀ ଚରଣ ତଳେ ।
ଶ୍ରୀ ବୀର କିଶୋର ମହାରାଜ ଭଣେ
ଦୟା କର ମୋତେ ହେଳେ ॥୪॥

- ଶ୍ରୀ ବୀର କିଶୋର ଦେବ

--୨--

ଚାହାଁରେ ପତିତ ଜନ ପତିତପାବନ‌କୁ,
ଓଡ଼ିଆ ଗରବ ଧନ ଜାତି ସନମାନ‌କୁ (ଘୋଷା)
ଆଗେ ଚଲେ ତାଳଧ୍ୱଜ ଘେନି ସଙ୍ଗତେ ଅଗ୍ରଜ,
ବିତରେ ଅଭୟ ବର ଦୀନ ଦୁଃଖି ଜ‌ନଙ୍କୁ ॥୧॥
ମଝିରେ ଦର୍ପ ଦଳନ ଘେନି ଭଗିନୀ ରତନ,
କ‌ହେ ତେଜ ଧନ‌ଜନ ତୁଚ୍ଛ ଅଭିମାନ‌କୁ ॥୨॥
ପଛେ ନନ୍ଦିଘୋଷ ଧୀରେ ଚଳେ ମାତଙ୍ଗ ଗତିରେ,
ଘେନି କଳା କୁଞ୍ଜ ଦଳା ମଦନ ମୋହନ‌କୁ ॥୩॥
ଗଳେ ଦୋଳେ ମଣିମାଳା ନୟନେ ବିଜୁଳି ଖେଳା,
ମକର କୁଣ୍ଡଳ ଗଣ୍ଡ କୀରଟି ମଣ୍ଡନ‌କୁ ॥୪॥
ଅଖିଳ ଜଗତ ଜନ ଭେଦା ଭେଦ ବିନାଶନ,
ଅନାଥର ନାଥ ଜଗନ୍ନାଥ ଭଗବାନ‌କୁ ॥୫॥