ପୃଷ୍ଠା:Jati, Jagruti o Pragati.pdf/152

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୫୩
ନୂଆ ଓଡ଼ଆ ଚଳଚ୍ଚିତ୍ର କେବଳ ଉପକୂଳ ଅଞ୍ଚଳର ହାତଗଣତି କେତେକ ପ୍ରେକ୍ଷାଳୟରେ ଅଳ୍ପ କେତୋଟି ଦିନପାଇଁ ଚାଲୁଛି ।

ଆଜି ଆମର ଜମି, ଜଳ, ଜଙ୍ଗଲ, ଭାଷା, ସାହିତ୍ୟ, ସଂସ୍କୃତି ଓ ସର୍ବୋପରି ଜୀବନ- ସବୁକଛି ଅନ୍ୟମାନଙ୍କ ଇଙ୍ଗିତରେ ପରିଚାଳିତ । ଆମେ କେବଳ ଚାବିଦିଆ କଣ୍ଢେଇ ଭଳି ଅଣଓଡ଼ିଆଙ୍କ ନିର୍ଦ୍ଦେଶରେ ଝାଳବୁହା ପରିଶ୍ରମ କରି ସେମାନଙ୍କୁ ଧନୀ କରୁଛୁ । ସେମାନଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖୁଛୁ । ଅଥଚ ନିଜେ ଆମେ ଭୋକିଲା ରହିଛୁ । ରୋଗପାଇଁ ଔଷଧ ଟିକେ ପାଉନାହୁଁ । ପେଟ ପୂରଣପାଇଁ ଆମେ ଭିକ ମାଗୁଛୁ, ନ ହେଲେ ବେଶ୍ୟା ପାଲଟୁଛୁ । ଏଭଳି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାର ସାମାନ୍ୟ ମାତ୍ର ଉଦ୍ୟମ କରୁନାହୁଁ । ଅନ୍ୟର ଅପମାନକୁ, ଅତ୍ୟାଚାରକୁ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରିନେଉଛୁ । ପେଟ ପୋଷିବା ବାହାନାରେ ଆମେ କେବଳ ଆମ ବ୍ୟକ୍ତିତ୍ୱକୁ ହତ୍ୟା କରିବାରେ ଲାଗି ପଡିଛୁ ।

ଏଥର ଫେରିବା ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ ନିକଟକୁ । ସେନେଗାଲକୁ ଖାଦ୍ୟ ସହାୟତା ଯୋଗାଇ ଦେଉଥିବା ପାଶ୍ଚାତ୍ୟ ରାଷ୍ଟ୍ରକୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ସରକାରଙ୍କଦ୍ୱାରା ଆୟୋଜିତ ଉତ୍ସବକୁ ଗେଲ୍ୱାର ଭଣ୍ଡୁର କରିଦେଇଛି । ଫଳରେ ସରକାର କୌଶଳ କରି ଏହି ବିଦ୍ରୋହୀ ବ୍ୟକ୍ତିକୁ ହତ୍ୟା କରିଦେଇଛନ୍ତି । ଦାରିଦ୍ର୍ୟରେ ଜର୍ଜରିତ ଗେଲ୍ୱାର ପରିବାର ଖାଦ୍ୟପାଇଁ ସମାଜ ସହ ସଂଗ୍ରାମ କରିଛନ୍ତି । ଗେଲ୍ୱାରର ପୁଅ ଦାଦନଶ୍ରମିକ ପାଲଟିଛି । ଆର୍ଥିକ ଅଭାବର ସୁଯୋଗ ନେଇ ଗେଲ୍ୱାରର ଝିଅକୁ ତଥାକଥିତ ପୁରୁଷ ସମାଜ ବାରମ୍ବାର ଧର୍ଷଣ କରିବାପରେ ସେ ପାଲଟି ଯାଇଛି ବେଶ୍ୟା । ମାତ୍ର ଉଭୟ ପୁତ୍ର ଓ କନ୍ୟା ନିଜର ପିତାର ଗୌରବକୁ ତଳେ ପକାଇ ଦେଇନାହାନ୍ତି ।

ଚଳଚ୍ଚିତ୍ରର ଶେଷ ଦୃଶ୍ୟ: ବର୍ଷା ଆସିଛି, ଗେଲ୍ୱାର ପରିବାରର ପିଲାଟିଏ ଆଗକୁ ଦୌଡ଼ି ଯାଉଛି, ସେ କହୁଛି- ‘ଯେଉଁ ପରିବାର ଭିକ ମାଗେ, ସେ ପରିବାରର ମୁଖ୍ୟ ହେବାକୁ ମୁଁ ଚାହେଁନା ।’ ଏହି ସମୟରେ ତା’ର ଭଉଣୀ କହିଛି-‘ମୋ ପରିବାରର ପେଟ ପୋଷିବାକୁ ମୁଁ ବେଶ୍ୟା ହେବାକୁ ଚାହେଁନା ।’ ଆମେ କ’ଣ ଏହି ପିଲା ଦୁଇଟିର ଭାବନାରୁ କିଛି ଶିଖିପାରିବା ନାହିଁ ?
***