ପୃଷ୍ଠା:Jati, Jagruti o Pragati.pdf/56

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୫୭
ଏଥିପାଇଁ କୌଣସି କୋଚିଂ ସେଣ୍ଟରର ଆବଶ୍ୟକ ନାହିଁ । ଓଡ଼ିଶାରେ ମଧ୍ୟ ବିଷୟ ବିଶେଷଜ୍ଞଙ୍କ ଅଭାବ ନାହିଁ । ତେଣୁ ଦିଗର୍ଶନ ତଥା ପାଠ୍ୟୋପକରଣପାଇଁ ଦିଲ୍ଲୀ ଯିବା ବଦଳରେ ଏହିଠାରେ ରହି ପଢ଼ାପଢ଼ିରେ ସମୟକୁ ବିନିଯୋଗ କରିବା ଆବଶ୍ୟକ ।

ପରୀକ୍ଷା ମାଧ୍ୟମ : ଏହା ହେଉଛି ବର୍ତ୍ତମାନ ଆଇଏଏସ୍ ଚୟନ ପଦ୍ଧତିର ସବୁଠାରୁ ଗୁରତ୍ୱପୂର୍ଣ୍ଣ ମାଧ୍ୟମ । ଯଦି ଇଂରେଜୀ ଭାଷା ଓ ଶବ୍ଦ ଜ୍ଞାନରେ ଯଥେଷ୍ଟ ପାରର୍ଶିତା ରହିଛି, ତେବେ ଏହାକୁ ପରୀକ୍ଷା ମାଧ୍ୟମ ରୂପେ ଗ୍ରହଣ କରିବା ଉଚିତ । ନଚେତ୍ ଓଡ଼ିଆ ଭାଷାକୁ ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାରର ମାଧ୍ୟମ ରୂପେ ଗ୍ରହଣ କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ଓଡ଼ିଆ ଭାଷାରେ ସାମାନ୍ୟ ଅଧ୍ୟୟନପାଇଁ ଯଥେଷ୍ଟ ବହି ରହିଛି ଯେଉଁ ବିଭାଗରେ ଓଡ଼ିଆ ବହି ନାହିଁ, ତାହା ହିନ୍ଦୀ, ଇଂରେଜୀ ପୁସ୍ତକରୁ ତଥ୍ୟ ସଂଗ୍ରହ କରି ଏହାକୁ ଓଡ଼ିଆ ରୂପ ଦିଆଯାଇପାରିବ । ଇଚ୍ଛାଧୀନ ପତ୍ର ୨ଟି ମଧ୍ୟରୁ ଗୋଟିଏକୁ ସ୍ନାତକ ଓ ସ୍ନାତକୋତ୍ତରରେ ନେଇଥିବା ବିଷୟକୁ ଗ୍ରହଣ କରିବା ସହ ଅନ୍ୟ ବିଷୟ ଭାବରେ ‘ଓଡ଼ିଆ ଭାଷା ଓ ସାହିତ୍ୟ’କୁ ନିଆଯାଇପାରେ । ଆମର ଗୋଟିଏ ଭ୍ରମ ଧାରଣା ରହିଛି ଯେ, ଏହି ବିଷୟ ନେଲେ ପ୍ରଚୁର ପୁସ୍ତକ ପଢ଼ିବାକୁ ପଡ଼ିବ । ମାତ୍ର ଏହା ସଂପୂର୍ଣ୍ଣ ଭୁଲ । ଏଥିରେ ସୂଚୀତ ପୁସ୍ତକ ସଂଖ୍ୟା ସୀମିତ । ତଥା ଗତ ୮ବର୍ଷର ପ୍ରଶ୍ନପତ୍ର ଲକ୍ଷ୍ୟ କଲେ ପ୍ରଶ୍ନଗୁଡ଼ିକ ବାରମ୍ବାର ପଡୁଥିବାରୁ କେବଳ ମନୋନୀତ ୫୦ଟି ପ୍ରଶ୍ନ ଯଦି ଭଲ ଭାବରେ ପ୍ରସ୍ତୁତ କରାଯାଏ, ତେବେ ନିଶ୍ଚିତ ଭଲମାର୍କ ରଖି, ସାକ୍ଷାତକାରରେ ଅଂଶଗ୍ରହଣ କରିପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ୯୦୦ରୁ ୧୧୦୦ ନମ୍ବର ଆବଶ୍ୟକ ଥିବାବେଳେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଇଚ୍ଛାଧୀନପତ୍ର ଭାବରେ ଗ୍ରହଣ କଲେ ନିଶ୍ଚିତ ଭାବରେ ୩୦୦ରୁ ୪୫୦ ନମ୍ବର ମିଳିବ । ପୁନଃ ଏହାର ପ୍ରସ୍ତୁତି ପାଇଁ ସ୍ୱଳ୍ପ ସମୟ ଲାଗୁଥିବାରୁ ବଳକା ସମୟ ସାମାନ୍ୟ ଅଧ୍ୟୟନରେ ବିନିଯୋଗ କରି ଏହି ପତ୍ରରୁ ଅଧିକ ମାର୍କ ପାଇପାରିବ ।

ଆଇ.ଏ.ଏସ୍ ପରୀକ୍ଷାରେ ସଫଳ ହେବାର ଏକମାତ୍ର ଉପାୟ ମାତୃଭାଷାକୁ ମାଧ୍ୟମ ରୂପେ ଓ ଓଡ଼ିଆ ଭାଷା ଓ ସାହିତ୍ୟକୁ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରିବା । ଏହା ବର୍ତ୍ତମାନ ଅନ୍ୟାନ୍ୟ ରାଜ୍ୟର ପ୍ରାର୍ଥୀମାନେ ଗ୍ରହଣ କରି ଅପୂର୍ବ ସଫଳତା ପାଉଥିବାବେଳେ, ଆମେ କେବଳ ପଛରେ ପଡ଼ିଛୁ ଏହି ସତ୍ୟକୁ ଗ୍ରହଣ ନ କରି ।

                       ***